ପୁଣି ଏକ ସାଇବର ଠକାମି, ମହିଳାଙ୍କ ୪୦ ହଜାର ଚଳୁ

ଭୁବନେଶ୍ବର: ଆଜି ପୁଣି କମିସନରେଟ୍‌ ପୁଲିସର ସାଇବର ହେଲ୍‌ପ ଡେସ୍କରେ ଏକ ଅଭିଯୋଗ ହୋଇଛି। କଷ୍ଟମର୍‌ କେୟାର୍‌ ନାଁରେ ଠକ ଜଣେ ମହିଳା ଫୋନ୍‌ ପେ’ ଗ୍ରାହକଙ୍କ ୪୦ ହଜାର ଟଙ୍କା ଚଳୁ କରି ଦେଇଛି। ଗତ ୫ ତାରିଖରେ ଘଟିଥିବା ଏହି ଠକେଇ ବାବଦରେ ମହିଳାଜଣକ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ସାଇବର ହେଲ୍‌ପ ଡେସ୍କରେ ଜଣାଇଛନ୍ତି।

ସୂଚନାନୁସାରେ, ସଙ୍ଗୀତା ମାଷ୍ଟର କ୍ୟାଣ୍ଟିନ୍‌ ଛକସ୍ଥିତ ବୁକ୍‌ଷ୍ଟୋରରୁ କିଛି ବହି କିଣିଥିଲେ। ଫୋନ୍‌ ପେ’ ଜରିଆରେ ସେ ୫୮୦ ଟଙ୍କା ଦେଇଥିଲେ। ତେବେ ଉକ୍ତ ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଥିଲେ ମଧ୍ୟ ଦୋକାନୀଙ୍କ ଆକାଉଣ୍ଟକୁ ଯାଇ ନଥିଲା। ପରଦିନ ମଧ୍ୟ ବହି ଦୋକାନୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ନଥିଲା। ଗୁଗୁଲ୍‌ ସର୍ଚ୍ଚ କରି ସେ ଫୋନ୍‌ ପେ’ କେୟାର ନମ୍ବର ଲେଖାଥିବା ଏକ ନମ୍ବର(୦୮୦୬୮୭୨୭୩୪) ପାଇଥିଲେ। ଏହି ନମ୍ବରକୁ କଲ୍‌ କରିବାରୁ ଜଣେ ଫୋନ୍‌ ଉଠାଇଥିଲେ ଓ ସଙ୍ଗୀତାଙ୍କ ଅଭିଯୋଗ ଶୁଣିଥିଲେ। ଏତିକିବେଳେ ସଙ୍ଗୀତାଙ୍କ ଫୋନ୍‌କୁ ଏକ ମେସେଜ୍‌ ଆସିଥିଲା। ଫୋନ୍‌ ପେ’ ଆପ୍‌ ଖୋଲି ମୋବାଇଲ ନମ୍ବରର ଶେଷ ୫ଟି ନମ୍ବର ଶୂନ୍ୟସ୍ଥାନରେ ଭରିବାକୁ ସେଥିରେ ନିର୍ଦ୍ଦେଶ ଥିଲା। ସଙ୍ଗୀତା ସେୟା କଲେ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩୯ ହଜାର ୪୩୫ ଟଙ୍କା କଟି ଯାଇଥିଲା। ସେତେବେଳେ ହିଁ ସଙ୍ଗୀତା ଏକ ଠକ ହାବୁଡ଼ରେ ପଡ଼ିଗଲେ ବୋଲି ଜାଣିଲେ। ସୂଚନାଯୋଗ୍ୟ ଏହି ନମ୍ବର ଏବେ ବି ଗୁଗୁଲ୍‌ରେ ରହିଛି।

ସମ୍ବନ୍ଧିତ ଖବର