ଚନ୍ଦ୍ରଶେଖରପୁର : ସାଲିଆ ସାହିରେ କାୟା ମେଲାଉଛି ଡେଙ୍ଗୁ। ଆଜି ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ଜଣେ ମହିଳା। ସାଲିଆ ସାହି ଲକ୍ଷ୍ମୀନଗରରେ ରହୁଥିବା କଳାବତୀ ବେହେରା (୩୫) ତିନିଦିନ ହେବ ଡେଙ୍ଗୁରେ ପୀଡ଼ିତ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ର ଡେଙ୍ଗୁ ଓ୍ଵାର୍ଡରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲର ଡେଙ୍ଗୁ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ଶବ ସାଲିଆସାହିକୁ ଆଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍କୁ ସ୍ଥାନୀୟ ବାସିନ୍ଦା ଘେରାଉ କରିବା ସହିତ ମେୟର୍ ଓ ସିଏମ୍ଓ ଘଟଣାସ୍ଥଳକୁ ଆସିବା ପରେ ଶବ ଉଠିବା ନେଇ ଦାବି କରିଥିଲେ।
ଏତେସବୁ ଘଟଣା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ନିଜ ଦୋଷ ସ୍ୱୀକାର କରିବାକୁ ନାରାଜ। ମୃତକ କଳାବତୀ କ୍ୟାପିଟାଲ୍ ହସ୍ପିଟାଲ୍ର ଡେଙ୍ଗୁ ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ସ୍ୱୀକାର କରୁଥିଲେ ସୁଦ୍ଧା ଉପଯୁକ୍ତ ତଦନ୍ତ ପରେ ତାହା ଡେଙ୍ଗୁ ମୃତ୍ୟୁ କି ନାଁ ସରକାରଙ୍କୁ ରିପୋର୍ଟ ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।
ମୃତକ କଳାବତୀ କ୍ୟାପିଟାଲ୍ ହସ୍ପିଟାଲ୍ର ଡେଙ୍ଗୁ ଓ୍ଵାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କର କଳା ଝାଡ଼ା ମଧ୍ୟ ହେଉଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ କଲେଜ୍ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସରକାରୀସ୍ତରରେ ତଦନ୍ତ କରାଯିବ। ପରେ ଡେଙ୍ଗୁ ମୃତ୍ୟୁନେଇ ରିପୋର୍ଟ ଦିଆଯିବା ବୋଲି ଏଡିଏମ୍ଓ (ଜନସ୍ୱାସ୍ଥ୍ୟ) ରାଜ କିଶୋର ଜେନା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟଯେ, ସାଲିଆସାହିରେ ଘରେ ଘରେ ଡେଙ୍ଗୁ ବ୍ୟାପିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ୱୀକାର କରାଯାଇଥିଲା।
ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ବ୍ୟାପିବା ନେଇ ବିଏମ୍ସିର ଅବହେଳା ଦାୟୀ କହୁଥିବା ବେଳେ ବିଏମ୍ସି କିନ୍ତୁ ପାଲଟା ସ୍ୱାସ୍ଥ୍ୟ ବିଭାଗ ଉପରେ ଦୋଷ ଲଦୁଛି। ବର୍ତ୍ତମାନଠୁଁ ପରିସ୍ଥିତିକୁ ନିୟନ୍ତ୍ରଣ ନକଲେ ଅବସ୍ଥା ସାଂଘାତିକ ହେବାନେଇ ବସ୍ତିନେତା ଅଞ୍ଜନ ନାଥ ପ୍ରକାଶ କରିଛନ୍ତି।
ମୃତକ କଳାବତୀଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ଘରେ ଏବେ ବିଧବା ଝିଅ ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି। କଳାବତୀ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ଉପରେ ସମ୍ପୂର୍ଣ୍ଣ ପରିବାର ନିର୍ଭର କରୁଥିଲା। ବର୍ତ୍ତମାନ ଡେଙ୍ଗୁରେ ତାଙ୍କର ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡ଼ିଛି। ଏଭଳି ସ୍ଥିତିରେ କର୍ପୋରେଟର୍ ବାସନ୍ତୀ ସିଂ ଅତ୍ୟନ୍ତ ବେପରୁଆ ପ୍ରତିକ୍ରିୟା ଦେଇଛନ୍ତି। ଏପରି ଏକ ଘଟଣା ହୋଇଛି କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସେହିପରି ସ୍ଥାନୀୟ ବାସିନ୍ଦା ମେୟର୍ଙ୍କୁ ଅପେକ୍ଷା କରିଥିଲେ ସୁଦ୍ଧା ସେ ଆସି ନଥିଲେ। ଏପରି ଏକ ସଙ୍ଗିନ ଘଟଣାରୁ ସମସ୍ତ ଜନପ୍ରତିନିଧି ନିଜର ଦାୟିତ୍ୱ ଖସାଇବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସାଲିଆ ସାହିର ବିଭିନ୍ନ ସାହି ଡେଙ୍ଗୁରେ କମ୍ପୁଥିଲେ ସୁଦ୍ଧା କୌଣସି ଜନପ୍ରତିନିଧି ଉକ୍ତ ସ୍ଥାନକୁ ନଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।