ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ଡିଜିଟାଲ୍ ଆରେଷ୍ଟ୍ ମାମଲା ଘଟିଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ଜଣେ କର୍ପୋରେଟ୍ ଅଧିକାରୀଙ୍କୁ ୨ଦିନ ଗୃହବନ୍ଦୀ କରି ରଖିବା ପରେ ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ନିକଟରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କୁ ସାଇବର ଠକ ରୢାକେଟ୍ ଅନୁରୂପ ଢାଞ୍ଚାରେ ୯ଦିନ ଗୃହବନ୍ଦୀ କରି ରଖିବା ସହ ତାଙ୍କଠାରୁ ୮୦ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଆଜି ପୁଣି ଏକ ମାମଲା ନଜରକୁ ଆସିବା ପରେ ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି।
ଜୟଦେବବିହାରରେ ରହୁଥିବା ଏହି କର୍ପୋରେଟ୍ ଅଧିକାରୀଙ୍କୁ ଏକ ଅପରିଚିତ ମୋବାଇଲ୍ ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇ ଏୟାର୍ପୋର୍ଟର କଷ୍ଟମସ୍ ଅଧିକାରୀ ବୋଲି ପରିଚୟ ଦେଇଥିଲା। ତାଙ୍କ ନାଁରେ ବିଦେଶରୁ ଆସିଥିବା ଏକ ଡ୍ରଗ୍ସ ଭର୍ତ୍ତି ପାର୍ସଲ୍ ଜବତ କରାଯାଇଛି ଏବଂ ଏନେଇ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଅଧିକାରୀ କଥା ହେବେ ବୋଲି ନକଲି କଷ୍ଟମସ୍ ଅଧିକାରୀ କହିଥିଲା।
ତୁରନ୍ତ ସେହି ଫୋନ୍ କଲ୍ଟି ସ୍କାଏପି ଜରିଆରେ ଭିଡିଓ କଲ୍କୁ ବଦଳିଯାଇଥିଲା ଏବଂ ଜଣେ ପୁଲିସ ଅଧିକାରୀ ବେଶରେ ଥିବା ବ୍ୟକ୍ତି କର୍ପୋରେଟ୍ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲା। ଡ୍ରଗ୍ସ ଚାଲାଣ ମାମଲାରେ ତାଙ୍କୁ ଗିରଫ କରାଗଲା ବୋଲି ଭିଡିଓ କଲ୍ରେ ଥିବା ନକଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ କହିଥିଲା। ଘରୁ ଫେରାର୍ ହେବାକୁ ଚେଷ୍ଟା କଲେ ବି ସେ ସଫଳ ହେବେ ନାହିଁ। ସାଦାପୋଷାକରେ ରହି ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ସ୍କ୍ବାଡ୍ ତାଙ୍କ ଉପରେ ନଜର ରଖିଛି ବୋଲି ସେ ଧମକାଇଥିଲା। ତେଣୁ ମନିଲଣ୍ଡରିଂ ମାମଲା ଆରମ୍ଭ ହୋଇସାରିଥିବାରୁ ସେ ତଦନ୍ତରେ ସହଯୋଗ କରିବାକୁ ଚେତାବନୀ ଦେଇଥିଲା। ଭୟରେ କର୍ପୋରେଟ୍ ଅଧିକାରୀ ସହମତି ପ୍ରକାଶ କରିଥିଲେ ଏବଂ ନିଜର ସବୁ ବ୍ୟାଙ୍କ୍ର ଜମା ତଥ୍ୟ ଦେଇଥିଲେ। ଏମିତିରେ ୨ଦିନ ବିତିଯାଇଥିଲା ଏବଂ ଆଉ ସେପଟୁ କିଛି କଲ୍ ଆସିନଥିଲା। ତେଣୁ ଏଥର କର୍ପୋରେଟ୍ ଅଧିକାରୀ ନିଜ ଆଡ଼ୁ ଫୋନ୍ କରି ତଦନ୍ତର ଅଗ୍ରଗତି ବାବଦରେ ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ନା ଥିଲା କଷ୍ଟମ୍ସ ଅଧିକାରୀ ନା ଥିଲା କ୍ରାଇମ୍ବ୍ରାଞ୍ଚ ଅଧିକାରୀ। ତାଙ୍କ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇସାରିଥିଲା।