ମେଣ୍ଢାଶାଳ/ବାରଙ୍ଗ: ଗତକାଲି ଚନ୍ଦକାର ଗୋଡ଼ିବାରିରେ ଚିକିତ୍ସାଧୀନ ୪ ବର୍ଷର ମାଈହାତୀର ମୃତ୍ୟୁ ପଛର କାରଣ ତାଳ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଓୟୁଏଟିର ପ୍ରାଣୀ ଚିକିତ୍ସା ନିଦାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ରଥଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଶବ ବ୍ୟବଚ୍ଛେଦରେ ହାତୀର ପାକସ୍ଥଳୀ ଉପର ଭାଗରେ ବଙ୍କେଇ ହୋଇ ରହିଥିବା ଖାଦ୍ୟନଳୀରେ ଅଟକିଥିବା ଏକ ବଡ ପାଚିଲା ତାଳକୁ ବାହାର କରାଯାଇଛି। ଏହି ତାଳ ହିଁ ତା’ମୃତ୍ୟୁର କାରଣ ହେଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଛୋଟହାତୀଟି ଲୋଭରେ ବଡ଼ ପାଚିଲା ତାଳଟିକୁ ଖାଇବା ବେଳେ ଗିଳି ଦେଇଥିଲା। ତାଳଟି ପେଟ ଭିତରକୁ ଯାଇନପାରି ଗଳାଗଣ୍ଡରେ ଅଟକି ଥିଲା। ଫଳରେ ହାତୀଟି ଖାଇ ପାରିନଥିଲା ଓ ଦୁର୍ବଳ ହୋଇପଡିଥିଲା। ହାତୀଦଳରୁ ଅଲଗା ହୋଇ ସେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବାନଖଣ୍ଡସ୍ଥ କିରିପାଞ୍ଜି ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା।
ତାକୁ ସେଠାରୁ ଉଦ୍ଧାର କରି ଗତ ମାସ ୨୨ ତାରିଖରେ ଚନ୍ଦକା ଗୋଡ଼ିବାରିଠାରେ ରଖି ଚିକିତ୍ସା କରାଯାଉଥିଲା। ନିଃଶ୍ଚେତକ ଦେଇ ଚିକିତ୍ସା କରିବା ବେଳେ ହାତୀ ପାଟିରୁ ପୂଜ ବାହାରୁଥିବାର ଦେଖିବାକୁ ମିଳିଥିଲା। ପରୀକ୍ଷାନିରୀକ୍ଷା ପରେ ତା’ର ଗଳାଗଣ୍ଡରେ ଏକ ବଡ଼ ପାଟିଲା ତାଳ ଅଟକିଥିବା ଜଣାପଡ଼ିଥିଲା। ତାଳଟି ଏପରି ଜାଗାରେ ଅଟକି ଥିଲା ଯେ ତା’କୁ ପାଟି ବାଟ ଦେଇ ପଦାକୁ କାଢ଼ିବା ସମ୍ଭବ ନଥିଲା। ତେଣୁ ବାଧ୍ୟ ହୋଇ ଅତୀତରେ ସମାନ ଧରଣର ସମସ୍ୟାରେ ପଡ଼ିଥିବା ହାତୀଙ୍କ ଚିକିତ୍ସାରେ ପ୍ରୟୋଗ କରାଯାଇଥିବା ଉପାୟ ଅନୁସରଣ କରାଯାଇଥିଲା। ଗଳାଗଣ୍ଡରେ ଅଟକି ଥିବା ତାଳକୁ ଆହୁରି ଭିତରକୁ ଠେଲି ଦେବାକୁ ଚେଷ୍ଟା କରାଯାଇଥିଲା। ତାଳଟି ଭିତରକୁ ଚାଲିଯିବା ପରେ ତାହା ପାକସ୍ଥଳୀରେ ମିଳାଇଯାଇ ମଳଦ୍ୱାର ଦେଇ ବାହାରିଯିବ ବୋଲି ଆଶା କରା ଯାଉଥିଲା। ସେଥିପାଇଁ ତା’କୁ ଆଣ୍ଟାସିଡ୍ ମଧ୍ୟ ଖୁଆଯାଉଥିଲା। ହେଲେ ଦୀର୍ଘ ଦିନ ଧରି ଖାଦ୍ୟ ଓ ପାନୀୟ ଗ୍ରହଣ କରି ପାରି ନଥିବାରୁ ଛୁଆହାତୀଟି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା ଏବଂ ଚିକିତ୍ସାର ୯ଦିନ ପରେ ତା’ର ମୃତ୍ୟୁ ଘଟିଥିଲା। ତାଳର ଉପରିଭାଗ କିଛିଟା ମିଳାଇ ଯାଇଥିବାବେଳେ ଭିତରେ ଥିବା କଠିନ ମଞ୍ଜିଟି ପୂର୍ବଭଳି ରହିଥିବା ବ୍ୟବଚ୍ଛେଦରେ ଦେଖାଯାଇଛି। ତାହା ହିଁ ତଣ୍ଟିରେ ଘାଆ ସୃଷ୍ଟି କରିଥିଲା। ତାଳମଞ୍ଜି ପେଟକୁ ନଯାଇ ତଣ୍ଟି ମଧ୍ୟରେ ରହିଯିବାରୁ ତା’ର ମୃତ୍ୟୁ ହୋଇଛି ବୋଲି ବନଖଣ୍ଡ ଅଧିକାରୀ ଶରତଚନ୍ଦ୍ର ବେହେରା କହିଛନ୍ତି।