ଭୁବନେଶ୍ବରରେ ଖୋଲିଲା ଆଉ ଏକ ପରିବାର ଅଦାଲତ

ପୁରୁଣା ଭୁବନେଶ୍ବର,: ଭୁବନେଶ୍ବର କୋର୍ଟ ପରିସରରେ ଆଜି ଆଉ ଏକ ପରିବାର ଅଦାଲତ ଖୋଲିଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌ ମୁରଲୀଧର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନିକ ବିଚାରପତି ଶୁଭାଶିଷ ତାଳପତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲା ଜଜ୍‌ ନିଶିତ୍‌ ନିଶଙ୍କଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡ. ମୁରଲୀଧର କହିଥିଲେ ଯେ ପରିବାର ଅଦାଲତ ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି। ବହୁ ମାମଲା ଦୀର୍ଘ ଦିନ ଧରି ଫଇସଲା ନ ହୋଇ ପଡ଼ି ରହିଛି। ଏବେ ନୂତନ ପରିବାର ଅଦାଲତ ଖୋଲିବା ଦ୍ବାରା ପୁରୁଣା ମାମଲାଗୁଡ଼ିକର ତୁରନ୍ତ ଫଇସଲା ହୋଇପାରିବ।

ଏହାସହ ଏହି ଅଦାଲତ ଖୋଲିବା ଦ୍ବାରା ଭୁବନେଶ୍ବର ଓକିଲ ସଂଘର ବହୁ ଦିନର ଦାବି ଆଜି ପୂରଣ ହୋଇପାରିଛି। ସଂଘ ସଭାପତି ରବିନାରାୟଣ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଏହି ନୂତନ ପରିବାର ଅଦାଲତରେ ଜଟଣୀ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ମାମଲାଗୁଡ଼ିକ ବିଚାର କରାଯିବ ବୋଲି କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ଓ ଭୁବନେଶ୍ବର କୋର୍ଟର ବହୁ ବିଚାରପତିଙ୍କ ସମେତ ଏସ୍‌ଡିଜିଏମ୍‌ ଆଲୋକ ପଣ୍ଡା, ରେଜିଷ୍ଟ୍ରାର୍‌ ହିମାଂଶୁ ଶେଖର ସିଂ, ସଂଘର ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ବାଇଁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର