ଭୁବନେଶ୍ବର: ବିଏମ୍‌ସି ଇଞ୍ଜିନିୟରିଂ ଉପବିଭାଗରେ ୫୪ କୋଟି ଟଙ୍କାର ହିସାବ ମିଳୁ ନଥିବା ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି। ବିଏମ୍‌ସି ଇଞ୍ଜିନିୟର୍‌ମାନଙ୍କୁ ଡାକି ତନାଘନା କରୁଥିବା ବେଳେ ଏବେ ଆଉ ଏକ ଘୋଟାଲା ସାମ୍ନାକୁ ଆସିଛି। ଏହି ନିର୍ଦ୍ଦିଷ୍ଟ ଉପବିଭାଗରେ ୩୮ କୋଟି ଟଙ୍କା ଖର୍ଚ୍ଚର ଭାଉଚର୍‌ ଗାୟବ ହୋଇଯାଇଛି। ଟଙ୍କା ଖର୍ଚ୍ଚ କରିଥିବା ହିସାବ ଦେଖାଇଛନ୍ତି, ହେଲେ ଭାଉଚର୍‌ ନାହିଁ। ଏଥିରେ କୋଟି କୋଟି ଟଙ୍କା ହରିଲୁଟ୍‌ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏବେ ମାମଲା ଲୋକାୟୁକ୍ତରେ ପହଞ୍ଚିଛି। ଅଭି‌ଯୋଗର ସତ୍ୟତା ଥିବା ଅନୁଭବ କରି ଲୋକାୟୁକ୍ତ ମାମଲା ରୁଜୁ କରିଛନ୍ତି। ତେବେ ଏଥିରେ ବିଏମ୍‌ସି ସହ ଲୋକାଲ ଫଣ୍ଡ ଅଡିଟ୍‌କୁ ପକ୍ଷଭୁକ୍ତ କରାଯାଇଛି। ଲାଞ୍ଚ ନେଇ ଅଡିଟ୍‌ କରୁଥିବା ଅଧିକାରୀମାନେ ବିଏମ୍‌ସିର ଏଭଳି ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଲୋକାୟୁକ୍ତ ମାମଲା ରୁଜୁ କରିବା ସହ ଅଡିଟ୍‌ ଅଫିସର୍‌ଙ୍କୁ ଉତ୍ତର ରଖିବାକୁ ନୋଟିସ୍‌ କରିଛନ୍ତି। ଅଭି‌ଯୋଗରେ ସତ୍ୟତା ଥିଲେ, ଅଡିଟ୍‌-ବିଏମ୍‌ସି କୋଳାକୋଳି ପ୍ରସଙ୍ଗ ପଦାରେ ପଡ଼ିବାଆଶଙ୍କା ଥିବାରୁ ବିଏମ୍‌ସି ଇଞ୍ଜିନିୟର୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ଏଣେ ୫୪ କୋଟି ଘୋଟାଲାରେ କ୍ରାଇମ୍‌ବ୍ରାଞ୍ଚ ତନାଘନା କରୁଥିବା ବେଳେ ପୁଣି ୩୮ କୋଟିର ବୋଝ ଏବେ ସିଟି ଇଞ୍ଜିନିୟରଙ୍କ ନିଦ ହଜାଇଛି।

Advertisment

୩୮ କୋଟିର ଭାଉଚର ଗାୟବ
ଲୋକାୟୁକ୍ତରେ ମାମଲା
ଅଡିଟ୍‌ ଅଫିସରଙ୍କୁ ନୋଟିସ
ବର୍ଷକରେ ତିନିଥର ପୁନରୁଦ୍ଧାର ହୋଇଛି ପୋଖରୀ, ଖର୍ଚ୍ଚ କୋଟିଏ

୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍‌ କଲା ବେଳେ ଅଡିଟ୍‌ ଅଫିସର୍‌ମାନେ ୩୮ କୋଟି ଟଙ୍କାର ଭାଉଚର୍‌ ପାଇନଥିଲେ। ବିଏମ୍‌ସିର ଇଞ୍ଜିନିୟରିଂ ସେକ୍ସନରେ ଏଭଳି ଘୋଟାଲା ହୋଇଥିବା ନଜରକୁ ଆସିଥିଲା। ଅଡିଟ୍‌ ଏହି ଭାଉଚର୍‌ ସବୁ ଉପସ୍ଥାପନ କରିବା ପାଇଁ ବିଏମ୍‌ସିକୁ କହିଥିଲା। ହେଲେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଏହି କାଗଜ ଉପସ୍ଥାପନ ହୋଇ ପାରିନଥିଲା। ନିୟମ ମୁତାବକ, ଭାଉଚର ଉପସ୍ଥାପନ ନ ‌ହେଲେ ନିଜେ ଅଡିଟ୍‌ ଅଫିସର୍‌ ଘଟଣାସ୍ଥଳକୁ ଯାଇ ଭାଉଚର ଦାଖଲ କରିବାକୁ କହିବେ। ଏଥିରେ ସଫଳ ନ ହେଲେ ଅଡିଟ୍‌ ସୁପରିନ୍‌ଟେଣ୍ଡେଣ୍ଟ ଡି‌ଷ୍ଟ୍ରିକ୍ଟ ଅଡିଟ୍‌ ଅଫିସରଙ୍କୁ ରିପୋର୍ଟ କରିବେ। ଏହାକୁ ଆଧାର କରି ଅଡିଟ ଅଫିସର ସମ୍ପୃକ୍ତ ସଂସ୍ଥାକୁ ସମନ କରିବେ। ଏଥିରେ କାଗଜ ଉପସ୍ଥାପନ ନ ହେଲେ ବିଏମ୍‌ସି ମେୟରଙ୍କୁ ଲିଖିତ ନୋଟିସ୍‌ କରିବେ। ଏଥିରେ ବିଫଳ ହେଲେ ଅଡିଟ୍‌ ଅଫିସର ‘ଏଗ୍‌ଜାମିନର ଅଫ୍ ଲୋକାଲ୍‌ ଆକାଉଣ୍ଟ୍‌ସ୍‌’ଙ୍କୁ ରିପୋର୍ଟ କରିବେ। ଶେଷରେ ମାମଲା ଜିଲ୍ଲାପାଳଙ୍କ ନିକଟକୁ ଯିବ। କିନ୍ତୁ ଏହି ଅଡିଟ୍‌ରେ ପ୍ରକ୍ରିୟା ପାଳନ କରାଯାଇ ନଥିବାରୁ ଅଡିଟ୍‌ ଅଫିସରମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।

ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ମୁତାବକ, ୱାର୍ଡ ନମ୍ବର ୪୩ରେ ଥିବା ମାଛ ପୋଖରୀ ୨୦୧୮ ମସିହାରେ ୩ଥର ପୁନରୁଦ୍ଧାର ହୋଇଛି। ଏପ୍ରିଲ୍‌ ୨୬ ତାରିଖରେ ୩୭ ଲକ୍ଷ ୭୧ ହଜାର ୭୩୯ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜୁନ୍‌ ୨୫‌‌ରେ ୩୬ ଲକ୍ଷ ୬୩ ହଜାର ୪୩୯ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ନଭେମ୍ବର ୧୯ ତାରିଖରେ ୨୮ ଲକ୍ଷ ୨୫ ହଜାର ୯୯୫ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ଗୋଟିଏ ବର୍ଷରେ କୋଟିଏ ୨ ଲକ୍ଷ ୬୧ ହଜାର ୧୭୩ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଭାଉଚର୍‌ ମିଳୁନି। ସେହିଭଳି ୨୦୧୯ ଅକ୍ଟୋବରରେ ସଣ୍ଟୋନି ସାଇ‌ନ୍‌ଏଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହରରେ ହୋର୍ଡିଂ ଲଗାଇଛି।

ଏଥିରେ ବିଏମ୍‌ସି ସଂସ୍ଥାକୁ ୩୩ ଲକ୍ଷ ୮୮ ହଜାର ୪୯୯ ଟଙ୍କା ପ୍ରଦାନ କରିଛି। ହେଲେ ଭାଉଚର୍‌ ନାହିଁ। ଗତ ହକି ବିଶ୍ବକପ୍‌ ସମୟରେ କାନ୍ଥରେ ରଙ୍ଗ ଓ ଚିତ୍ର ବାବଦକୁ ବିଏମସି ୨୨ଲକ୍ଷ ୨୫ ହଜାର ୨୬୯ ଟଙ୍କା ଖର୍ଚ୍ଚ କରିଥିବା ହିସାବ ଦେଖାଇଛି। ହେଲେ ଆବଶ୍ୟକ କାଗଜପତ୍ର ଅଭାବରୁ ଅଡିଟ୍‌ ଏହି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୧୮ରେ ୱାର୍ଡ ନମ୍ବର ୬୭ରେ ହାଟ ତିଆରିରେ ବିଏମ୍‌ସି ୨୯ ଲକ୍ଷ ୮୩ ହଜାର ୩୧୦ ଟଙ୍କା ଖର୍ଚ୍ଚ କରିଛି। ହେଲେ ଖର୍ଚ୍ଚ ବାବଦରେ ଉପଯୁକ୍ତ କାଗଜ ଦେଖାଇ ପାରୁନି। ଏହି ବର୍ଷ ୱାର୍ଡ ନଂ ୩୬ରେ ୪୨ ଲକ୍ଷ ୯୯ ହଜାର ୧୫୩ ଟଙ୍କା ବ୍ୟୟରେ ମାଂସ ବଜାର ନିର୍ମାଣ ହୋଇଛି। କିନ୍ତୁ ଭାଉଚର ନାହିଁ। ଏହି ବର୍ଷ ଜାମୁକୋଳିରେ ବିଏମ୍‌ସି ଷଣ୍ଢ ଓ ବୁଲାଗାଈଙ୍କ ପାଇଁ ସେଡ୍‌ ତିଆରି କରିଛି। ଏଥିରେ ୧୨ ଲକ୍ଷ ୭୯ ହଜାର ୨୧୯ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏଭଳି ୨୦୧୮-୧୯ ଓ ୧୦୧୯-୨୦ ଆର୍ଥିକ ବର୍ଷରେ ୩୮କୋଟି ୧୩ ଲକ୍ଷ ୨୬ ହଜାର ୮୩୧ ଟଙ୍କାର ଭାଉଚର୍‌ ମିଳୁ ନାହିଁ। ଅଡିଟ୍‌ କେବଳ ବିଏମ୍‌ସିକୁ ନୋଟିସ୍‌ କରି ବସିଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୫୪ କୋଟି ଘୋଟାଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଥିବା ‌ବେଳେ ଅଳିଆ ପକାଉଠାରେ ୧୧ କୋଟି ହେରଫେର୍‌ ମାମଲା ଲୋକାୟୁକ୍ତ‌ରେ ବିଚାରାଧୀନ ଅଛି।