ଭୁବନେଶ୍ଵର: ସହରରେ ଲାଗିଥିବା ମୋବାଇଲ୍ ଟାୱାରଗୁଡ଼ିକରୁ ବିଏମ୍ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ଅପାରଗତା ହେଉ ବା କମ୍ପାନିମାନଙ୍କରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ହେଉ, ଦାୟିତ୍ବରେ ଥିବା ଅଧିକାରୀମାନେ ଏ ବାବଦରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ୨୦୦୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଏମ୍ସି ୧୪ କୋଟି ୨୨ ଲକ୍ଷ ୭୦ ହଜାର ୭ଶହ ଟଙ୍କାର ରାଜସ୍ବ ହରାଇଛି। ୨୦୦୬ ମସିହାରୁ ଆରମ୍ଭ କରି ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ଅଡିଟ୍ରେ ଏହି ରାଜସ୍ବ କ୍ଷତି ନେଇ ଉଲ୍ଲେଖ ରହିଛି। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଅଡିଟ୍ରେ ପରାମର୍ଶ ରହିଥିଲେ ମଧ୍ୟ ବିଏମ୍ସି ପଦକ୍ଷେପ ନେଇ ନାହିଁ। ୨୦୧୯ରୁ ୨୦୨୨ ତିନିବର୍ଷ ମଧ୍ୟରେ ଏହି ଟଙ୍କା ବଢ଼ି ବଢ଼ି ୧୬ କୋଟିରେ ପହଞ୍ଚିଲାଣି। ହେଲେ କାହା ସ୍ବାର୍ଥରେ ଏତେ ଗୁଡ଼ାଏ ଟଙ୍କା ଛାଡ଼ି ଦିଆଯାଇଛି? କେଉଁ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ବିଏମ୍ସି ଏତେ ଟଙ୍କାର ରାଜସ୍ବ ଛାଡ଼ି ଦେଇଛି ସେ ନେଇ ପ୍ରଶ୍ନ ଉଠିଛି।
ଅଡିଟ୍ ଉଠାଇଲେ ପ୍ରଶ୍ନ
କାହା ସ୍ବାର୍ଥରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି
ଟାୱାର୍ ଲାଗୁଥିବା ଘରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ କେଁ
ରିପୋର୍ଟ ମୁତାବକ, ୨୦୧୯ ମସିହା ସୁଦ୍ଧା ବିଏମ୍ସି ଅଞ୍ଚଳରେ ୫୯୩ ସ୍ବୀକୃତିପ୍ରାପ୍ତ ମୋବାଇଲ୍ ଟାୱାର ରହିଥିଲା। ଏହାବାଦ୍ ଶତାଧିକ ଅଣସ୍ବୀକୃତିପ୍ରାପ୍ତ ଟାୱାର ମଧ୍ୟ ରହିଥିଲା। ୨୦୦୬ରେ ଏକ ଗେଜେଟ୍ ବିଜ୍ଞପ୍ତି ମୁତାବକ ପ୍ରତି ସ୍ବୀକୃତିପ୍ରାପ୍ତ ଟାୱାର ପିଛା ବିଏମ୍ସି ଡିଓ(ବିପଦସଙ୍କୁଳ ବ୍ୟବସାୟ) ଲାଇସେନ୍ସ ଫି ବାବଦକୁ ସମ୍ପୃକ୍ତ ସଂସ୍ଥାରୁ ବର୍ଷକୁ ୧୦ ହଜାର ଟଙ୍କା ଆଦାୟ କରିବା କଥା। କିନ୍ତୁ ଟଙ୍କାଟିଏ ଆଦାୟ ହୋଇନାହିଁ। ଅର୍ଥାତ୍ ୫୯୩ ଟାୱାର ପିଛା ବର୍ଷକୁ ବିଏମ୍ସି ୫୯ ଲକ୍ଷ ୩୦ ହଜାର ଟଙ୍କା ହାତଛଡ଼ା କରିଛି। ଏଭଳି ଯଦି ୨୦୦୬ରୁ ହିସାବ କରାଯାଏ ତେବେ ୨୦୧୯ ସୁଦ୍ଧା ୬ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା ବିଏମ୍ସି ହରାଇଛି।
ନିୟମ ମୁତାବକ, ସଂସ୍ଥା ଯଦି କୌଣସି କାରଣରୁ ଏହି ଡିଓ ଫି ଧାର୍ଯ୍ୟ ସମୟରେ ଦେଇ ନ ପାରନ୍ତି ବା ବିଳମ୍ବରେ ଦିଅନ୍ତି ତେବେ ୫ ପ୍ରତିଶତ ଅଧିକ ଦେବାକୁ ପଡ଼େ। ଯଦି ଏହି ୫ ପ୍ରତିଶତକୁ ହିସାବ କରାଯାଏ ତେବେ ୨୦୧୯ ସୁଦ୍ଧା ୩୮ ଲକ୍ଷ ୫୪ ହଜାର ୫ଶହ ଟଙ୍କା ବାକି ରହିଛି। ଏହାର ଆଉ ଗୋଟିଏ ଦିଗ ମଧ୍ୟ ସାଂଘାତିକ। ତାହା ହେଉଛି ହୋଲ୍ଡିଂ ଟ୍ୟାକ୍ସ। ବିଭିନ୍ନ ଆବାସିକ କୋଠାରେ ଏହି ଟାୱାର ସ୍ଥାପନ ହୋଇଛି। ଟାୱାର ସବୁ ଯେଉଁ ଜାଗାରେ ବସିଛି ସେ ଜାଗାର ଭଡ଼ା ବାବଦକୁ ମାଲିକମାନେ ଅତି କମ୍ରେ ୧୦ ହଜାର ଟଙ୍କା ପାଉଛନ୍ତି। ଅର୍ଥାତ୍ ବର୍ଷକୁ ମାଲିକମାନେ ୧ଲକ୍ଷ ୨୦ ହଜାର ଟଙ୍କା ପାଉଛନ୍ତି। ୧୩ ବର୍ଷ ଧରି ଜଣେ ଜଣେ ମାଲିକ ୧୫ଲକ୍ଷରୁ ବେଶି ରୋଜଗାର କରିଛନ୍ତି। ଏଣୁ ଏହି ସବୁ କୋଠାରୁ ଆବାସିକ ନୁହେଁ ବରଂ କମର୍ସିଆଲ(ବାଣିଜ୍ୟିକ) ଆଧାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେବା କଥା। ହିସାବ ଅନୁସାରେ ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ବିଏମ୍ସି ୬ କୋଟି ୮୦ ଲକ୍ଷ ରାଜସ୍ବ ହରାଇଛି।
ଏ ତ ଗଲା ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ଅଡିଟ୍ ଉଠାଇଥିବା ପ୍ରଶ୍ନ କଥା। କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ଶହେରୁ ଊର୍ଦ୍ଧ୍ବ ଟାୱାର ପ୍ରତିଷ୍ଠା ହୋଇଛି। ଯଦି ଏସବୁକୁ ହିସାବକୁ ନିଆଯାଏ ତେବେ ୨୦୦୬ରୁ ଆଜି ପର୍ଯ୍ୟନ୍ତ ବିଏମ୍ସି ଟାୱାର ଓ ହୋଲ୍ଡିଂ ବାବଦକୁ ପ୍ରାୟ ୧୬ କୋଟି ହରାଇଛି। ମୋବାଇଲ ଟାୱାର କମ୍ପାନି ଓ ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ବିଏମ୍ସି ଏଭଳି ରାଜସ୍ବ ହରାଇଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ ଠାରୁ ଅସୁଲ କରିବା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ବାବଦରେ ଅଡିଟ୍ ସୁପାରିସ କରିନଥିବାରୁ ବିଏମ୍ସି ମଧ୍ୟ ଏହା ଉପରେ ନଜର ଦେଉ ନାହିଁ। ତେବେ ଏବେ ଏହି ଉପବିଭାଗ(ଲାଇସେନ୍ସ) ଦାୟିତ୍ବରେ ଥିବା ଡେପୁଟି କମିସନର ସପନ ନନ୍ଦ କହିଛନ୍ତି, ମୁଁ କାର୍ଯ୍ୟରେ ଯୋଗ ଦେବା ପରେ ଅଡିଟ୍ ଉଠାଇଥିବା ପ୍ରଶ୍ନକୁ ଗୁରୁତ୍ବର ସହ ନେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟାୱାର ଅଛି? ସ୍ବୀକୃତିପ୍ରାପ୍ତ ଟାୱାର ଠାରୁ କାହିଁକି ଆଦାୟ ହୋଇ ନାହିଁ? କେଉଁଠି ସମସ୍ୟା ରହିଛି? ତାହା ଖୋଜିବା ଆରମ୍ଭ କରିଛି। ବିଏମ୍ସିର ରାଜସ୍ବ ଆଦାୟ କିଭଳି ୫ ଗୁଣ ହେବ ସେ ନେଇ ମିସନ୍ ମୋଡ୍ରେ କାମ ଆରମ୍ଭ ହୋଇଥିବା ସେ କହିଛନ୍ତି।