ହରପ୍ରିୟା ପୃଷ୍ଟି
ଖଣ୍ଡଗିରି: ଘାଟିକିଆ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳ(ଏସ୍ୟୁଏଚ୍)ରେ ଗତ ୯ ମାସ ହେଲା ରହୁଛନ୍ତି ବିଶ୍ବଭୁଷଣ (ଛଦ୍ମନାମ)। ବୟସ ୭୫ ବର୍ଷ। ଘର ଯାଜପୁର ଜିଲ୍ଲାରେ। ପରିବାର କହିଲେ ଗୋଟିଏ ଝିଅ ଗୋଟିଏ ପୁଅ। ୨ ପିଲାଙ୍କୁ ବାହାଘର କରିଦେବା ପରେ ଭାବିଥିଲେ ବୃଦ୍ଧାବସ୍ଥାରେ ଶାନ୍ତିରେ ବଞ୍ଚିବେ। ହେଲେ ପୁଅ ଜମିବାଡ଼ିକୁ ନେଇ ସବୁବେଳେ ଝଗଡ଼ା କରୁଥିଲା। ଜମି ବିକିବାକୁ ନେଇ ଦିନେ ଏତେ ବାକ୍ ବିତଣ୍ଡା ହେଲା ଯେ ପୁଅ ବାପାଙ୍କୁ ଚାପୁଡ଼ା ମାରିଲା। ସେଦିନ ଦିନ ଦିପହରେ ବିଶ୍ବଭୂଷଣଙ୍କ ଆଖି ସମ୍ମୁଖରେ ଅନ୍ଧାର ଖେଳିଗଲା। ବାପା ହୋଇ ପୁଅଠୁ ମାଡ଼ ଖାଇବା ଭଳି ଅପମାନ ସହି ନପାରି ସେ ଆତ୍ମହତ୍ୟା କରିବେ ବୋଲି ବିଷ ପିଇ ଦେଲେ। ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହେଲେ। କିନ୍ତୁ ଭଲ ହେବାପରେ ଆଉ ଘରକୁ ଫେରିଲେନି। ବସ୍ରେ ବସି ଭୁବନେଶ୍ବର ଆସିବା ପରେ ରାସ୍ତାକଡ଼ରେ ଶୋଇଲେ। ଶେଷରେ ଏସ୍ୟୁଏଚ୍ର କର୍ମକର୍ତ୍ତା ତାଙ୍କୁ ଆଶ୍ରୟସ୍ଥଳକୁ ନେଇଗଲେ। ବାପାଙ୍କୁ ଖୋଜି ଝିଅ ଆସି ନିଜ ଘରକୁ ନେଇଯିବ ବୋଲି କହିଲା। ହେଲେ ବିଶ୍ବ ଝିଅଘରକୁ ଯିବାକୁ ଅମଙ୍ଗ ହେଲେ। ଏବେ ଧୀରେ ଧୀରେ ତାଙ୍କ ଗୋଡ଼ ଆଉ କାମ କରୁନି। ହ୍ବିଲ୍ ଚେୟାର କି ଆଶାବାଡ଼ି ନ ଧରିଲେ ପାଦେ ଚାଲି ପାରୁ ନାହାନ୍ତି। ବାର୍ଦ୍ଧକ୍ୟଜନିତ ରୋଗଠାରୁ ବଳେଇ ଯାଉଛି ମାନସିକ ଦୁଃଖ। ପରିବାର କଥା ଭାବିଭାବି ତାଙ୍କ ଦିନ କଟୁଛି। ‘‘ଘରକୁ ଯିବେନି?’’ ବୋଲି ପଚାରିଲେ, ସେ ରାଗିଯାଇ ମୁହଁ ବୁଲାଇ ଦେଲେ।
ଆଉ ଜଣେ ହେଉଛନ୍ତି ୟୁନିଟ୍-୩ ସ୍ଥିତ ଏସ୍ୟୁଏଚ୍ର ଉର୍ମିଳା(ଛଦ୍ମନାମ)। ବୟସ ଆସି ୭୦ ହେଲାଣି। ଘର ବାଲେଶ୍ବର ଜିଲ୍ଲାରେ। ବୟସ ଥିବାବେଳେ ପୁଅ, ନାତି ନାତୁଣୀଙ୍କର ସେବା କରୁଥିଲେ ଘର କାମ କରି ଦେଉଥିଲେ। ଘର କାମ କରିବାକୁ ସକ୍ଷମ ନ ହେବାକୁ ଆଉ ପୁଅ ବୋହୁ ଖାଇବାକୁ ଦେଲେନି କି ଘରେ ପୂରେଇଲେନି। ଏଭଳି ଅବସ୍ଥାରେ କୁଆଡ଼େ ଯିବେ ବୋଲି ଭାବି ଟ୍ରେନ୍ରେ ଭୁବନେଶ୍ବର ପଳେଇ ଆସିଲେ। ଦିନେ ଯେଉଁ ପୁଅକୁ ରକ୍ତ ପାଣି କରି ତା’ର ଯତ୍ନ ନେଇ ବଢ଼େଇ ମଣିଷ କରିଥିଲେ, ଆଜି ଏଭଳି ବୟସରେ ଘରେ ରଖି ଗଣ୍ଡେ ଖାଇବାକୁ ଦେଲାନି। ଏଭଳି କହି କଇଁ କଇଁ କାନ୍ଦି ପକାଉଥିଲେ ଉର୍ମିଳା। ଏବେ ସବୁଦିନ ତାଙ୍କର ମାନସିକ ଅବସାଦରେ ଦିନ କାଟୁଛନ୍ତି। ସେହିଭଳି କଳିଙ୍ଗବିହାର ଅଞ୍ଚଳରେ ରହୁଛନ୍ତି ବୃଦ୍ଧ ଦମ୍ପତି। ବୟସ ବେଳେ ସ୍ବାମୀ ବଡ଼ ଚାକିରି କରିଥିଲେ। ରାଜଧାନୀରେ ନିଜର ସୁନ୍ଦର ବଙ୍ଗଳା। ହେଲେ ପରିଣତ ବୟସରେ ପାଣିମୁନ୍ଦେ ଦେବାକୁ କେହି ନାହିଁ। ପୁଅ ବିଦେଶରେ ଥିବାରୁ ୨କି ୩ ବର୍ଷରେ ଥରେ ଘରକୁ ଆସେ। ତେଣୁ ଘରେ କାମ କରିବାକୁ ୩ ଜଣ ସହାୟକ ଅଛନ୍ତି। ଜଣେ ସକାଳେ ରୋଷେଇ କରିଦେଇ ଯାଏ। ଜଣେ ଘରପୋଛି ବାସନ ମାଜି ଦେଇ ଯାଏ। ଆଉ ଜଣେ ଆବଶ୍ୟକସ୍ଥଳରେ ପରିବା ଔଷଧ ଆଦି ସାମଗ୍ରୀ ଘରେ ପହଞ୍ଚେଇଦେଇ ଯାଏ। ହେଲେ ଏତେ ବଡ଼ ଘରେ ୨ ଜଣ ବୃଦ୍ଧାବସ୍ଥାରେ ଦିନ କାଟିବା ଉଭୟଙ୍କୁ କଷ୍ଟ ହୋଇପଡ଼ୁଛି।
ଏହି ୩ ଘଟଣା କେବଳ ଉଦାହରଣ ମାତ୍ର। ପିଲାଙ୍କୁ ପଢ଼େଇ, ଲେଖେଇ ବଡ଼ ମଣିଷ କରିବାପରେ ବୃଦ୍ଧାବସ୍ଥାରେ ହଜାର ହଜାର ବରିଷ୍ଠ ନାଗରିକ ପାଲଟି ଯାଉଛନ୍ତି ଅସହାୟ। ନିଃସଙ୍ଗତା କାରଣରୁ ରୋଗ ଯନ୍ତ୍ରଣାରେ ପଡ଼ି ଶେଷରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। କେବେ ଏମାନଙ୍କ ଏକାକିତ୍ବର ଫାଇଦା ନେଇ ଲୋକ ଘର ଲୁଟୁଛନ୍ତି ତ କିଏ ବିଶ୍ବସ୍ତ ହୋଇ ଠକି ଚାଲୁଛନ୍ତି। ଯେଉଁ ବୟସରେ ପରିବାର ସହିତ ରହି ଆରାମରେ ଦିନ କାଟିବା କଥା ସେ ବୟସରେ ସବୁଠାରୁ ଅଧିକ ମାନସିକ ଚାପରେ ସେମାନେ ଦିନ କାଟୁଛନ୍ତି। ଏ ନେଇ ଏମ୍ସ ମନସ୍ତତ୍ବବିତ୍ ଶ୍ରୀ ମିଶ୍ର କହନ୍ତି, ‘‘ଏବେ ନ୍ୟୁକ୍ଲିୟର ପରିବାର ହେଉଥିବାରୁ ପୁଅ ଝିଅ ବାହାଘର ପରେ ବାପା ମାଅା’ ଏକାକି ଅନୁଭବ କରୁଛନ୍ତି। ଭାରତରେ ବୟସ୍କଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଭଳି ବ୍ୟବସ୍ଥା ହୋଇନାହିଁ। ତେଣୁ କେଉଁଠିକି ଯିବା ଆସିବା କମ୍ ହୋଇଗଲେ, ଚାକିରି ସରିଯିବା ପରେ, କିମ୍ବା ନିଜର ପତି କିମ୍ବା ପତ୍ନୀଙ୍କୁ ହରାଇବା ପରେ ସେମାନେ ଡିପ୍ରେସନ୍କୁ ଚାଲିଯା’ନ୍ତି।
ଟେକ୍ନୋଲୋଜି ଜାଣି ନଥିବାରୁ କାହା ସହିତ ଯୋଡ଼ିହୋଇ ପାରନ୍ତି ନାହିଁ। ଟଙ୍କାର ଅଭାବ, ବିଭିନ୍ନ ରୋଗ ଏହାକୁ ଆହୁରି ବଢ଼ାଇ ଦିଏ। ଏହାକୁ ଅଣଦେଖା କରିବାରୁ ଅବସାଦ ଭିତରେ ସେମାନେ ଦିନ କାଟନ୍ତି। ଫଳରେ ଭୁଲିବା ବେମାରି, ଧିମା ହୋଇଯିବା, ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା, ଔଷଧ ନଖାଇବା ଭଳି ଘଟଣା ଦେଖିବାକୁ ମିଳେ। ଠାକୁରଙ୍କୁ ଭକ୍ତି କଲେ, ସାଙ୍ଗ, ନାତି ନାତୁଣୀ ସହିତ ସମୟ କଟାଇଲେ, ଆର୍ଥିକ ଭାବରେ ସ୍ବଚ୍ଛଳ ହେଲେ, ପରିବାରର ଯୁବ ବର୍ଗ ଟେକ୍ନୋଲୋଜି ଶିଖାଇବାରେ ସାହାଯ୍ୟ କଲେ ସେମାନେ ଏକାକୀପଣରୁ ମୁକ୍ତି ପାଆନ୍ତେ। ସବୁଠାରୁ ବଡ଼ କଥା ହେଉଛି, ବୟସ ହେଲେ ଏମିତି ହୁଏ ଭାବି ପରିବାର ଲୋକ କିମ୍ବା ନିଜେ ରୋଗୀ ଡାକ୍ତରଙ୍କ ପାଖକୁ ଖୁବ୍ କମ୍ ଆସନ୍ତି। ପ୍ରାୟତଃ ରେଫର୍ ହୋଇ ସେମାନେ ଏହି ବିଭାଗକୁ ଆସୁଛନ୍ତି। ‘ଟେଲି ମାନସ୍’ ଆପ୍ ଜରିଆରେ ଘରେ ବସି ଡାକ୍ତରଙ୍କ ସହାୟତା ନେଲେ ମାନସିକ ଅବସାଦ ଦୂରହୋଇ ପାରନ୍ତା।’’ (ଏଥିରେ ଯେଉଁ ବୟସ୍କମାନଙ୍କ କଥା ଅଛି, ସେମାନେ ସମସ୍ତେ ନିଜ ପରିଚୟ ଗୋପନ ରଖିବାଲାଗି ଅନୁରୋଧ କରିଛନ୍ତି)