ଏକାମ୍ରକ୍ଷେତ୍ରରେ କୋଣାର୍କ ଢାଞ୍ଚାର ମନ୍ଦିର

ପୁରୁଣା ଭୁବନେଶ୍ୱର : ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦି୍ଵତୀୟ କୋଣାର୍କ ପରିକଳ୍ପନାକୁ ନେଇ ସାରା ରାଜ୍ୟରେ ଚର୍ଚା ଲାଗି ରହିଥିବା ବେଳେ ସମସ୍ତେ କିନ୍ତୁ ପାସୋରି ଯାଇଛନ୍ତି ଏକାମ୍ର କ୍ଷେତ୍ରର ଯମେଶ୍ୱର ଓ ଚିତ୍ରକାରିଣୀ ମନ୍ଦିରକୁ। ଦୂରରୁ ପ୍ରାୟ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରି ଦେଖାଯାଉଥିବା ଏହି ଦୁଇ ମନ୍ଦିରର ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ମନ୍ଦିରରେ ହୋଇଥିବା ବିଭିନ୍ନ କାରୁକାର୍ଯ୍ୟକୁ ଦେଖିଲେ ଜଣେ ସେଠାରେ ଘଡ଼ିଏ ଅଟକି ଯିବାକୁ ମନ କରିବ। ତେବେ ଏହା କୋଣାର୍କ ମନ୍ଦିରର ସମସାମୟିକ କିମ୍ବା ତା’ ପୂର୍ବରୁ ନିର୍ମିତ ହୋଇଥିବା ନେଇ ଐତିହାସିକ ଓ ଗବେଷକମାନେ ମତ ଦେଇଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିରର ଅଳ୍ପ କିଛି ଦୂରରେ ଉତ୍ତର ଦ୍ଵାର ନିକଟରେ ରହିଛି ଚିତ୍ରକାରିଣୀ ମନ୍ଦିର। ଏଠାରେ ମା’ ଚିତ୍ରକାରିଣୀ ପୂଜା ପାଆନ୍ତି। ଏହି ମନ୍ଦିର ସଂପର୍କରେ ସବୁଠାରୁ ବଡ଼ କଥା ହେଉଛି, ଏହାର ଜଗମୋହନଟି କୋଣାର୍କ ମନ୍ଦିରର ଜଗମୋହନ ସଙ୍ଗେ ପ୍ରାୟ ସମାନ। ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ମୁଖଶାଳା, ମନ୍ଦିରରେ ଖୋଦିତ ପ୍ରାଚୀନ କଥାବସ୍ତୁ ସଂପର୍କିତ କାରୁକାର୍ଯ୍ୟ କୋଣାର୍କ ମନ୍ଦିରକୁ ମନେ ପକେଇ ଦିଏ। ଏନେଇ ଐତିହ୍ୟ ସଂରକ୍ଷକ ଅରୁଣ କୁମାର ନାୟକ କୁହନ୍ତି ଯେ, ଚିତ୍ରକାରିଣୀ ମନ୍ଦିରର ମୁଖଶାଳାକୁ ଦେଖିଲେ କୋଣାର୍କର ଭ୍ରମ ସୃଷ୍ଟି ହୋଇଥାଏ।

ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରର ୩୦୦ମିଟର ଦୂରରେ ପଶ୍ଚିମ-ଉତ୍ତର କୋଣରେ ରହିଛି ଯମେଶ୍ୱର ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ଭିଣୋଇ ଭାବେ ପରିଚିତ ଏହି ଠାକୁରଙ୍କ ମନ୍ଦିରରେ ବିଶାଳ ଶିବଲିଙ୍ଗ ପୂଜା ପାଉଛନ୍ତି। ଦ୍ଵାଦଶ ଶତାବ୍ଦୀର ଏହି ମନ୍ଦିରଟି ସପ୍ତରଥ ଶୈଳୀରେ ନିର୍ମାଣ କରାଯାଇଛି। ଏହାର ଜଗମୋହନ ମନ୍ଦିର ଅବିକଳ କୋଣାର୍କ ମନ୍ଦିର ପରି। ଜଗମୋହନର ଅଁଳା, ଲମ୍ବା, ଚଉଡ଼ା କୋଣାର୍କ ପରି ହୋଇଥିବାବେଳେ ଏହାର ପିଢ଼ର ଉଚ୍ଚତା ଓ ଅନେକ କାରୁକାର୍ଯ୍ୟ କୋଣାର୍କ ମନ୍ଦିର ସହ ସମାନ। ଏହି ମନ୍ଦିରଟି କୋଣାର୍କ ମନ୍ଦିର ପୂର୍ବରୁ ନିର୍ମିତ ହୋଇଥିଲା ବୋଲି ବରିଷ୍ଠ ଗବେଷକ ବିଜୟ କୁମାର ରଥ କହିଛନ୍ତି।

ସମ୍ବନ୍ଧିତ ଖବର