ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀରୁ ବିପୁଳ ପରିମାଣର ଦେଶୀମଦ ଜବତ ହୋଇଛି। ଆଜି ଅବକାରୀ ବିଭାଗ ସାଲିଆସାହିରେ ଚଢ଼ଉ ଏକ ବେଆଇନ ମଦ କାରଖାନା ଠାବ କରିବା ସହ ୧୬ହଜାର ଲିଟର ପୋଚ ଓ ୬ହଜାର ଲିଟର ଦେଶୀମଦ ଜବତ କରିଛି। ଏହି ଚଢ଼ଉରେ ୪ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୨ଜଣ ମହିଳା ଅଛନ୍ତି। ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏହି ବେଆଇନ ମଦ କାରଖାନା ସଂଗଠିତ ଭାବେ ଚାଲିଥିଲା। ମଦର ମାନ ପରୀକ୍ଷା ପାଇଁ ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ଏଠାରୁ ମିଳିଛି। ଜବତ ପୋଚ ଓ ମଦକୁ ନଷ୍ଟ କରାଯାଇଛି। ପୂଜା ସମୟରେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଏହି ମଦ ପ୍ରସ୍ତୁତି ହେଉଥିଲା। ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ସାଲିଆସାହିରେ ବେଆଇନ ମଦ କାରଖାନା ଠାବ କରାଯାଇ ମଦମାଫିଆଙ୍କ ଘର ମଧ୍ୟ ଭଙ୍ଗାଯାଇଛି। ତଥାପି ମଦ ପ୍ରସ୍ତୁତିରେ ରୋକ୍ ଲାଗୁନାହିଁ।
୬ହଜାର ଲିଟର ମଦ ଜବତ, ୨ମହିଳାଙ୍କ ସମେତ ୪ଗିରଫ
ନଷ୍ଟ କରାଗଲା ୧୬ହଜାର ଲିଟର ପୋଚ
ଆଜି ସକାଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ବିଭାଗର ଅଧିକାରୀମାନେ ସାଲିଆସାହିରେ ଚଢ଼ଉ କରିଥିଲେ। ପାଖପାଖି ଥିବା ୫ଟି ଘରେ ମଦ ପ୍ରସ୍ତୁତି ହେଉଥିବା ଜଣାପଡ଼ିଥିଲା। ଏହାକୁ ଯାଞ୍ଚ କରିବାରେ ବିପୁଳ ପରିମାଣର ପୋଚ ଓ ମଦ ଭର୍ତ୍ତି ହାଣ୍ଡି, ଶତାଧିକ ଗୁଡ଼ଟିଣ ଜବତ କରାଯାଇଥିଲା। ଏହି ଘରେ ବଡ଼ବଡ଼ କୁଣ୍ଡ ନିର୍ମାଣ କରାଯାଇ ଏଥିରେ ପୋଚ ସଂରକ୍ଷିତ ରଖାଯାଇଥିଲା। ୨୦ରୁ ଅଧିକ ଗ୍ୟାସ୍ ଚୁଲା ଉପରେ ହାଣ୍ଡିକୁ ଥାକ ମାରି ମଦ ପ୍ରସ୍ତୁତି ହେଉଥିଲା। ବର୍ଜ୍ୟ ପାଣି ବାହାରିବା ଲାଗି ଘର ବାହାରକୁ ପାଇପ୍ ମଧ୍ୟ ବାହାରିଥିଲା। ମଦକୁ ନେଇ ୩୦ରୁ ଅଧିକ ନୀଳ ଡ୍ରମ୍ରେ ଗଚ୍ଛିତ କରି ରଖାଯାଇଥିଲା। ଏହି ମଦ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ବେଳେ ଏଥିରେ ୟୁରିଆ ମିଶାଯାଉଥିଲା। ଚଢ଼ଉରେ ଉପଅଧୀକ୍ଷକ ରାଜଶେଖର, ଇନସ୍ପେକ୍ଟର ନବସ୍ମିତା ନାୟକ ଓ ସୌମ୍ୟରଂଜନ ସିଂହଭୋଇ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/28/sfhfshfhsfsf-2025-09-28-03-06-00.jpg)