ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ଗଳିତ ଶବ

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର ସନ୍ଦେହ

ଭୁବନେଶ୍ବର: ଆଜି ରୁଚିକା ମାର୍କେଟ୍ ନିକଟସ୍ଥ ମହାବୀର ବସ୍ତିର ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଶବଟି ସଂପୂର୍ଣ୍ଣ ପଚି ଯାଇଥିବାରୁ ପୁଲିସ ମୃତଦେହର ପରିଚୟ ପାଇନଥିବା ବେଳେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ହାତରେ ଲାଗିଥିବା କିଛି ପ୍ରମାଣ ଏବଂ ବନ୍ଦ ଘରେ ତାଲା ପଡ଼ିବାକୁ ନେଇ ଏହା ହତ୍ୟା ବୋଲି ପୁଲିସ ଏକପ୍ରକାର ନିଶ୍ଚିତ ହୋଇଥିଲେ ବି କିଏ, କେମିତି ଓ କେଉଁ କାରଣରୁ ଯୁବତୀଙ୍କୁ ହତ୍ୟା କଲା, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଯୁବତୀକୁ ହତ୍ୟା କରି ତା’ର ପ୍ରେମିକ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଭରତପୁର ଥାନା ପୁଲିସ ଯୁବତୀର ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବାବେ‌ଳେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

୪ ଦିନ ହେଲା ଆସୁଥିଲା ପଚା ଗନ୍ଧ
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ୪ଦିନ ହେବ ଏହି ବନ୍ଦ ଘରୁ ପଚା ଗନ୍ଧ ଆସୁଥିଲେ ବି ଜୀବଜନ୍ତୁର ମୃତ୍ୟୁ ହୋଇଥିବା ଭାବି କେହି ଗୁରୁତ୍ବ ଦେଉନଥିଲେ। ମାତ୍ର ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗନ୍ଧ ଅସହ୍ୟ ହେବାରୁ ସ୍ଥାନୀୟ ଲୋକେ ଭରତପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କବାଟ ଖୋଲିବାରୁ ଯୁବତୀଙ୍କ ଗଳିତ ଶବ ମିଳିଥିଲା। ପରେ ଫୋରେନ୍‌ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରିଥିଲା। ପୁଲିସ ଘରୁ ଏକ ଓଢ଼ଣୀ ଜବତ କରିଥିବା ବେଳେ କବାଟରେ ପଡ଼ିଥିବା ତାଲାକୁ ମଧ୍ୟ ଜବତ କରିଛି। ଯୁବତୀଙ୍କୁ ହତ୍ୟା ପରେ କବାଟ ତାଲା ପକାଇ ଫେରାର୍ ହୋଇଥିବା ଯୁବକର ଟିପଚିହ୍ନ ଥିବା ସନ୍ଦେହରେ ଉକ୍ତ ତାଲାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ନିଆଯାଇଛି।

୧୫ଦିନ ତଳେ ନିଜକୁ ଦମ୍ପତି ଦର୍ଶାଇ ଘରଭଡ଼ା ନେଇଥିଲେ
୧୫ଦିନ ତଳେ ଜଣେ ୩୦/୩୨ ବର୍ଷ ବୟସର ଯୁବକ ଏବଂ ୨୨/୨୩ ବର୍ଷର ଯୁବତୀ ନିଜକୁ ଦମ୍ପତି ଦର୍ଶାଇ ଘରଭଡ଼ା ନେବାକୁ ଆସିଥିଲେ। ଘର ମାଲିକ ସେମାନଙ୍କୁ ପରିଚୟପତ୍ର ମାଗିବାରୁ ଉଭୟ ସ୍ଥାନୀୟ ଜାଗମରାର ବାସିନ୍ଦା କହିବା ସହିତ ପରେ ଭୋଟର୍ ପରିଚୟପତ୍ର ଦେବେ ବୋଲି କହିଥିଲେ। ଘର ମାଲିକ ବି ଏଥିପ୍ରତି ଏତେଟା ଗୁରୁତ୍ବ ନ ଦେଇ ସେମାନଙ୍କୁ ନିଜ ଘରର ଚାବି ଦେଇ ଦେଇଥିଲେ। ଉଭୟ ଦିନ ତମାମ୍ ଘରୁ ବାହାରେ କୌଣସି କାମରେ ଯିବା ପରେ ରାତିରେ ଘରକୁ ଫେରୁଥିଲେ। କିଛିଦିନ ଏମିତି ଏକାଠି ରହିବା ପରେ ଗତ ୪/୫ଦିନ ହେଲା ଘର କବାଟରେ ତାଲା ପଡ଼ି ରହିଥିଲା। ଏହା ପରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଘର ମାଲିକଙ୍କୁ ଖବର ଦେଇଥିଲେ। ତେଣୁ ଘର ମାଲିକ ବିନା ପରିଚୟପତ୍ରରେ କେମିତି ଏହି ଅପରିଚିତ ଯୁବକ/ଯୁବତୀଙ୍କୁ ଭଡ଼ା ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭିସେରା ପରୀକ୍ଷାରୁ ହେବ କି ହତ୍ୟାର ପର୍ଦ୍ଦାଫାସ୍?
ଶବଟି ପଚିସଢ଼ି ଯାଇଥିବାରୁ କେବଳ ବ୍ୟବଚ୍ଛେଦରୁ ହତ୍ୟାର କାରଣ ଜାଣିବା ସହଜ ହେବ ନାହିଁ। ତେଣୁ ଶବର ଭିସେରା ପରୀକ୍ଷା କରାଯିବ ବୋଲି ଫୋରେନ୍ସିକ ଟିମ୍‌ର ଜଣେ ବରିଷ୍ଠ ସଦସ୍ୟ ସୂଚନା ଦେଇଛନ୍ତି। ଏଥିପାଇଁ ଶବର ଆଭ୍ୟନ୍ତରୀଣ ଅଙ୍ଗର କିଛି ଅଂଶ କଟାଯାଇ ଲ୍ୟାବ୍‌କୁ ପଠାଯିବ। ବିଭିନ୍ନ କେମିକାଲ୍‌ରେ ପକାଇ ତା’ର ପରୀକ୍ଷଣ ପରେ ସ୍ପଷ୍ଟ ହେବ ଯେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି ନା ଅଲଗା କିଛି କାରଣ ରହିଛି।

ସମ୍ବନ୍ଧିତ ଖବର