ଭୁବନେଶ୍ବର : ଅଶାନ୍ତ ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ରସୁଲଗଡ଼ ଛକ ନିକଟରେ ଛୁରାମାଡ଼ରେ ଗୁରୁତର ହୋଇଥିବା ସନ୍ତୋଷ ରାଉତ ଓରଫ୍ କାଳିଆ ନନାଙ୍କର ରବିବାର ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ ସହିଦନଗର ଥାନାରେ ରୁଜୁ ହୋଇଥିବା ହତ୍ୟା ଉଦ୍ୟମ ମାମଲା ହତ୍ୟାକୁ ପରିବର୍ତ୍ତନ ହୋଇଛି। ପୁଲିସ ଅଭିଯୁକ୍ତକୁ ଧରିବା ଲାଗି ଜୋରଦାର ତନାଘନା ଆରମ୍ଭ କରିଛି। କେନ୍ଦ୍ରାପଡ଼ା, ଭୁବନେଶ୍ବର ସମେତ ତିନୋଟି ଜାଗାରେ ଚଢ଼ଉ କରାଯାଇଛି। କିନ୍ତୁ ଅଭିଯୁକ୍ତର ଟେର୍ ମିଳି ନ ଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତ ୩ ତାରିଖ ରାତିରେ ସନ୍ତୋଷ ରସୁଲଗଡ଼ ଛକ ତାରିଣୀ ମନ୍ଦିର ନିକଟରେ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ପେଟକୁ ଦୁଇଥର ଛୁରି ଭୁସି ଦେଇଥିଲା। ସନ୍ତୋଷଙ୍କର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛୁରାମାଡ଼ କରିଥିବା ଦୁର୍ବୃତ୍ତ ସନ୍ତୋଷଙ୍କର ଦୁଇଟି ସୁନାଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୁଲିସ ସୂଚନା ଅନୁସାରେ, ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି। ତା’ ସମ୍ପର୍କରେ ସୁରାକ୍ ମିଳିଛି। ଘଟଣା ଦିନ ଦୁର୍ବୃତ୍ତ ସହ ସନ୍ତୋଷଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସେ ଛୁରାମାଡ଼ କରିଥିଲା। ଏହା ପଛରେ ଷଡ଼୍‌ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ପ୍ରକୃତ ରହସ୍ୟ ଜଣାପଡ଼ିବ ଓ ହତ୍ୟା ପଛର ଉଦ୍ଦେଶ୍ୟ ସ୍ପଷ୍ଟ ହେବ ବୋଲି ଅଧିକାରୀଜଣକ କହିଛନ୍ତି।  ରବିବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ଗତ କିଛି ଦିନ ହେଲା ଡକାୟତି, ରାହାଜାନି, ଚୋରି, ଲୁଟ୍, ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।