ସଂଘର୍ଷର ଅନ୍ୟନାମ ବାଦାମବାଡ଼ିର ଚଷମାବାଲୀ ସାୟେରା, ନିଆଳିର ନଦୀବନ୍ଧ ଏବେ ଶେଷ ଆଶ୍ରୟ

ଲୋଡ଼ୁଛନ୍ତି ସହାୟତାର ହାତ

ଭୁବନେଶ୍ୱର : ଘରେ ୨୯ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ। ପୁଅକୁ ଜଗି ଜଗି ସ୍ବାମୀ ବି ଏକପ୍ରକାର ମାନସିକ ବିକାରଗ୍ରସ୍ତ। ତେଣୁ ସ୍ବାମୀ, ପୁଅ ଓ ଦୁଇ ଝିଅଙ୍କୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ବର୍ଷ ହେଲା ଘରୁ ଗୋଡ଼ କାଢ଼ିଥିଲେ ସାୟେରା ଖାତୁନ୍‌। ସ୍ବାମୀଙ୍କ ଚଷମା ବେପାରକୁ ନିଜେ ଚଳାଇଲେ। କଟକ ବାଦାମବାଡ଼ିରେ ଅସ୍ଥାୟୀ ଚଷମା ଦୋକାନରୁ ହେଉଥିବା ଆୟରୁ କିଛି ବି ସଞ୍ଚି ହେଉନଥିଲା। କିନ୍ତୁ ପରିବାର ପେଟ ଅପୋଷା ରହୁନଥିଲା। ଏମିତିରେ ପରିବାରର ମଙ୍ଗ ବୋହୁ ବୋହୁ ସେ ପାଲଟି ଯାଇଥିଲେ ଚଷମାବାଲୀ ସାୟେରା ଖାତୁନ୍‌ (୪୯)। କିନ୍ତୁ ତାଙ୍କ ସଂଘର୍ଷର ଅନ୍ତ ଘଟିନାହିଁ। ଶେଷରେ ମହାମାରୀ କରୋନା ତାଙ୍କୁ ନଦୀବନ୍ଧରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ କରିଛି।

ବଞ୍ଚିବା ପାଇଁ ତାଙ୍କ ସଂଘର୍ଷ ସରି ନଥିବା ବେଳେ ହଠାତ୍ ମାଡ଼ି ଆସିଲା ମହାମାରୀ କରୋନା। ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ପାଇଁ ବେପାର ଉଜୁଡ଼ିଗଲା। ବେପାର ବନ୍ଦ ହୋଇଯିବା ପରେ କଟକ ନିମସାହିରେ ରହୁଥିବା ଘରର ଭଡ଼ା ଦେଇପାରିଲେ ନାହିଁ। ପୁଅ ଓ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ବି ଯୋଗାଡ଼ କରିପାରିଲେ ନାହିଁ। ଶେଷରେ ସ୍ଥିତି ଏମିତି ହେଲା ଯେ ଭଡ଼ା ଘର ଛାଡ଼ିବାକୁ ସେ ବାଧ୍ୟ ହେଲେ। ଏକ ନିରାପଦ ଆଶ୍ରୟ ଖୋଜି ଖୋଜି ପହଞ୍ଚିଲେ ନିଆଳିରେ। ସ୍ଥାନୀୟ କିଛି ଯୁବକଙ୍କ ସହଯୋଗରେ ନଦୀବନ୍ଧରେ ଅସ୍ଥାୟୀ ଘରଟିଏ କରି ରହୁଛନ୍ତି। ମୁଣ୍ତ ଗୁଞ୍ଜିବାକୁ ଜାଗା ମିଳିଗଲା ସିନା, ରୋଜଗାର ବନ୍ଦ ଥିବାରୁ ପରିବାରର ଭରଣପୋଷଣ ହୋଇପାରୁନାହିଁ। ପୁଅ ଓ ସ୍ବାମୀଙ୍କ ଔଷଧ ପାଇଁ ଧାରକରଜରେ ବୁଡ଼ିଗଲେଣି। ତଥାପି ହାରି ନାହାନ୍ତି ସାୟେରା। ସ୍ଥାୟୀ ରୋଜଗାର ପାଇଁ ପୁଣି ଚଷମା ଦୋକାନ ଚଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମାତ୍ର ସମ୍ବଳ ଅଭାବରୁ ହାତବାନ୍ଧି ବସିଛନ୍ତି। ଧାରକରଜରେ ବୁଡ଼ି ରହିଥିବାରୁ ଆଉ କାହାକୁ ହାତ ପାତିବାକୁ ଆଉ ତାଙ୍କର ଜୁ’ ନାହିଁ। ତେଣୁ ଏବେ କେବଳ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ହିଁ ତାଙ୍କ ସାହାଭରସା। ଏହା ଭିତରେ ବହୁ ଲୋକଙ୍କ ନିକଟରେ ସେ ନେହୁରା ହୋଇଛନ୍ତି। କିନ୍ତୁ କୌଣସି ସହୃଦୟ ବ୍ୟକ୍ତିଙ୍କ ନଜର ତାଙ୍କ ଉପରେ ପଡ଼ିନାହିଁ।

ସାୟେରାଙ୍କ କହିବା କଥା ସ୍ବାମୀ ବାବୁଲ୍‌ ହୁସେନ୍‌ (୬୦) ଓ ଏକମାତ୍ର ପୁତ୍ର ଜାଭେଦ୍‌ ହୁସେନ୍‌ (୨୯) ଦୀର୍ଘ ବର୍ଷ ତଳୁ ମାନସିକ ବିକାରଗ୍ରସ୍ତ। ଚଷମା ବେପାରରୁ କିଛି କିଛି ସଞ୍ଚି ପୁଅକୁ ଭଲ କରିବା ପାଇଁ ସେ ରାଞ୍ଚି ମାନସିକ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିଲେ, କିନ୍ତୁ କିଛି ଲାଭ ହେଲାନି। ଏବେ ସେ କଟକ ପୁରୀଘାଟରୁ ପୁଅ ପାଇଁ ଔଷଧ ନେଉଛନ୍ତି। ଏ ପର୍ଯ୍ୟନ୍ତ ବନ୍ଧୁ ବାନ୍ଧବଙ୍କ ସୂତ୍ରରୁ ସାହାଯ୍ୟ ପାଇ ପେଟ ପୋଷି ହେଉଛି, କିନ୍ତୁ ସବୁଦିନ ହାତ ଟେକାକୁ ଚାହିଁ ବଞ୍ଚିବା ସମ୍ଭବ ହେବ ନାହିଁ। ଦୋକାନଟିଏ ଖୋଲି ପାରିଲେ, ସେଇଥିରେ ପରିବାରକୁ ଚଳେଇ ପାରନ୍ତେ। ତାଙ୍କୁ ଦୋକାନ ବାବଦରେ ସହଯୋଗ କରିବା ପାଇଁ ବଦାନ୍ୟ ବ୍ୟକ୍ତିମାନେ ତାଙ୍କ ମୋବାଇଲ୍‌ ନମ୍ବର ୯୭୭୭୭୬୯୪୮୪ରେ ଯୋଗାଯୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର