ଆନ୍ଦୋଳନର ଅନ୍ୟ ନାମ ଅବନୀ

ଅବନୀ ବରାଳ ସମ୍ମାନ ଉତ୍ସବ -୨୦୨୩

ଭୁବନେଶ୍ବର: ଛାତ୍ର, ଶିକ୍ଷକ ଓ ଶ୍ରମିକ ସମସ୍ତଙ୍କ ହକ୍‌ ଓ ଅଧିକାର ପାଇଁ ଲଢ଼େଇ କରିଥିବା ‌ବ୍ୟକ୍ତି ହେଉଛନ୍ତି ଅବନୀ ବରାଳ। ଶିକ୍ଷା, ଭାଷା, ସାହିତ୍ୟ, ଓଡ଼ିଆ ଜାତି, ଓଡ଼ିଆ ସଂସ୍କୃତି, କଳା ଜଗତର ସମୃଦ୍ଧି ପାଇଁ ତାଙ୍କ ସଂଗ୍ରାମ ମଧ୍ୟ କିଛି କମ ନଥିଲା। ‌ତାଙ୍କ ଆନ୍ଦୋଳନ ହିଁ ଶିକ୍ଷକ ସମାଜ ପାଇଁ ସମ୍ମାନ ଓ ସୁରକ୍ଷା ଆଣିଥିଲା। ତେଣୁ ଆନ୍ଦୋଳନର ଅନ୍ୟନାମ ଅବନୀ କହିଲେ ଭୁଲ୍‌ ହେବନାହିଁ। ଶନିବାର ଜୟଦେବ ଭବନରେ ଅନୁଷ୍ଠିତ ତାଙ୍କ ୮୯ ତମ ଜୟନ୍ତୀ ଅବସରରେ ‘ଅବନୀ ବରାଳ ସମ୍ମାନ ଉତ୍ସବ -୨୦୨୩’ ରେ ଯୋଗ ଦେଇ ଅତିଥିମାନେ ଏହା କହିଛନ୍ତି।

ଅନୁଷ୍ଠାନର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲଚନ୍ଦ୍ର ଘଡ଼େଇ କହିଥିଲେ ଯେ ଶିକ୍ଷା କ୍ଷେତ୍ର ପାଇଁ ଅବନୀ ବାବୁଙ୍କ ଅବଦାନ ଅତୁଳନୀୟ। ତାଙ୍କୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ। ଛାତ୍ର, ଶ୍ରମିକ, ଶିକ୍ଷକ ସମସ୍ତଙ୍କ ପାଇଁ ସେ ଜୀବନସାରା ଲଢ଼ିଥିଲେ। ‘ଅନନ୍ୟ ଅବନୀ ବରାଳ’ ଶୀର୍ଷକ ଆଲୋଚନାର ମୁଖ୍ୟବକ୍ତା ଗାଳ୍ପିକ ସୁନୀଲ୍‌ ବୋଷ କହିଥିଲେ ଯେ ଅବନୀ ସା‌ର୍‌ ଗଳ୍ପରେ ଅନେକ କଥା ପରୀକ୍ଷା କରିଛନ୍ତି। ମଞ୍ଚକନ୍ୟା, ଉତ୍ତର ବସନ୍ତ ଭଳି ଗଳ୍ପ ତାଙ୍କର କାଳଜୟୀ ଲେଖା।

ଏଭଳି ଲେଖା ସିନେମାର ରୂପ ନେବା ଆବଶ୍ୟକ। ଓଡ଼ିଶାର ସିନେ ନିର୍ଦ୍ଦେଶକମାନେ ଏଭଳି ମୌଳିକ କାହାଣୀକୁ ଅଣଦେଖା କରିବ‌ା ଦୁଃଖର ବିଷୟ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଓଷ୍ଟାର ସମ୍ପାଦକ ରଞ୍ଜନ କୁମାର ଦାସ ଓ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ସାଧାରଣ ସମ୍ପାଦକ ପ୍ରକାଶଚନ୍ଦ୍ର ଜେନା କହିଥିଲେ ଯେ ଶିକ୍ଷକମାନେ ନିଜ ଅଧିକାର ପାଇଁ ଲଢ଼ି ସଫଳତା ପାଇଲେ ଯାଇ ଅବନୀ ସାର୍‌ଙ୍କ ଆତ୍ମାକୁ ଶାନ୍ତି ମିଳିବ। ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷକମାନେ ଏକାଠି ହୋଇ ଅବନୀ ବାବୁଙ୍କ ପରି ଲଢ଼ିପାରିଲେ ହିଁ ତାଙ୍କ ପ୍ରତି‌ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସେ ଶିକ୍ଷକମାନଙ୍କ ପାଇଁ ଯେଉଁ ସମ୍ମାନ ଓ ସୁରକ୍ଷା ଆଣି ଦେଇଥିଲେ ତା’କୁ ବଜାୟ ରଖିବାକୁ ହେବ। ମଞ୍ଚରେ‌ ବେଣୁଧର ଦାସ, ଧୀରେନ୍ଦ୍ର କୁମାର ‌ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସରଳ କୁମାର ଦାସ, ମାଧବ ବିଶ୍ବାଳ, ସୂରଜ କୁମାର ଜେନା, ଅଜିତ୍‌ ଦାସଙ୍କୁ ଚଳିତ ବର୍ଷର ‘ଅବନୀ ବରାଳ ସମ୍ମାନ -୨୦୨୩’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଚେୟାର୍‌ମ୍ୟାନ୍‌ ପ୍ରଦୋଷ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଧୀରେନ୍ଦ୍ର କୁମାର ଜେଠୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ପାଇଁ ଶୋକ ପାଳନ କରାଯାଇଥିବା ବେଳେ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

ସମ୍ବନ୍ଧିତ ଖବର