ଭୁବନେଶ୍ବର: ସାଙ୍ଗକୁ କାଠ ଫାଳିଆରେ ପିଟି ହତ୍ୟା ଘଟଣାରେ ମୈତ୍ରୀବିହାର ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା ବଡ଼ପଥର ଅଞ୍ଚଳର ସୁନାରାମ ମୁର୍ମୁ ଓରଫ ସୋନୁର୍‌(୨୨)। ଗିରଫ କରିବା ପରେ ସିନ୍‌-ରିକ୍ରିଏସନ୍‌ ପାଇଁ ପୁଲିସ ତାକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇଥିଲା। ସେ ଓ ଅନ୍ୟତମ ଅଭିଯୁକ୍ତ ବିଶ୍ବନାଥ କିପରି ସୁଶୀଲ ହେମ୍ବ୍ରମ୍‌ଙ୍କୁ ହତ୍ୟା କରି ଶବକୁ ରାତାରାତି ଗାଏବ କରିବାକୁ ଯୋଜନା କରିଥିଲେ ଓ ଭୋର୍‌ ହୋଇଯିବାରୁ ଶବକୁ ଛାଡ଼ି ଫେରାର୍‌ ହୋଇଯାଇଥିଲେ, ତାହା ସେ ପୁଲିସକୁ ଦେଖାଇଥିଲା। ସିନ୍‌ ରିକ୍ରିଏସନ୍‌ ସରିବା ପରେ ପୁଲିସ ତାକୁ ଥାନାକୁ ଆଣି ବିଭିନ୍ନ ଦିଗ ଉପରେ ପଚରାଉଚରା କରିବା ପରେ କୋର୍ଟଚାଲାଣ କରିଛି।

Advertisment

ସୂଚନା ମୁତାବକ, ସୁଶୀଲ, ବିଶ୍ବନାଥ ଓ ସୋନୁର୍‌ ଭୟୂରଭଂଜରୁ ଆସି ସାଲିଆସାହିରେ ରହୁଥିଲେ। ଏଠାରେ ଶ୍ରମିକ ଭାବେ କାମ କରୁଥିଲେ। କିଛି ଦିନ ତଳେ କୌଣସି କାରଣକୁ ନେଇ ସୋନୁର୍‌ ଓ ସୁଶୀଲଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ଦିନଠାରୁ ଦୁହିଁଙ୍କ ଭିତ‌ରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ଗତ ୧୬ ରାତିରେ ସୁଶୀଲ କୁକୁଡ଼ା ମାଂସ ରାନ୍ଧିଥିବା ବେଳେ ସୋନୁର୍‌ ଓ ବିଶ୍ବନାଥ ତାଙ୍କ ଘରକୁ ଆସି ମଦ ପିଇବା ସହ ତରକାରି ଖାଇ ଦେଇଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟ ଭୀଷଣ ପାଟିତୁଣ୍ଡ ହୋଇଥିଲା। ସେହିଦିନ ରାତି ପାଖାପାଖି ୩ଟା ବେଳେ ଦୁଇଭାଇ ସୁଶୀଲଙ୍କୁ ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିଲେ। ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଥମେ ବିଶ୍ବନାଥକୁ ଗିରଫ କରିଥିଲା। ସୋନୁର୍‌ ଫେରାର୍‌ ଥିଲା। ବୁଧବାର ବିଳମ୍ବିତ ରାତିରେ ସେ ବସ୍ତିରୁ ଜିନିଷ ଧରି ଫେରାର୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।