୧୦ବର୍ଷ ପରେ ଆଦିବାସୀ ଯୁବତୀଙ୍କ ମୁହଁ ଖୋଲିଲା

ଏମ୍‌ସରେ ଆଉ ଏକ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର : ୧୦ବର୍ଷ ଧରି ମୁହଁ ଖୋଲି ପାରୁ ନ ଥିବା ଜଣେ ଆଦିବାସୀ ଯୁବତୀ ଅସ୍ତ୍ରୋପଚାର ଫଳରେ ଏକ ନୂଆ ଜୀବନ ପାଇଛନ୍ତି। ୧୯ବର୍ଷିୟା ଏହି ଯୁବତୀ ଜଣକ ଟିଏମ୍‌ଜେ ଆଙ୍କାଇଲୋସିସ୍ (ତଳ ହନୁହାଡ଼ର ଖପୁରୀ ସହିତ ବିଲୟ) ନାମକ ଏକ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍‌ସରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି। ପ୍ରତିରୋପଣ ବାବଦ ୧ଲକ୍ଷ ଟଙ୍କାକୁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବହନ କରାଯାଇଥିବା ସୂଚନା ମିଳିଛି।

ରାଜଗାଙ୍ଗପୁର ଅଞ୍ଚଳର ଏହି ଯୁବତୀଙ୍କୁ ପାଟି ଖୋଲିବାରେ ସମସ୍ୟା ହେଉଥିଲା। ଏଥିପାଇଁ ସେ ଅନେକ ଡାକ୍ତର ଓ ଡାକ୍ତରଖାନାର ପରାମର୍ଶ ନେଇଥିଲେ ହେଁ ପ୍ରତିଥର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଚଳିତମାସ ପ୍ରଥମ ସପ୍ତାହରେ ସେ ଏମ୍‌ସ ଭୁବନେଶ୍ବରରେ ପରାମର୍ଶ ନେବାକୁ ଆସିଥିଲେ। ଆଘାତ ଓ ଜରୁରୀକାଳୀନ ବିଭାଗର ଡା.କିରଣ କୁମାର ବୋୟିନା, ପ୍ଲାଷ୍ଟିକ୍ ଶଲ୍ୟ ଚିକିତ୍ସକ ଡା.ରିତେଶ ପଣ୍ଡା ଓ ଦନ୍ତ ଚିକିତ୍ସା ବିଭାଗର ଡା.ସୌଭିକ ଦାସୁକିଲଙ୍କୁ ନେଇ ଗଠିତ ଟିମ୍ ବିଲୀନ ହାଡ଼କୁ ବାହାର କରିବା ସହିତ ଗଣ୍ଠି ସହିତ ଏହାର ସଫଳ ଅସ୍ତ୍ରୋପଚାର କରିଥିଲେ। କୃତ୍ରିମ ଗଣ୍ଠି ଆକାରରେ ଏକ ଟାଇଟାନିୟମ ପ୍ରତିରୋପଣ ବ୍ୟବହାର କରାଯାଇଥିଲା। ଏଥିପାଇଁ ନିଶ୍ଚେତକ ମଧ୍ୟ ଅତ୍ୟନ୍ତ ଜଟିଳ ରହିଥିଲେ ହେଁ, ଡା.ସୁମା ଅହମ୍ମଦ ଏହାକୁ ଠିକ୍ ଭାବେ ସଂପାଦନ କରିଥିଲେ।

ଡା.ବୋୟିନା କହିଛନ୍ତି, ୧୦ବର୍ଷ ପୂର୍ବରୁ ଏହି ଯୁବତୀର କାନ ସଂକ୍ରମଣ ହୋଇଥିଲା। ଯେଉଁଥିପାଇଁ ହାଡ଼ଗୁଡ଼ିକ ବିଲୟ ହୋଇଯିବା ସହିତ ପାଟି ଖୋଲିବା ଧୀରେ ଧୀରେ କମି ଯାଇଥିଲା। ସେହିଦିନଠାରୁ ସେ କଠିନ ଖାଦ୍ୟ ବଦଳରେ ତରଳ ଖାଦ୍ୟ ଖାଇ ଆସୁଥିଲା। ଟିଏମ୍‌ଜେ ଏକ ଗଣ୍ଠି। ଯାହାକି ଖାଇବା ଓ କଥାବାର୍ତା କରିବା ସମୟରେ ତଳ ହନୁ ହାଡ଼କୁ ଘୁଞ୍ଚାଇଥାଏ। ଆଘାତ ଓ ଜରୁରୀକାଳୀନ ବିଭାଗର ମୁଖ୍ୟ ତଥା ପ୍ରଫେସର ଡା.ତୁଷାର ଏସ୍‌ ମିଶ୍ର କହିଛନ୍ତି, ଟିଏମ୍‌ଜେ ପ୍ରତିରୋପଣ ପାଇଁ ଦକ୍ଷତା ଓ ସମୟର ଆବଶ୍ୟକତା ରହିଛି। ଅସ୍ତ୍ରୋପଚାର ଦଳ ଏହାକୁ ସଫଳତାର ସହ ସଂପୂର୍ଣ୍ଣ କରିଥିବା ସେ କହିଛନ୍ତି। ଏହି ଅବସରରେ ଏମ୍‌ସ ଭୁବନେଶ୍ବର ନିର୍ଦେଶକ ଡା.ଗୀତାଞ୍ଜଳି ବି., ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି ଅସ୍ତ୍ରୋପଚାର ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ସାମିଲ କରାଗଲେ ଗରିବ ଲୋକମାନେ ଅଧିକ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର