୯,୦୭,୧୯୪ ଟାର୍ଗେଟ୍, ନେଲେଣି ୩ଲକ୍ଷ ୨୦ଜଣ
୧୮ରୁ ୪୪ବର୍ଷ ୮୪% ଟିକା ଅପେକ୍ଷାରେ
୪୫ବର୍ଷରୁ ଊର୍ଦ୍ଧ୍ବ ୮୫% ନେଲେଣି ପ୍ରଥମ ଡୋଜ୍
ଦ୍ବିତୀୟ ଡୋଜ୍ ନେବାକୁ ଅପେକ୍ଷାରେ ୫୮%
କୌଣସି ବର୍ଗରେ ବି ଦ୍ବିତୀୟ ଡୋଜ୍ ଶତପ୍ରତିଶତ ହୋଇନି
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୬୩,୧୭୦ ଡୋଜ୍ ଅଛି
ଅନ୍ୟମାନଙ୍କ ପାଇଁ ଅଛି ୩,୫୦,୯୭୦ ଡୋଜ୍
ଭୁବନେଶ୍ବର,(ବିଶ୍ବଜିତ ଦାଶ ) : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ଟିକା ନେବାକୁ ଲୋକଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି। ଯେଉଁମାନେ ଟିକା ନେବାକୁ ମୁହଁ ମୋଡ଼ୁଥିଲେ ସେମାନେ ଏବେ କିପରି ସ୍ଲଟ୍ ବୁକିଂ କରି ହେଉ କି ଗଳିପଶି ଟିକା ନେଇଯିବେ ସେହି ଚକ୍କରରେ ରହିଲେଣି। ଏପଟେ ରାଜଧାନରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ହଜାର ଟପିଥିବାରୁ ବିଏମ୍ସି ବି କମ୍ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛି। ରାଜଧାନୀରେ ଦୈନିକ ପ୍ରାୟ ୧୫ହଜାରରୁ ୧୮ହଜାର ଲୋକଙ୍କୁ ୪୬ଟି କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଉଛି। ହେଲେ ଏବେ ସୁଦ୍ଧା ଅଧା ଲୋକ ବି ଟିକା ନେଇନାହାନ୍ତି। ରାଜଧାନୀରେ ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ୧୮,୧୪,୩୮୮ ଡୋଜ୍ କୋଭାକ୍ସିନ୍ ଟିକା ଦେବାକୁ ବିଏମ୍ସି ଟାର୍ଗେଟ୍ ରଖିଛି। ହେଲେ ୧୩ତାରିଖ ସୁଦ୍ଧା ୩ଲକ୍ଷ ୨୦ଜଣଙ୍କୁ ମାତ୍ର ୬ଲକ୍ଷ ୪୦ଟି ଟିକା ଦିଆଯାଇଛି।୧୪ରୁ ୧୬ ତାରିଖ ମଧ୍ୟରେ ପ୍ରାୟ ୧୦ହଜାର ଲୋକଙ୍କୁ ଟିକା ଦିଆଯାଇଥିବାରୁ ଏବେବି ପ୍ରାୟ ୬ଲକ୍ଷ ଲୋକ ଟିକା ଅପେକ୍ଷାରେ ଅଛନ୍ତି।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏବେ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ପ୍ରାୟ ଏକ ସପ୍ତାହର ଟିକା ବାକି ଥିବାରୁ ରାଜଧାନୀରେ ଯୁବବର୍ଗଙ୍କ ପାଇଁ ଟିକା ସଙ୍କଟ ଦେଖାଯିବନି ତ ସେ ଆଶଙ୍କା ସୃଷ୍ଟି ହେଲାଣି। କିନ୍ତୁ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବରରେ ଟିକାର ଅଭାବ ଦେଖାଯିବନି। ଆମକୁ ପର୍ଯ୍ୟାପ୍ତ ପରିମାଣରେ କୋଭାକ୍ସିନ୍ ମିଳୁଛି। ଆମ ପାଖରେ ୧୮ରୁ ୪୪ବର୍ଷ ଓ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଅଧିକ ଟିକା ଥିବାରୁ ଆମେ ଅଧିକ ଶିବିର କରି ଯଥା ସମ୍ଭବ ଅଧିକ ଲୋକଙ୍କୁ ଟିକା ଦେବୁ। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମେ ୧ରୁ ଭୁବନେଶ୍ବରରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ହେଲେ ଏହି ଅଭିଯାନ ମେ ୩ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ପ୍ରଥମରୁ ଟିକା ନେବାକୁ ଲୋକ ବାଡ଼ିଆପିଟା ହେଉଥିବାବେଳେ ପ୍ରତି ଟିକାଦାନ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଜମୁଥିଲା। କିନ୍ତୁ ବିଏମ୍ସି ପକ୍ଷରୁ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ କରାଯିବା ପରେ ଏବେ ଟିକାଦାନ କେନ୍ଦ୍ରରେ ଭିଡ଼ ନାହିଁ। ବିନା ସ୍ଲଟ୍ ବୁକିଂରେ ଟିକା ମିଳୁନଥିବାରୁ ଅମାନିଆ ବି ଧାଡ଼ି ବାନ୍ଧୁନାହାନ୍ତି। ଯାହା ବିଏମ୍ସିକୁ ଓ ରାଜଧାନୀବାସୀଙ୍କୁ ଆଶ୍ବସ୍ତ କରିଛି।
/sambad/media/post_attachments/wp-content/uploads/2021/05/vvvvv.jpg)
ବିଏମ୍ସି କେଉଁ ୱାର୍ଡରେ କେତେ ଲୋକ ଅଛନ୍ତି, ଅଗାଧାଡ଼ିର କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରି ଟିକାଦାନ ଅଭିଯାନ ଆରମ୍ଭ କରିଥିଲା। ସ୍ବାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କର୍ମୀମାନେ ପ୍ରଥମ ଡୋଜ୍ ଶତ ପ୍ରତିଶତ ଟିକା ନେଇଥିବାବେଳେ ଅଧାରୁ ଅଧିକ ଦ୍ବିତୀୟ ଡୋଜ୍ ନେଇସାରିଲେଣି। ୧୮ରୁ ୪୪ବର୍ଷ ମଧ୍ୟରେ ୧୬% ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୪୫ବର୍ଷରୁ ଅଧିକ ବର୍ଗରେ ୮୫% ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ଏହି ବର୍ଗରେ ମାତ୍ର ୪୨% ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ତେଣୁ ଦ୍ବିତୀୟ ଡୋଜ୍ ଯେଉଁମାନଙ୍କର ବାକି ଅଛି ସେମାନଙ୍କୁ କିପରି ଟିକା ଠିକ୍ ସମୟରେ ମିଳିବ ଏବଂ ସେମାନେ ସୁବିଧାରେ ଟିକା ନେଇପାରିବେ ସେଥିପାଇଁ ବିଏମ୍ସି ଏବେ ବିଭିନ୍ନ ଯୋଜନା ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ଆଉ କିଛି କାର୍ଯ୍ୟକ୍ରମ ଆରମ୍ଭ ହେବ। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ବାହାର ଜିଲ୍ଲା ତଥା ପୁରୀ, କଟକ, ବିଏମ୍ସି ବାହାର ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ର ଲୋକମାନେ ଭୁବନେଶ୍ବର ଆସି ଟିକା ନେଇଯାଉଛନ୍ତି। ଅନଲାଇନ୍ରେ ସ୍ଲଟ୍ ବୁକିଂ ହେଉଥିବାରୁ କାହାର କେଉଁ କେନ୍ଦ୍ରରେ ଟିକା ନେବା ଉପରେ ବାରଣ ନାହିଁ। ଏହା ଆମ ନଜରକୁ ଆସିଛି। ସେହିପରି ସ୍ବାସ୍ଥ୍ୟ କର୍ମୀ ଓ ଆଗ ଧାଡ଼ିର କର୍ମୀଙ୍କ ପାଇଁ ଯେତିକି ଟିକା ଟାର୍ଗେଟ୍ ରଖାଯାଇଥିଲା ତା’ଠାରୂ ଅଧିକ ଲୋକ ଟିକା ନେଇଛନ୍ତି। ତେଣୁ ଆମେ ଯେତିକି ଟାର୍ଗେଟ୍ କରିଥିଲୁ ତା’ଠାରୁ ଅଧିକ କିଛି ଟିକା ବଢ଼ିପାରେ। ଏଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ। ଭୁବନେଶ୍ବରରେ ଯେପରି କାହାକୁ ଟିକାର ଅଭାବ ହେବନି ସେଥିପାଇଁ ଧ୍ୟାନ ଦିଆଯାଉଛି।
ଏବେ ୨୬ଟି ସରକାରୀ କେନ୍ଦ୍ର, ୫ଟି ଡ୍ରାଇଭ୍ ଇନ୍ ଟିକା କେନ୍ଦ୍ରରେ ସ୍ଲଟ୍ ବୁକିଂ କରି ଟିକାକରଣ କରାଯାଉଛି। ଏହାବାଦ୍ ୧୫ଟି ସ୍ଥାନରେ ଲୋକଙ୍କୁ ଟୋକନ୍ ଦେଇ ଟିକା ଦିଆଯାଉଛି। ଏହି ୧୫ଟି କେନ୍ଦ୍ରରେ ବସ୍ତି ଅଞ୍ଚଳର ବାସିନ୍ଦା, ବରିଷ୍ଠ ନାଗରିକ, ଆବାସିକ ସଂଘ, ଅସହାୟ ବ୍ୟକ୍ତି, କିଛି ଆଗଧାଡ଼ିର କର୍ମୀଙ୍କୁ ଟିକା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/vaccine-m21.jpg)