ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଛି ଓଡ଼ିଶା। ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ ଜାତୀୟସ୍ତରରେ ନିଜର ଦବ୍ଦବା ଜାହିର କରୁଛନ୍ତି। ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଦ୍ୟାଳୟ ମଧ୍ୟରେ ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଜି ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏଜୁକେସନ୍ ୱାଲ୍ର୍ଡ ଇଣ୍ଡିଆ ସ୍କୁଲ୍ ରୢାଙ୍କିଙ୍ଗ୍ ୨୦୨୦ର ଘରୋଇ ସ୍କୁଲ ବର୍ଗର ଡେ’ କମ୍ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଶ୍ରେଷ୍ଠ ସ୍କୁଲ୍ ମାନ୍ୟତା ପାଇ ଓଡ଼ିଶାର ଏକ ନମ୍ବର ସ୍କୁଲ ହୋଇପାରିଛି। ଯାହା ଆଗାମୀ ପିଢ଼ିର ସ୍କୁଲ ରୢାଙ୍କିଙ୍ଗ୍, ଏଡଫିନିଟି, ଆମେରିକା ଦ୍ୱାରା ପ୍ରଦାନ କରାଯାଇଛି।
ପୂର୍ବ ଭାରତରୁ ଏକମାତ୍ର ସ୍କୁଲ୍ ଭାବେ ସହବନ୍ଧିତ ହୋଇ କେ-୧୨ ଶୈକ୍ଷିକ କ୍ଷେତ୍ରରେ ପ୍ରବେଶ କରିଛି। ୨୦୧୯ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦେଶର ତୃତୀୟ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପାଇଥିଲା। ସ୍କୁଲ ପ୍ରତିଷ୍ଠିତ ହେବାର ୧୨ ବର୍ଷରୁ କମ୍ ବର୍ଗରେ ଦେଶର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ସ୍କୁଲ୍ ଭାବେ ପରିଚିତ ଲାଭ କରିଛି। ଏଜୁକେସନ୍ ୱାଲ୍ର୍ଡ ଇଣ୍ଡିଆ ସ୍କୁଲ୍ ରୢାଙ୍କିଙ୍ଗ୍ ସର୍ଭେ ସାଇ ଇଣ୍ଟରନ୍ୟାସନାଲ୍ ସହିତ ଦିଲ୍ଲୀ ଆରକେପୁରମ୍ସ୍ଥିତ ଡିପିଏସ୍ ଶ୍ରେଷ୍ଠ ସ୍କୁଲ୍ର ମାନ୍ୟତା ପ୍ରଦାନ କରିଛନ୍ତି। ରୢାଙ୍କିଙ୍ଗ୍ରେ ସମୁଦାୟ ୧୧ ହଜାର ୩୬୮ଜଣ ଶିକ୍ଷାବିତ୍, ପ୍ରିନ୍ସପାଲ୍, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକଙ୍କୁ ନେଇ ଦେଶର ଶ୍ରେଷ୍ଠ ୧୦୦୦ ସ୍କୁଲ ମଧ୍ୟରେ ଚୟନ କରାଯାଇଥିଲା। ଦିଲ୍ଲୀର ଏକ ଓପିନୟନ୍ ପୋଲ୍ ସଂସ୍ଥା ସି-ଫୋର ଗ୍ରୁପ୍ ଏହି ସର୍ଭେ କରିଥିଲା। ଶିକ୍ଷକ କଲ୍ୟାଣ ଓ ବିକାଶ, ଏକାଡେମିକ୍ ପ୍ରତିଷ୍ଠା, ଶିକ୍ଷକ ଦକ୍ଷତା, ନେତୃତ୍ୱ, ଭିତ୍ତିଭୂମି, ଜୀବନ କୌଶଳ, ସହ ପାଠ୍ୟକ୍ରମ ଓ କ୍ରୀଡ଼ା ଶିକ୍ଷା ପରି ୧୪ଟି ମାନଦଣ୍ଡକୁ ବିଚାରକୁ ନେଇ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍କୁ ଶ୍ରେଷ୍ଠ ସ୍କୁଲ୍ ଭାବେ ଚୟନ କରାଯାଇଛି।
ସାଇ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍ର ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ମେଣ୍ଟର ଡ. ବିଜୟ କୁମାର ସାହୁ କହିଛନ୍ତି। ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟସ୍ତରରେ ଏହା ଏକ ନୂଆ ପରିଚୟ ସୃଷ୍ଟି କରାଇବ। କରୋନା ସମୟରେ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରି ଛାତ୍ରଛାତ୍ରୀଙ୍କ ନିରବଚ୍ଛିନ୍ନ ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ଅନ୍ଲାଇନ୍ରେ ବ୍ୟବସ୍ଥା କରାଯାଇଥିଲା। ଯାହା କେବଳ ବିକାଶଶୀଳ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ନୁହେଁ, ବରଂ ଛାତ୍ର ଓ ଶିକ୍ଷକଙ୍କ ବହୁମୂଲ୍ୟ ଶିକ୍ଷା ପାଇଁ ପଥ ପରିଷ୍କାର କରିଛି।