ସମ୍ମମ୍‌ରେ ପୁଣି ଜଣେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ରେ ପୁଣି ଜଣେ ୬୫ ବର୍ଷ ବୟସ୍କ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ସଂପୃକ୍ତ ରୋଗୀ ଜଣକ ସେଣ୍ଟ୍ରାଲ୍ ସ୍କଲ ବେସ୍ ଓଷ୍ଟିଓମାଇଲିଟିଜ୍ ସମସ୍ୟାରେ ପୀଡ଼ିତ ଥିଲେ। ଇରାକୀ ନାଗରିକ ଅବ୍‌ଦୁଲ୍ ଖାଲେକ ଆବେଦ ଇମ୍ରାନ୍ ଅଲ୍ କନନ୍ ଏହି ଜଟିଳ ରୋଗରେ ପୀଡ଼ିତ ଥିଲେ। ଇରାକରେ ଏହି ରୋଗର ଚିକିତ୍ସା ସୁବିଧା ଉପଲବ୍ଧ ନ ଥିଲା। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହେବା ସହ ମୁଣ୍ଡରେ ଯନ୍ତ୍ରଣା ବଢ଼ିଥିଲା। ଇମ୍ରାନଙ୍କୁ ଭାରତ ଆଣି ସମ୍ମମ୍‌ରେ ଚିକିତ୍ସା କରାଇବା ନିମନ୍ତେ ତାଙ୍କ ପୁଅ ସାଫା ଅବ୍‌ଦୁଲ୍ ଖାଲେକ ଆବେଦ୍ ନିଷ୍ପତ୍ତି ନେଇଥିଲେ। ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରି ବିଭାଗର ସିନିୟର୍ କନ୍‌ସଲ୍‌ଟାଣ୍ଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଇମ୍ରାନ୍ ଏବେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି।

ରୋଗ ସମ୍ପର୍କରେ ଡାକ୍ତର ସାହୁ କହିଛନ୍ତି ଯେ ସେଣ୍ଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ ଏକ ବିରଳ ରୋଗ। ଏଥିରେ ଜୀବନ ପ୍ରତି ବିପଦ ଥାଏ। କାନ ଏବଂ ନାକରେ ଏହାର ସଂକ୍ରମଣ ହୋଇଥାଏ। ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ୍ ଯୋଗୁଁ ଏହି ସଂକ୍ରମଣ ହୋଇଥାଏ। କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଏବଂ ବହୁଳ ମାତ୍ରାରେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ସଂକ୍ରମଣର ଶିକାର ହୋଇଥାନ୍ତି ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର