ନନ୍ଦନକାନନରେ ମାଈ ସମ୍ବର ମୃତ, ଆଉ ରହିଲେ ୬ଟି ଅଣ୍ଡିରା ସମେତ ୧୮ଟି ସମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ବେଳେ ଆଜି ଏକ ମାଈ ସମ୍ବରର ମୃତ୍ୟୁ ହୋଇଛି । ସମ୍ବରଟି କେଉଁ କାରଣରୁ ମୃତ୍ୟୁ ହୋଇଛି, ଏହାର କାରଣ ଜଣାପଡ଼ି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନର ଜଣେ ପଶୁ ଅଧିକାରୀ ସୂଚନା ଦେଇଛନ୍ତି । ତୃଣଭୋଜୀ ସଫାରୀରେ ରହୁଥିବା ଏହି ୭ ବର୍ଷର ମାଈ ସମ୍ବରର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଆଉ ୬ଟି ଅଣ୍ଡିଆ ସମ୍ବର ଓ ୧୨ଟି ମାଈ ସମ୍ବର ଅଛନ୍ତି ।

ସୂଚନାଯୋଗ୍ୟ, ଚେନ୍ନାଇରୁ ଆସିଥିବା ୮ଟି ହଳିଦିଆ ଆନାକୋଣ୍ଡା ମଧ୍ୟରୁ ଗତ ଅଗଷ୍ଟ ୨୮ ତାରିଖରେ ଗୋଟିକର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ଗତ ନଭେମ୍ବର ୨୯ରେ ଓ ଡିସେମ୍ବର ୧ରେ ଗୋଟିଏ ଲେଖାଏଁ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଏବେ ନନ୍ଦନକାନନରେ ୫ଟି ହଳଦିଆ ଆନାକୋଣ୍ଡା ଅଛନ୍ତି ।

ସେହିପରି ଗତ ଜୁନ ୨୩ ତାରିଖରେ ନନ୍ଦନକାନନରେ ହିମାଳୟରୁ ଆସିଥିବା ଏକ ମାଈ କଳାଭାଲୁ ‘କୁଲୁ’ର ମୃତ୍ୟୁ ହୋଇଥିଲା । ସେହି ୨୫ ବର୍ଷୀୟ ଭାଲୁଟି ଯକ୍ଷ୍ମାରୋଗରେ ପୀଡ଼ିତ ଥିଲା ବୋଲି ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ କୁହାଯାଇଥିଲା । ଭାଲୁଟିକୁ ପଶୁଡାକ୍ତରଙ୍କ ପରାମର୍ଶ କରାଯାଇଥିଲେ ବି ତାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟି ନଥିଲା । ବର୍ତ୍ତମାନ ନନ୍ଦନକାନନରେ ୫ ପ୍ରଜାତିର ଭାଲୁ ଅଛନ୍ତି ।

ସମ୍ବନ୍ଧିତ ଖବର