ପାକିସ୍ତାନକୁ ଯୁଦ୍ଧରେ ଜବାବ ଦିଅ: ଆହେଶାସ୍‌ ମୁସ୍‌ଲିମ୍‌ ଫୋରମ୍‌

ଭୁବନେଶ୍ବର: ଭାରତ ମାତା କି ଜୟ…ହିନ୍ଦୁସ୍ଥାନ ଜିନ୍ଦାବାଦ୍‌…ଭାରତ ସେନା ଆଗେ ବଢ଼ୋ ହମ୍‌ ତୁହ୍ମାରା ସାଥ୍‌ ହେଁ…ପାକିସ୍ତାନ ମୁର୍ଦ୍ଦାବାଦ…ଇମ୍ରାନ୍‌ ଖାଁ ମୁର୍ଦ୍ଦାବାଦ…ନାରାରେ କମ୍ପିଥିଲା ୟୁନିଟ୍‌-୪ ମସ୍‌ଜିଦ୍‌ରୁ ସତ୍ୟନଗର ମସ୍‌ଜିଦ୍‌ ପର୍ଯ୍ୟନ୍ତ ରାସ୍ତା। ଆଜି ଆହେଶାସ୍‌ ମୁସ୍‌ଲିମ୍‌ ଫୋରମ୍‌ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆୟୋଜିତ ମହମବତି ଶୋଭାଯାତ୍ରାରେ ଏଭଳି ସ୍ଳୋଗାନ୍‌ ଦିଆଯାଇଥିଲା। ଅନୁଷ୍ଠାନର ଶତାଧିକ ସଦସ୍ୟ ୟୁନିଟ୍‌-୪ରୁ ଶୋଭାଯାତ୍ରାରେ ବାହାରି ସତ୍ୟନଗର ମସ୍‌ଜିଦ୍‌ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନିନ୍ଦା କରିଥିଲେ। ଦିନକୁ ଦିନ ପାକିସ୍ତାନ ପକ୍ଷରୁ ଯେଭଳି ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ୁଛି ଏଥିପାଇଁ ଭାରତ ସରକାର ଯୁଦ୍ଧରେ ଜବାବ ଦେବା ଦରକାର ବ‌ୋଲି ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ସଂଗଠନର ମୁଖ୍ୟ ମହମ୍ମଦ ଜିଆଉଲ୍‌ ହକ୍‌ କହିଥିଲେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ଭାରତୀୟ। ଦେଶ ବଞ୍ଚିଲେ ଆମେ ବଞ୍ଚିବା। ତେଣୁ ସମସ୍ତ ରାଜନୈତିକ ଦଳ ଏକ ହୋଇ ପାକିସ୍ତାନକୁ ଏଭଳି ଶିକ୍ଷା ଦେବା ଦରକାର ଯେପରି ଆଉ ଭବିଷ୍ୟତରେ ଆମ ସେନାଙ୍କୁ ଅନେଇବାକୁ ବି ସାହସ କରିବେନି। ସେହିପରି ଓଡ଼ିଶାର ୨ ସହିଦ ଯବାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର