ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ନିଶା ନିବାରଣ ଆନ୍ଦୋଳନର ମାର୍ଗଦର୍ଶକ ପଦ୍ମଚରଣ ନାୟକ ହେଉଛନ୍ତି ଓଡ଼ିଶାର ଚଳନ୍ତି ଇତିହାସ। ତାଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କୁ ପାଇ ଓଡ଼ିଶା ମାଟି ଧନ୍ୟ। ଏମିତି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପି. ସାଇନାଥ। ପଦ୍ମଚରଣ ନାୟକ ଅଭିନନ୍ଦନ ସମିତି ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ପଦ୍ମଚରଣ ନାୟକଙ୍କ ୧୦୦ତମ ସ୍ୱନକ୍ଷତ୍ରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାଇନାଥ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ସାଇନାଥ କହିଥିଲେ ଯେ, ଆଦିବାସୀମାନେ ସ୍ୱାଧୀନତା ପାଇଁ ପ୍ରଥମେ ସଂଗ୍ରାମ କରିଥିଲେ। ହେଲେ ସ୍ବାଧୀନତା ସଂଗ୍ରାମ ପରେ ଅନ୍ୟମାନେ ଆଗ ସୁବିଧା ହାସଲ କରୁଛନ୍ତି ଅଥଚ ଆଦିବାସୀଙ୍କ କଥା ଶେଷକୁ ଆସୁଛି। କେବଳ ସେତିକି ନୁହେଁ, ସରକାରମାନେ ଯେବେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରୁଛନ୍ତି, ଆଦିବାସୀଙ୍କ ଉପରେ ହିଁ ସବୁଠୁ ଅଧିକ ମାଡ଼ ପଡ଼ୁଛି। ନିଜ ପୁସ୍ତକ ‘ଦ ଲାଷ୍ଟ ହିରୋସ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ ଫ୍ରିଡମ୍’ର ଉଦାହରଣ ଦେଇ ସେଥିରେ ଉଲ୍ଲେଖ କରିଥିବା ଓଡ଼ିଶାର ୫ଜଣ ସଂଗ୍ରାମୀଙ୍କ ବିଷୟରେ ଆଲୋଚନା କରିଥିଲେ ଶ୍ରୀ ସାଇନାଥ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ, ୧୦୦ ବର୍ଷରେ ମଧ୍ୟ ଚଳଚଞ୍ଚଳ ପଦ୍ମଚରଣଙ୍କୁ ଦେଖିଲେ ତାଙ୍କ ଜୀବନଶୈଳୀ ଓ କାର୍ଯ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଉତ୍ସୁକତା ବଢ଼େ। ଜୀବନ ବଞ୍ଚିବାର ଠିକ କଳା ଓ ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ହେଉଛନ୍ତି ଶ୍ରୀ ନାୟକ। ନିଶା ନିବାରଣ ପାଇଁ ତାଙ୍କର ଏହି ଜନ ଆନ୍ଦୋଳନକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇ ପାରିଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ। ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ହେଲେ ପରିବାରରୁ ହିଁ ଆନ୍ଦୋଳନ ଆରମ୍ଭ ହେଉ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ କରିଥିଲେ।
ପଦ୍ମଚରଣ ଓଡ଼ିଶାର ଚଳନ୍ତି ଇତିହାସ: ପି ସାଇନାଥ
ପଦ୍ମଚରଣ ନାୟକଙ୍କ ୧୦୦ତମ ସ୍ବନକ୍ଷତ୍ର
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସର୍ବସେବା ସଂଘର ସଭାପତି ଆଦିତ୍ୟ ପଟ୍ଟନାୟକ ଯୋଗଦେଇ ନିଶା ନିବାରଣ ପାଇଁ ସରକାରଙ୍କ ସମେତ ଗଣମାଧ୍ୟମ, ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ମହିଳାମାନେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ପଦ୍ମଚରଣ ନାୟକ କହିଥିଲେ, ନଅଙ୍କ ଦୁର୍ଭିକ୍ଷ ପରି ନିଶା ଏବେ ଓଡ଼ିଶା ପାଇଁ ଏକ ବଡ଼ ବିପଦ। ଯଦି ଏବେ ଠାରୁ ଏହାର ନିରାକରଣ ନହୁଏ, ତାହେଲେ ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ମଦ୍ୟପ ରାଜ୍ୟରେ ପରିଣତ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ପଦ୍ମଚରଣଙ୍କ ଜନ୍ମ ଶତବାର୍ଷିକୀ ଅଭିନନ୍ଦନ ଗ୍ରନ୍ଥ ‘ସଙ୍କଳ୍ପର ସ୍ୱାକ୍ଷର’ ଓ ସମାଜର ମାସିକ ପତ୍ରିକା ‘ସତ୍ୟବାଦୀ’ ଲୋକାର୍ପିତ ହୋଇଥିଲା। ଏଥିସହିତ ବିଶିଷ୍ଟ କବି ଶୈଳଜ ରବି କବିତା ପାଠ କରିଥିଲେ। ଶେଷରେ ଆନନ୍ଦ ଧାରା ସାଂସ୍କୃତିକ ପରିଷଦ ପକ୍ଷରୁ ସଙ୍ଗୀତ ପରିବେଷଣ ହୋଇଥିଲା। ଜ୍ଞାନାନନ୍ଦ ସାଗର କୁମାର ମଞ୍ଚ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/31/H2dptQQOkPfHZJAQfGt4.jpg)