ବନ୍ଧାହେବେ ‘ଦାଦା’, ଆସିଲା ‘ଆଣ୍ଟି ଏକ୍ସଟର୍ସନ ଟାସ୍କଫୋର୍ସ’

ହ୍ବାଟସଆପରେ ଜଣାଇପାରିବେ ଅଭିଯୋଗ
ଗୁପ୍ତ ରହିବ ସୂଚନାଦାତାଙ୍କ ନାଁ
ପୁରସ୍କୃତ ହେବେ ଆଇଆଇସି

ଭୁବନେଶ୍ୱର : ଦାଦାବଟି, ସଂଗଠିତ ଅପରାଧ, ନିଶା ଓ ବନ୍ଧୁକ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। କ୍ରମବର୍ଦ୍ଧିଷ୍ଣୁ ଅପରାଧପ୍ରବଣତା ହାରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନୂତନ ଯୋଜନା ଆରମ୍ଭ କରୁଛନ୍ତି। କମିସନରେଟ ପୁଲିସ୍‌ ଏହା ଉପରେ କାମ କରିବା ଆରମ୍ଭ କରିଦେଇଛି। ଦଶହରା ପୂର୍ବରୁ କମିସନରେଟ୍‌ ପୁଲିସ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡ଼ିଛି। ପାର୍ବଣ ଋତୁରେ ଦାଦାବଟି ପାଇଁ ଅପରାଧୀମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହେଲେଣି। କେତେକ ସ୍ଥାନରେ ଚାନ୍ଦା ମାଗିବା ମଧ୍ୟ ଆରମ୍ଭ କରିଦେଲେଣି। ଗୃହ ନିର୍ମାଣ, ଜମି କିଣାବିକା, ଠିକାଦାରୀ କାମ, ଉଠାଦୋକାନୀ, ମାଛ ବେପାରୀ ଏମିତି ଅନେକ ସଂସ୍ଥା ଓ ଲୋକଙ୍କଠାରୁ ଅସାମାଜିକ ଯୁବକମାନେ ଦାଦାବଟି ଆଦାୟ କରୁଥିବା ନେଇ ଅନେକ ଅଭିଯୋଗ ଆସିଲାଣି। ତେଣୁ ଅସାମାଜିକ ତତ୍ତ୍ବଙ୍କୁ ଦମନ କରିବା ପାଇଁ କମିସନରେଟ୍‌ ପୁଲିସ ଗଠନ କରିଛି ‘ଆଣ୍ଟି ଏକ୍ସଟର୍ସନ ଟାସ୍କଫୋର୍ସ’। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ପୂଜା ପୂର୍ବରୁ ପୁଲିସର ଏଭଳି କଡ଼ା ଆଭିମୁଖ୍ୟ ଜନସାଧାରଣଙ୍କ ଭିତରେ ଆଶ୍ବସ୍ତି ଭରି ଦେଇଥିବା ବେଳେ ଅସାମାଜିକ ତତ୍ତ୍ବଙ୍କ ଭିତରେ ଛନକା ସୃଷ୍ଟି କରିଛି।

କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ କମିସନରେଟ୍‌ ପୁଲିସ ପକ୍ଷରୁ ସୋମବାର ଏକ ମୋବାଇଲ ନମ୍ବର ଜାରି କରାଯିବ। ଦୈନନ୍ଦିନ ଜୀବନରେ ଯେଉଁମାନେ ଏଭଳି ଅସାମାଜିକ ତତ୍ତ୍ବଙ୍କ ଦ୍ବାରା ହଇରାଣ ହରକତ ହେଉଛନ୍ତି, ସେମାନେ ଏହି ମୋବାଇଲ ନମ୍ବରରେ ହ୍ବାଟସଆପ୍, ଏସ୍ଏମଏସ୍ ଓ ଟେଲିଗ୍ରାମ୍‌ ଜରିଆରେ ପୁଲିସକୁ (ଆଣ୍ଟି ଏକ୍ସଟର୍ସନ ଟାସ୍କଫୋର୍ସ) ସୂଚନା ଦେଇପାରିବେ। ସୂଚନାଦାତାଙ୍କ ନାଁ ସଂପୂର୍ଣ୍ଣ ଗୁପ୍ତ ରଖାଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କୁଇକ୍ ଆକ୍ସନ ଟିମ୍ ଏହି ଟାସ୍କ ଫୋର୍ସକୁ ସହାୟତା କରିବ। ଡିସିପିଙ୍କସ୍ତରରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାକୁ ପ୍ରତି ୧୫ ଦିନରେ ଅତିରିକ୍ତ ପୁଲିସ କମିସନର ସମୀକ୍ଷା କରିବେ। ସେହିପରି ଯେଉଁ ଆଇଆଇସି ଏ କ୍ଷେତ୍ରରେ ଭଲ କାମ କରିବେ, ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

‌ଅପରପକ୍ଷେ ଯେଉଁ ଅପରାଧୀମାନେ ଜେଲ୍‌ରୁ ଜାମିନ୍‌ରେ ମୁକୁଳିବା ପରେ ବାରମ୍ବାର ଏଭଳି ଘଟଣା ଘଟାଉଛନ୍ତି, ସେମାନଙ୍କ ବିରୋଧରେ ସିଆରପିସି ଦଫା-୧୧୦ରେ ମାମଲା ରୁଜୁ କରାଯିବ। ଆବଶ୍ୟକସ୍ଥଳେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ)‌‌ରେ ମାମଲା ରୁଜୁ କରାଯିବା ସହ ତଡ଼ିପାର୍‌ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ଯେମିତି ସହଜରେ ଜାମିନ ନ ମିଳିବ, ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଧଳସାମନ୍ତ ବ୍ରଦର୍ସ ମାମଲାରେ ଯେମିତି ସ୍ବତନ୍ତ୍ର ପିପି ନିଯୁକ୍ତ କରାଯାଇଛି, ଅନ୍ୟ ମାମଲାରେ ମଧ୍ୟ ତାହା କାର୍ଯ୍ୟକାରୀ କରିବା ପାଇଁ ଆଇନ ଅଧିକାରୀଙ୍କ ପରାମର୍ଶ ନିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର