ଭୁବନେଶ୍ବର: ଦିନକୁ ଦିନ ବେକାରୀ ସମସ୍ୟା ବଢ଼ୁଛି। ଖୁବ୍ କମ୍ ପରିମାଣର ସରକାରୀ ଚାକିରି ବାହାରୁଥିବାରୁ ପ୍ରତିଯୋଗିତା ବଢ଼ିଯାଉଛି। ବହୁ ଆଶାୟୀ ଚାକିରି ନ ପାଇ ହତାଶ ହୋଇପଡ଼ୁଛନ୍ତି ଏବଂ ଗଳାବାଟରେ ଚାକିରିଟିଏ ପାଇଁ ଚେଷ୍ଟା କରୁଛନ୍ତି। ଏହାର ଫାଇଦା ଉଠାଉଛନ୍ତି ଠକ ରୢାକେଟ୍। ଚାକିରି କରାଇବା ନାଁରେ ଆଶାୟୀଙ୍କୁ ଚୂନ ଲଗାଉଛନ୍ତି। ଏମିତି ମାଳମାଳ ରୢାକେଟ୍ ରାଜଧାନୀରେ ଜାଲ ବିଛାଇଛନ୍ତି। କିନ୍ତୁ କମିସନରେଟ୍ ପୁଲିସ ସେଭଳି ଠକ ସଂସ୍ଥାକୁ ଚିହ୍ନଟ କରିପାରୁନାହିଁ। କେବେ କେବେ ଅଭିଯୋଗ ହେଲେ ପୁଲିସ ସେଭଳି ଠକ ସଂସ୍ଥା ବିରୋଧରେ ପଦକ୍ଷେପ ନେଉଛି। କିନ୍ତୁ ନିଜ ଆଡ଼ୁ ତଦନ୍ତ କରି ଠାବ କରିବା ଉଦାହରଣ ନାହିଁ। ଏଥିପାଇଁ କମିସନରେଟ୍ ପୁଲିସର ଏକ ଆଣ୍ଟି ଫ୍ରଡ୍ ସେଲ୍ ରହିଛି। କିନ୍ତୁ ତାହା ପଙ୍ଗୁ ତଥା ଅଚଳ ଅବସ୍ଥାରେ। ବଡ଼ କଥା ହେଉଛି ଏହି ଆଣ୍ଟି ଫ୍ରଡ୍ ସେଲ୍ ବେଶ୍ କିଛି ଦିନ ହେଲା ଆଣ୍ଠେଇ ପଡ଼ିଥିଲେ ବି ବିଭାଗୀୟ ଅଧିକାରୀମାନେ ଜାଣିପାରି ନାହାନ୍ତି।
ରାଜଧାନୀରେ ଛତୁ ଫୁଟିବା ଭଳି କୋଚିଂ ସେଣ୍ଟର ରହିଛି। ବିଭିନ୍ନ ଜିଲ୍ଲାରୁ ବେକାର ଯୁବକ ଯୁବତୀମାନେ ସରକାରୀ ଚାକିରି ପ୍ରତିଯୋଗିତା ପାଇଁ ରାଜଧାନୀରେ ରହି କୋଚିଂ ନେଉଛନ୍ତି। ତେଣୁ ଠକମାନଙ୍କ ଆଡ଼ା ବି ଏଠାରେ ଜମିରହିଛି। ଠକମାନେ ନିଜକୁ ସରକାରୀ ଅଧିକାରୀ, ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜାଲ୍ ପରିଚୟପତ୍ର ଦେଖାଇ ବେକାରମାନଙ୍କୁ ସହଜରେ ଫସାଉଛନ୍ତି। ଅଥଚ ପୁଲିସର ଆଣ୍ଟି ଫ୍ରଡ୍ ସେଲ୍ ଏହାର ଟେର୍ ପାଉନାହିଁ। ପୂର୍ବରୁ ଏହି ସେଲ୍ ସାଇବର ଥାନାରେ ଥିଲା। ଏବେ ଏହା କେଉଁଠି ଅଛି, ତାହା କାହାକୁ ଜଣା ନାହିଁ। ସେଲ୍ କାମ କରୁଛି କି ନା,ତାହା ବି ସନ୍ଦେହ ଘେରରେ ରହିଛି। ସାଇବର ଥାନାର ବରିଷ୍ଠ ଅଧିକାରୀମାନେ ଏହି ସେଲ୍ ସମ୍ପର୍କରେ ଜାଣି ନାହାନ୍ତି। ଏହା ହିଁ ବିଡ଼ମ୍ବନା। କିଛିଦିନ ତଳେ ମଞ୍ଚେଶ୍ବର ଥାନା ପୁଲିସ ଏକ ଠକେଇ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଥିଲା। ସଂସ୍ଥାଟି ସରକାରୀ ଚାକିରି ଦେବା ପାଇଁ ପୋର୍ଟାଲ୍ରେ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଆକର୍ଷିତ କରୁଥିଲା ଏବଂ ଲକ୍ଷଲକ୍ଷ ଟଙ୍କା ଚୂନ ଲଗାଉଥିଲା। ଏହାର ମାଷ୍ଟରମାଇଣ୍ଡ ଜଣେ ଯୁବତୀ ଥିଲେ। ପୁଲିସ ଗ୍ୟାଙ୍ଗକୁ ଠାବ କରି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତ୍ତଙ୍ଗରା ଅଞ୍ଚଳର ଯାଜ୍ଞସେନୀ କର, ତା’ର ସହଯୋଗୀ ଯାଜପୁର ଟାଉନ୍ ଅଞ୍ଚଳର ଜୟକୃଷ୍ଣ ଦାସ ଓରଫ ପ୍ରିୟ, କଳାହାଣ୍ଡି ଅଞ୍ଚଳର ଜୀବନଦ୍ବୀପ ନନ୍ଦି ଓରଫ ପ୍ରିନ୍ସ ଓ ସୁରେଶ ରାଓକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଥ୍ୟ ପ୍ରମାଣ ସହ ଅଭିଯୋଗ ହେବାରୁ ପୁଲିସ ଏହି ରୢାକେଟ୍କୁ ବାନ୍ଧିଥିଲା। ମାତ୍ର ଏବେ ବି ଏଭଳି ବହୁ ସଂସ୍ଥା ରାଜଧାନୀରେ ସକ୍ରିୟ ଅଛନ୍ତି।
ତଦନ୍ତ ରିପୋର୍ଟ ଦାଖଲରେ ଢିଲା
ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାର ୬୦ ଦିନ ମଧ୍ୟରେ ପୁଲିସ କୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବା କଥା। ଏହାପରେ ନିୟମିତ ବ୍ୟବଧାନରେ କୋର୍ଟରେ ଶୁଣାଣି ବେଳେ ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣ ଦିଆଯିବା କଥା। ମାତ୍ର ପରିତାପର କଥା ଠିକଣା ସମୟରେ ପୁଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରି କୋର୍ଟରେ ଉପସ୍ଥାପନ କରିପାରୁ ନାହିଁ। ଫଳରେ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯାଉଛି। ଏହାପରେ ଅଭିଯୁକ୍ତମାନେ ଜେଲ୍ରୁ ବାହାରି ଅଭିଯୋଗକାରୀଙ୍କୁ ବିଭିନ୍ନ ଉପାୟରେ ଧମକଚମକ ଦେଇ ମାମଲାରୁ ଓହରିଯିବାକୁ ଚାପ ପକାଉଛନ୍ତି। ଅନେକ କ୍ଷେତ୍ରରେ ସାକ୍ଷୀମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବିତ କରିବାରେ ସକ୍ଷମ ହେଉଛନ୍ତି। ସେହିଭଳି ବିଚାର ପ୍ରକ୍ରିୟା ବହୁତ ସମୟ ନେଉଥିବାରୁ ଅନେକ ଅଭିଯୋଗକାରୀ ମାମଲା ରୁଜୁ ପରେ ଅଭିଯୁକ୍ତଙ୍କ ସହ ଆପୋସ ବୁଝାମଣା କରି ମାମଲାରୁ ଓହରି ଯାଉଛନ୍ତି। ଏହା ଅଭିଯୁକ୍ତମାନଙ୍କୁ ବାରମ୍ବାର ଠକେଇ କରିବା ପାଇଁ ସୁଯୋଗ ଦେଉଛି।
କନ୍ସଲଟାନ୍ସି ଉପରେ ରହୁନି ନିୟନ୍ତ୍ରଣ
ରାଜଧାନୀରେ ବିଭିନ୍ନ ଜାଗାରେ ଦଲାଲ୍ମାନେ କନ୍ସଲଟାନ୍ସି ଖୋଲି ଚାକିରି ଦେବା ନାଁରେ ବିଜ୍ଞାପନ ଦେଉଛନ୍ତି। ନିୟମ ଦୃଷ୍ଟିରୁ ଏଭଳି ସଂସ୍ଥା ସ୍ଥାନୀୟ ପୁଲିସକୁ ଅବଗତ କରାଇବା କଥା। ପୁଲିସ ମଧ୍ୟ ନିଜ ଅଞ୍ଚଳରେ ଖୋଲୁଥିବା ଏଭଳି ସଂସ୍ଥା ଉପରେ ନଜର ରଖି ନିୟମିତ ବ୍ୟବଧାନରେ ଯାଞ୍ଚ କରିବାର ନିୟମ ରହିଛି। ମାତ୍ର ପୁଲିସ ଅବହେଳାରୁ ଏହି ସଂସ୍ଥାଗୁଡ଼ିକ ବର୍ଷବର୍ଷ କାଳ ସେମିତି ଲୋକଙ୍କୁ ଠକୁଛନ୍ତି। ବଡ଼ ରକମର ଟଙ୍କା ଠକିନେବା ପରେ ରାତାରାତି ଉଭାନ ହୋଇଯାଉଛନ୍ତି। ସଂସ୍ଥା ବିରୋଧରେ ଅଭିଯୋଗ ହେଲା ବେଳକୁ ପୁଲିସ ଆଉ ଅଭିଯୁକ୍ତ କିମ୍ବା ସଂସ୍ଥା ବାବଦରେ ବିନ୍ଦୁବିସର୍ଗ ପାଉନାହିଁ।