ଛକ ଛକରେ ଅସାମାଜିକଙ୍କ ଆଡ଼ା

ରହୁଛନ୍ତି ନିଶାରେ ଚୁର୍‌, ଯୁବକଙ୍କ ଗ୍ୟାଙ୍ଗ୍‌ରେ ନାବାଳକ ସାମିଲ, ପଡ଼ୁନି ପୁଲିସ ନଜର

ଭୁବନେଶ୍ବର : ଗତ କିଛି ଦିନ ହେଲା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। କଥା କଥାକେ ମାରଣାସ୍ତ୍ର ଉଠୁଛି। କେଉଁଠି ମୁଣ୍ଡ ଗଡ଼ୁଛି ତ କେଉଁଠି ହଣାକଟାରେ ଅନେକ ଗୁରୁତର ହେଉଛନ୍ତି। ସଂଗିନ୍ କଥା ହେଉଛି ଏବେ ଅପରାଧର ଏକ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି। ଅପରାଧ ଦୁନିଆଁରେ ବହୁ ନୂଆ ନୂଆ ଯୁବକ ଗୋଷ୍ଠୀ କରି ସାମିଲ୍ ହେଉଛନ୍ତି। ପରିତାପର କଥା ଉକ୍ତ ଗ୍ରୁପ୍‌ରେ ବହୁ ନା‌ବାଳକ ମିଶୁଥିବା ଦେଖିବାକୁ ମିଳୁଛି। ଛକ ଛକରେ, ଗଳିକନ୍ଦିରେ ଜମୁଛି ଏହି ଅସାମାଜିକ ତତ୍ତ୍ବଙ୍କ ଆଡ଼ା। କିନ୍ତୁ ଏସବୁ ପ୍ରତି ପୁଲିସର ନଜର ନାହିଁ। ଫଳରେ ଏବେ ରାଜଧାନୀର ରାଜରାସ୍ତା ରକ୍ତରଞ୍ଜିତ ହୋଇପଡ଼ୁଛି।

ରାଜଧାନୀରେ ଏବେ ପ୍ରାୟ ସବୁ ଛକରେ ଫାଷ୍ଟ ଫୁଡ୍ ବଜାର ବଢ଼ିଛି। ସେଠାରେ ପାନ, ଚା ଦୋକାନ ରହିଛି। ସେହି ସବୁ ଛକର ଅନ୍ଧାରିଆ ସ୍ଥାନରେ ଅସାମାଜିକ ଯୁବକମାନଙ୍କ ଗୋଷ୍ଠୀ ଏକାଠି ହେଉଛନ୍ତି। ମୁଖ୍ୟ ରାସ୍ତା, ଛକମାନଙ୍କ ଠାରୁ ଟିକେ ଦୂର ଗଳି ରାସ୍ତାରେ ଆଡ଼ା ଜମାଉଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଖଟିରେ ସଦସ୍ୟମାନେ ପହଞ୍ଚି ଯାଉଛନ୍ତି। ଖାଲି ହାତରେ ନୁହେଁ, ସେମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଖଟିକୁ ଆସୁଛନ୍ତି। ଆରମ୍ଭ ହୋଇଯାଉଛି ବ୍ରାଉନ୍‌ସୁଗାର, ଗଞ୍ଜେଇ ଓ ମଦ ଭଳି ନିଶାସେବନ। ବଡ଼ କଥା ହେଉଛି ସେସବୁ ଖଟିରେ ଚାଲେ ବିଭିନ୍ନ ଅପରାଧର କଥା। କେଉଁଠି, କେମିତି, କେଉଁ ଷ୍ଟାଇଲ୍‌ରେ ଅପରାଧ ଘଟିଲା, ତା’ ଉପରେ ଚାଲେ ଜୋର୍‌ଦାର ଆଲୋଚନା। ଫାଷ୍ଟ ଫୁଡ୍‌ ଓ ଚା ପାନ ଦୋକାନରୁ ବଟି ଆକାରରେ ମିଳିଯାଏ ମାଗଣା ଚାଖଣା। ମସ୍ତି ଚାଲେ। ଏହା ଭିତରେ ଯଦି ସେମାନଙ୍କୁ କେହି କିଛି କହିଲା କି କେହି ବିପକ୍ଷ ଗୋଷ୍ଠୀ ଜୁଟିଲା, ତେବେ ଆରମ୍ଭ ହୋଇଯାଉଛି ରକ୍ତାକ୍ତ ସଂଘର୍ଷ। ନିଶାରେ ଚୁର୍ ଏହି ପିଲାମାନେ ଆଗପଛ ବିଚାର କରୁନାହାନ୍ତି।

The Leaders Online

ନିକଟରେ ଏମିତି ଘଟିଥିଲା ରମାଦେବୀ ବିଶ୍ବବିଦ୍ୟାଳୟ ଓ ଡିସିପି ଅଫିସ ଛକ ନିକଟରେ। ସେଠାରେ ଆଡ଼ା ଜମାଉଥିବା ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଥିବା ବିବାଦ ହଠାତ୍ ଉଗ୍ରରୂପ ଧାରଣ କରିଥିଲା। ଦାଦାବଟିକୁ ନେଇ ସେଠାରେ ଖଣ୍ଡା, ଭୁଜାଲି ବୁଲିଲା। ବ୍ୟାପକ ଭଙ୍ଗାରୁଜା ଓ ଆକ୍ରମଣରେ ୫/୭ ଜଣ ଆହତ ହେଲେ। ଏହି ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଥିଲା। ଡିସିପି ଅଫିସ ନିକଟରେ ଅସାମାଜିକଙ୍କ ଆଡ଼ା ଓ ଗଣ୍ଡଗୋଳ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ସେହିଭଳି ଗତ ଦୁଇ ଦିନ ତଳେ ଗଜପତିନଗର ପ୍ରେସ୍‌ ଛକରେ ଗଡ଼ିଗଲା ଜଣେ କଲେଜ ଛାତ୍ରଙ୍କ ମୁଣ୍ଡ। ପତିଆରା ଜାହିର୍‌ କରିବାକୁ ଯାଇ ଅତର୍କିତ ଭାବେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଲା। ଛୁରି ମାଡ଼ରେ ଗାଡ଼କଣର ଚିଣ୍ଟୁ ପ୍ରାଣ ହରାଇବା ବେଳେ ଅନ୍ୟ ତିନି ଜଣ ଗୁରୁତର ହେଲେ। ଏକ ସାମାନ୍ୟ କଥାରୁ ଘଟିଥିବା ଗଣ୍ଡଗୋଳରେ ଜଣେ ଛାତ୍ର ବଳିପଡ଼ିଗଲେ। ଗତବର୍ଷ ଜୁଲାଇରେ ରାଜଧାନୀର ସବୁଠୁ ଜନଗହଳିପୂର୍ଣ୍ଣ ଓ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ ଛକରେ ନିଶା କାରବାରକୁ ନେଇ ତିନି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେତେବେଳେ ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଗତବର୍ଷ ଦଶହରା ବେଳେ କଳିଙ୍ଗ ଷ୍ଟାଡିୟମ ଛକରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଇଥିଲା। ଘଟଣା ଆତଙ୍କ ଖେଳାଇ ଦେଇଥିଲା। ଏସବୁ ଘଟଣାକୁ ନିକଟରୁ ଦେଖିଲେ ସ୍ପଷ୍ଟ ହୁଏ ଯେ ଖଟିରୁ ଏଭଳି ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି ହୋଇଥାଏ।

ତେଣୁ ଏଠି ପଶ୍ନ ଉଠୁଛି, ଯଦି କମିସନରେଟ୍‌ ପୁଲିସର ପିସିଆର ଭ୍ୟାନ୍ ପାଟ୍ରୋଲିଂ କରୁଛି, ତା’ହେଲେ ଅସାମାଜିକଙ୍କ ଖଟି ବିଷୟରେ କିଛି ଜାଣିପାରୁନାହିଁ କେମିତି? ଥାନା ଗାଡ଼ି କେମିତି ଓ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରୁଛି? ଅସାମାଜିକଙ୍କ ଆଡ଼ା ସମ୍ପର୍କରେ କାହିଁକି ସ୍ଥାନୀୟ ପୁଲିସ ପାଖରେ ଖବର ରହୁନାହିଁ? ଆଗକୁ ଅସାମାଜିକଙ୍କ ଖଟି ପୁଲିସ ପାଇଁ ଆହୁରି ସମସ୍ୟା ଛିଡ଼ା କରିବ କି ବୋଲି ପ୍ରଶ୍ନ ଉଠିଛି।

ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିସନରେଟ ପୁଲିସ ପାଖରେ ଯଥେଷ୍ଟ କ୍ଷମତା ରହିଛି। ପୁଲିସ ଯଦି ଜୋର୍‌ଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା, ତା’ହେଲେ ଅପରାଧୀ ଓ ଅସାମାଜିକଙ୍କ ମନରେ ଭୟ ସୃଷ୍ଟି ହୁଅନ୍ତା। ରାଜରାସ୍ତାରେ ଅପରାଧ ଘଟାଇବାକୁ ସେମାନେ ଭୟ କରନ୍ତେ।

ଖଟିରେ ଜମୁଛି ବ୍ରାଉନ୍‌ସୁଗାର ବେପାର, ଇଞ୍ଜିନିୟିରିଂ ଛାତ୍ର ସାମିଲ
ରାଜଧାନୀରେ ଅସାମାଜିକଙ୍କ ଯେଉଁ ଖଟି ଜମୁଛି ସେଠି କେବଳ ନିଶା ସେବନ ନୁହେଁ, ବ୍ରାଉନସୁଗାର ବେପାର ମଧ୍ୟ ଚାଲୁଛି। ଏଥିରେ ଇଞ୍ଜିନିୟରିଂ ଛାତ୍ରମାନେ ସାମିଲ୍‌ ରହୁଛନ୍ତି।

କେବିଏନ୍ ଭଳି ଅଛି ଆହୁରି ଗ୍ୟାଙ୍ଗ୍‌
ଗତ କିଛି ଦିନ ପୂର୍ବେ କେବିଏନ୍ ଗ୍ରାଙ୍ଗ୍‌ ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା। ନୂଆପଲ୍ଲୀ ଓ ବରମୁଣ୍ଡା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆହୁରି ନୂଆ ନୂଆ ଗ୍ୟାଙ୍ଗ ତିଆରି ହୋଇଛନ୍ତି। ବିଭିନ୍ନ ବସ୍ତିର ଅସାମାଜିକମାନେ ଗ୍ୟାଙ୍ଗର ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର