ଅନୁଭବଙ୍କ ବିରୋଧରେ ପୁଣି ଥାନାକୁ ଗଲେ ବର୍ଷା, ଭିଡିଓ ଭାଇରାଲ ଘଟଣାରେ ତାଙ୍କର ସମ୍ମାନ ହାନି ହେଉଛି

କଟକ: ଅଭିନେତା ତଥା ସା˚ସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପକୁ ନେଇ ମାମଲା ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ଖୋରାକ ଯୋଗାଉଥିବା ‌ବେଳେ ଅଭିଯୋଗ ବାରମ୍ବାର ପୁଲିସ୍‌ ପାଖରେ ବି ପହଞ୍ଚୁଛି। ଗତ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ବିରୋଧରେ ବର୍ଷା ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଭାଇରାଲ ଭିଡିଓ ଦ୍ବାରା ତାଙ୍କର ସମ୍ମାନ ହାନି ହେଉଛି। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦନାମ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ତେଣୁ ପୁଲିସ୍‌ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ଷା ଅନୁରୋଧ କରିଛନ୍ତି। ଏପରିକି ଅପରାହ୍ନରେ ବର୍ଷା ଡିସିପିଙ୍କୁ ଭେଟି ତାଙ୍କ ସହିତ ପାରିବାରିକ ବିବାଦ ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି।

ଉଭୟଙ୍କ ପକ୍ଷରୁ ପରସ୍ପର ବିରୋଧରେ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର‌୍‌ ଧରିଥିଲାବେଳେ ଗତ କିଛି ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଅନୁଭବ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖାଯାଇଥିଲା। ସାଙ୍ଗରେ ସର୍ବଦା ୪ଜଣ ଲୋକଙ୍କୁ ଆଣି ଅସୁଥିବା ବର୍ଷା କହିଥିଲା ବେଳେ ପୁଲିସକୁ ସାଙ୍ଗରେ ଧରି ତାଙ୍କ ବ୍ୟକ୍ତିଗତ କାମ କରାଉଥିବା ନେଇ ଅନୁଭବ ବର୍ଷାଙ୍କୁ କହିଥିଲେ। ଏପରିକି ଲକ୍ଷେ ବର୍ଷା ଆସିଲେବି ମତେ ହରାଇ ପାରିବେନି ବୋଲି ଅନୁଭବ କହିଥିଲେ। ଏହାଛଡା ପରିକୀୟାପ୍ରୀତି ନେଇ ମଧ୍ୟ ଦୁହେଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଅନେକ ପ୍ରକାର ମନ୍ତବ୍ୟ ମିଳିଥିଲା। ଉକ୍ତ ମନ୍ତବ୍ୟଗୁଡ଼ିକ ଦ୍ବାରା ବର୍ଷାଙ୍କ ଆତ୍ମସମ୍ମାନ ହାନି ହେଉଥିବା ବର୍ଷା ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ କରାଯାଇଥିବା ଅଭିଯୋଗଗୁଡ଼ିକ ଉପରେ ପୁଲିସ୍‌ର ତ୍ବରିତ ପଦକ୍ଷେପ ପାଇଁ ବର୍ଷା ଡିସିପିଙ୍କ ଆଗରେ ଦାବି ରଖିଛନ୍ତି। ଆଜି ଅପରାହ୍ନରେ ଡିସିପିଙ୍କୁ ଭେଟି ବର୍ଷା ପାରିବାରିକ ହି˚ସା ସ˚ପର୍କରେ ଆଲୋଚନା କରିଥିଲେ। ବର୍ଷାଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଛନ୍ତି। ପୁରୀଘାଟ ଥାନା ପୁଲିସର ଏକ ଟିମ ରାତିରେ ନନ୍ଦିସାହି ବାସଭବନକୁ ଯାଇ ଉଭୟ ଅନୁଭବ ଓ ବର୍ଷାଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର