ଖଣ୍ଡଗିରି : ସାଧାରଣତନ୍ତ୍ର ଦିବସ ଭାଷଣ ଭିଡିଓ ଭାଇରାଲ୍ରୁ ପ୍ରସିଦ୍ଧି ଲାଭ କରିଥିବା କୁନି ବାଗ୍ମୀ ପ୍ରତ୍ୟାଶା ପତି ଓରଫ୍ ତିସାଙ୍କୁ ଭେଟିଛନ୍ତି ସାଂସଦ ତଥା ଓଲିଉଡ୍ ତାରକା ଅନୁଭବ ମହାନ୍ତି। ଶନିବାର ସାଂସଦ ଶ୍ରୀ ମହାନ୍ତି ତିସାଙ୍କ ଯାଁଳା ମୁଣ୍ଡମୁହାଁଣସ୍ଥିତ ବାସଭବନରେ ଭେଟିବା ସହ ଉତ୍ସାହିତ କରିବା ପାଇଁ ବହୁ ଉପହାର ପ୍ରଦାନ କରିଛନ୍ତି।
ସ୍ଥାନୀୟ ଅଞ୍ଚଳରେ କୁନି ବାଗ୍ମୀଭାବେ ଜଣାଶୁଣା ଓଗାଳପଡ଼ା ଗଣ୍ଠିଳ ୟୁପି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ତିସା ଗତ ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ବିଦ୍ୟାଳୟରେ ଏକ ଭାଷଣ ଦେଇଥିଲେ। କେହି ଏହାର ଭିଡିଓ ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଅଳ୍ପ ସମୟ ମଧ୍ୟରେ ଏହା ଏମିତି ଭାଇରାଲ୍ ହୋଇ ଯାଇଥିଲା ଯେ ହଜାର ହଜାର ସଂଖ୍ୟାରେ ଲୋକେ ଏହି ଭିଡିଓକୁ ଦେଖି ଖୁବ୍ ପସନ୍ଦ କରିଥିଲେ। ପରେ ବିଭିନ୍ନ ଗଣମାଧ୍ୟମରେ ବି ତିସାଙ୍କ ଭାଷଣ ଦୃଶ୍ୟ ପ୍ରସାରଣ କରାଯାଇଥିଲା। ଫେସ୍ବୁକ୍ ଭିଡିଓ ଓ ଟିଭିରୁ ଦେଖିବା ପରେ ସାଂସଦ ଶ୍ରୀ ମହାନ୍ତି ତିସାଙ୍କୁ ଦେଖିବା ପାଇଁ ଆଜି ତାଙ୍କ ଘରକୁ ଆସିଥିଲେ। ସେ ଆସୁଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ମୁଣ୍ଡମୁହାଁଣରେ ଭିଡ଼ ଜମାଇଥିଲେ। ସମିତି ସଭ୍ୟ ନାଭିଦୈତ୍ୟ ମଙ୍ଗରାଜଙ୍କ ନେତୃତ୍ୱରେ ମୁଣ୍ଡମୁହାଁଣ ଗ୍ରାମବାସୀମାନେ ତାଙ୍କୁ ପାଛୋଟି ନେବାକୁ ଏକତ୍ର ହୋଇଥିଲେ। ପ୍ରଥମେ ତାଙ୍କୁ ଗ୍ରାମ ପରିକ୍ରମା କରାଇ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ସମ୍ବର୍ଧନା ଦିଆଯାଇଥିଲା। ପରେ ସାଂସଦ ଶ୍ରୀ ମହାନ୍ତି ତିସାଙ୍କ ଘରକୁ ଯାଇଥିଲେ। ତିସାଙ୍କ ବାପା ପ୍ରଶାନ୍ତ ପତି ତାଙ୍କୁ ସ୍ୱାଗତ କରିଥିଲେ। ତିସା ପୁଣି ଥରେ ସେହି ଭାଷଣକୁ ଦୋହରାଇଥିଲେ। ଖୁସି ହୋଇ ସାଂସଦ ଶ୍ରୀ ମହାନ୍ତି ତିସାଙ୍କୁ କୋଳେଇ ନେବା ସହ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।