ଭୁବନେଶ୍ବର: ସମୟ ବଦଳେ। ସମୟ ସହ ବଦଳିଯାଏ ଚାଲିଚଳନ, ବେଶ ପୋଷାକ ଓ ଆଚାର ବ୍ୟବହାର। ସମ୍ପର୍କ ବି ବଦଳେ। ଏଭଳି ଏକ ପୃଷ୍ଠଭୂମିକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ବିତର୍କିତ ଅପରାହ୍ନ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଆ ନାଟ୍ୟ ଜଗତର ପ୍ରବାଦ ପୁରୁଷ ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷକୀ ପାଳନ ଅବସରରେ ଆୟୋଜିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷିତ ନାଟକ ‘ବିତର୍କିତ ଅପରାହ୍ନ’ ଭୁବନେଶ୍ବର ଶତାବ୍ଦୀର କଳାକାର ଦ୍ବାରା ପରିବେଷିତ ହୋଇଥିଲା।
ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ସନ୍ତୋଷ, ଜିତ୍, ଋତୁରାଜ, ନରେନ୍ଦ୍ର, ଆଶିଷ, ଚିଣ୍ଟୁ, ପ୍ରଗତି, କଳ୍ପନା, ସଂଘମିତ୍ରା, ରାକେଶ ଓ ଚନ୍ଦ୍ରନ ପ୍ରମୁଖ ଅଭିନୟ କରିଥିଲେ। ସଂଗୀତରେ ପ୍ରତାପ ରାଉତ, ମଞ୍ଚସଜ୍ଜାରେ ସଂଗ୍ରାମ ଓ ନୃସିଂହ, ପୋଷାକରେ ସୌମ୍ୟ, ରୂପସଜ୍ଜାରେ ନରେନ୍ଦ୍ର ସେନାପତି, ଆଲୋକରେ ବିକାଶ ଏବଂ ମଂଚ ପରିଚାଳନାରେ ସୌମେନ୍ଦ୍ର, ମନୋଜ ଓ ଶୁଭମ୍ ସହଯୋଗ କରିଥିଲେ। ନାଟକର ସହନିର୍ଦ୍ଦେଶନା ଅଛନ୍ତି ଅଶୋକ କୁମାର। ଆଜିର ଉତ୍ସବରେ ଅତିଥିଭାବେ କଥାକାର ଗୌରହରି ଦାସ, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ରଥ ଓ ସାହିତ୍ୟିକ ପ୍ରଦୀପ ବିଶ୍ବାଳ ଯୋଗଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପରିଚାଳନା କରିଥିଲେ। ଆସନ୍ତାକାଲି ମନୋରଞ୍ଜନ ଦାସଙ୍କ ନାଟକ ‘ନନ୍ଦିକା କେଶରୀ’କୁ ଭୁବନେଶ୍ବରର ‘ସ୍ପେସ୍ ଏକାଡେମୀ’ ନାଟ୍ୟାନୁଷ୍ଠାନ ପରିବେଷଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhhsfhfsfh.jpg)