କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ବଦଳିଲେ ଅନୁପ

ଭୁବନେଶ୍ୱର : କମିସନରେଟ ପୁଲିସର ଏଷ୍ଟାବ୍ଲସମେଣ୍ଟ ବୋର୍ଡ ନିଷ୍ପତ୍ତି ଅନୁଯାୟୀ ଅଧିକାରୀମାନଙ୍କ ଅଦଳବଦଳରେ ଭୁବନେଶ୍ୱର ଟ୍ରାଫିକ୍‌ ଏସିପି ଭାବେ ଅନୁପ କାନୁନଗୋ ଦାୟିତ୍ୱ ନେଇଥିଲେ। ହେଲେ କାର୍ଯ୍ୟରେ ଯୋଗ ନ ଦେଉଣୁ ଅନୁପଙ୍କୁ ଏହି ପଦରୁ ହଟାଇ ନିଆଯାଇଛି। ତାଙ୍କୁ ଏଠାରୁ ନିଆଯାଇ ମହିଳା ନିର୍ଯାତନା ନିବାରଣ ୟୁନିଟ (ଆଇୟୁସିଏଡବ୍ଲୁ) ଦାୟିତ୍ୱ ଦିଆଯାଇଛି। ଏହି ସ୍ଥାନରେ ପୂର୍ବବତ କିଶୋର ପାଣିଗ୍ରାହୀଙ୍କୁ ଫେରାଇ ଅଣାଯାଇଛି। ତାଙ୍କୁ ଏଠାରୁ ‘ଆଇବି’କୁ ନିଆଯାଇଥିଲା। ଉଭୟଙ୍କୁ ଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି। ପୁଲିସ କମିସର୍‌ ସତ୍ୟଜିତ ମହାନ୍ତି ଏହି ନିର୍ଦେଶନାମା ଜାରି କରିଛନ୍ତି। ତେବେ ମାତ୍ର ୭୨ ଘଣ୍ଟା ଭିତରେ ଅନୁପ କାହିଁକି ବଦଳିଲେ, ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଗତ ୮ ତାରିଖ ଦିନ କମିସନର୍‌ଙ୍କ ଆଦେଶ ବଳରେ କଟକ ଓ ଭୁବନେଶ୍ୱରରେ ଅଧିକାରୀମାନଙ୍କ ଅଦଳବଦଳ ହୋଇଥିଲା। ଏଥିରେ ଅନୁପ କାନୁନଗୋଙ୍କୁ ଟ୍ରାଫିକ୍‌ ଏସିପି ଭାବେ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ ସେ ଏହି ଦାୟିତ୍ୱରେ ଥିଲେ। ନିର୍ବାଚନ ପୂର୍ବରୁ ପୁରୁଣା ଅଧିକାରୀଙ୍କୁ ହଟାଇବା ପ୍ରକ୍ରିୟାରେ ଅନୁପ କଟକ ବଦଳି ହୋଇଥିଲେ। କିଛି ଦିନ ତଳେ ଅନୁପ ପୁଣି ଫେରିଥିଲେ ଏବଂ ସେଇ ପୁରୁଣା ଦାୟିତ୍ବ ନେଇଥିଲେ। ସେ ଆଜି କାର୍ଯ୍ୟରେ ଯୋଗ ଦେବାକୁ ସଜବାଜ ହେଉଥିଲେ। ପୂର୍ବାହ୍ନ ୧୧ଟା ବେଳେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ। ହେଲେ ଏତିକିବେଳେ ବଦଳି ଆଦେଶ ତାଙ୍କ ପାଖରେ ପହଞ୍ଚିଥିଲା। ହଠାତ୍‌ ଏଭଳି ନିଷ୍ପତ୍ତିକୁ ନେଇ କେହି ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର