ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଲେ ଅନୁପ କୁମାର ସାହୁ

ଭୁବନେଶ୍ୱର: ଭୁବନେଶ୍ୱର-କଟକ କମିସନରେଟ୍‌ ପୁଲିସର ଭୁବନେଶ୍ୱର ଡିସିପି ଭାବେ ଆଜି ଆଇପିଏସ ଅଫିସର ଅନୁପ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ବିଦାୟୀ ଡିସିପି ସତ୍ୟବ୍ରତ ଭୋଇଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସାହୁ କହିଛନ୍ତି ଯେ ଭୁବନେଶ୍ୱରର ଅପରାଧ ନିୟନ୍ତ୍ରଣ , ଟ୍ରାଫିକ ପରିଚାଳନା ଓ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବେ ପୁଲିସ ପ୍ରଶାସନ ପାଇଁ ଆହ୍ଵାନ। ସେ ଏହାର ସୁପରିଚାଳନା ପାଇଁ ଉଦ୍ୟମ କରିବେ। ଏତଦ୍‌ବ୍ୟତୀତ ସାଇବର ଅପରାଧ ନିୟନ୍ତ୍ରଣ ସହିତ ମହିଳାଙ୍କ ସୁରକ୍ଷାକୁ ସେ ପ୍ରାଥମିକତା ଦେବେ ବୋଲି ନୂଆ ଡିସିପି ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ ସେ ଭୁବନେଶ୍ୱରର ଡିସିପି ଥିବା ଆଇପିଏସ ଅଫିସର ସତ୍ୟବ୍ରତ ଭୋଇଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହେବା ପରେ ଭଦ୍ରକ ଏସପି ଅନୁପ କୁମାର ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ସରକାର ନିଯୁକ୍ତି ଦେଇଥିଲେ। ତେବେ ଗତବର୍ଷ ଭଦ୍ରକରେ ଶ୍ରୀରାମନବମୀ ଅବସରରେ ଦଙ୍ଗା ହୋଇଥିଲା ଓ ସେହି ଦଙ୍ଗାକୁ ଶ୍ରୀ ସାହୁ ଏସପି ଭାବେ ତୁରନ୍ତ ଦାୟିତ୍ୱ ନେଇ ପ୍ରଶମିତ କରିଥିଲେ। ତେଣୁ ଏଥର ଶ୍ରୀ ସାହୁଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ଚଳିତ ବର୍ଷ ଶ୍ରୀରାମନବମୀ ଶୋଭାଯାତ୍ରା ସରିବା ପରେ ଓ ସମଗ୍ର ଭଦ୍ରକ ସହରରୁ ୧୪୪ ଧାରା ଉଠିଯିବା ପରେ ଆଜି ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର