ଯୁବପିଢ଼ି ସ୍ୱପ୍ନ ବିଭୋର ହେବା ଜରୁରୀ: ଅନୁପମ

କିଟ୍‌ରେ ତୃତୀୟ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ଆଜିର ଯୁବପିଢ଼ି ସ୍ୱପ୍ନ ଦେଖିବା ଉଚିତ। ଏହାକୁ ସାକାର କରିବାପାଇଁ ଏକାଗ୍ରତାର ସହିତ କଠିନ ପରିଶ୍ରମ କରିବା ଉଚିତ। ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତୃତୀୟ କଳିଙ୍ଗ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ବଲିଉଡ୍‌ର ଖ୍ୟାତନାମା ଅଭିନେତା ତଥା ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅନୁପମ୍‌ ଖେର ଏହି ଆହ୍ଵାନ ଦେଇଛନ୍ତି।

ଏହି ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଜର ଜୀବନ କାହାଣୀ କହିବାବେଳେ ବେଶ୍‌ ଭାବପ୍ରବଣ ହୋଇପଡ଼ିଥିଲେ ଅନୁପମ। ସେ କହିଥିଲେ ଯେ କେବଳ ଭଲ ପାଠ ଯୋଗ୍ୟତାର ମାପକାଠି ନୁହେଁ। ସେ ଭଲ ପାଠ ପଢ଼ୁ ନଥିଲେ ମଧ୍ୟ ଭଲ କଳାକାରଟିଏ ହେବାପାଇଁ ପିଲାଟି ଦିନରୁ ସ୍ୱପ୍ନ ଦେଖିଥିଲେ। ଏହାକୁ ସାକାର କରିବା ଲାଗି ସେ ବହୁ ସଂଘର୍ଷ କରିଛନ୍ତି ଏବଂ ସଫଳତା ପାଇଛନ୍ତି। ଏହି ଅବସରରେ ‘ରାଞ୍ଚି ଡାଏରିଜ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାତ୍ତ୍ୱିକ ମହାନ୍ତି, ‘ରାଞ୍ଚି ଡାଏରିଜ୍‌’ର ମୁଖ୍ୟ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ଡ.ସସ୍ମିତାରାଣୀ ସାମନ୍ତ ଓ କିଟ୍‌ ଫିଲ୍ମ ଓ ମିଡିଆ ସାଇନ୍‌ସେସ୍‌ ସ୍କୁଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଖଟୁଆ ପ୍ରମୁଖ ଉପସ୍ଥିତ ରହି କଳିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚ୍ରିତ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖତଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ତିନି ଦିନିଆ ଉତ୍ସବରେ ୨୫ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅଭିନୟ, କୁଇଜ୍‌, ଫ୍ୟାସନ୍‌ ସୋ’, କ୍ଷୁଦ୍ର ଚଳଚ୍ଚିତ୍ର, ଏକକ ଅଭିନୟ, ଫଟୋ ପ୍ରଦର୍ଶନୀ ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର