ଐତିହାସିକ ସପ୍ତାହ ପାଳନ ଅବସରରେ ‘ଅନ୍ବେଷା’

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ (ଏମ୍‌ଓଏସ୍‌ ଏବଂ ପିଆଇ) ମନ୍ତ୍ରାଳୟ ୨୭ ଜୁନ୍‌ରୁ ୩ ଜୁଲାଇ ପର୍ଯ୍ୟନ୍ତ ଐତିହାସିକ ସପ୍ତାହ ବା ଆଇକନିକ୍‌ ୱିକ୍‌ ପାଳନ କରୁଛି। ଏହି ଉତ୍ସବର ଅଂଶ ଭାବେ ଭୁବନେଶ୍ବରଠାରେ ଅବସ୍ଥିତ କ୍ଷେତ୍ର ପରିଚାଳନା ବିଭାଗର ଆନୁକୂଲ୍ୟରେ କଲେଜ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ପରିସଂଖ୍ୟାନ ଉପରେ ଏକ କୁଇଜ୍‌ ପ୍ରତିଯୋଗିତା ‘ଅନ୍ବେଷା ୨୦୨୨’ ଆୟୋଜନ କରାଯାଇଥିଲା। କିଟ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୬ସ୍ଥିତ ସେମିନାର୍‌ ହଲ୍‌-୧ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବି.ବି ନନ୍ଦ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ସୋମନାଥ ଜାନା ସ୍ବାଗତଭାଷଣ ଦେଇଥିଲେ ଏବଂ ବରିଷ୍ଠ ସାଂଖ୍ୟିକ ଅଧିକାରୀ ତପନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ୨୫ଟି ମହାବିଦ୍ୟାଳୟ/ ବିଶ୍ବବିଦ୍ୟାଳୟରୁ ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଅତ୍ରିପ୍ରସାଦ ରାଉତ ଏବଂ ଛାତ୍ରୀ ସୁଦୀପ୍ତା ପାଲ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ‌, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ପରିସଂଖ୍ୟାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଭାରତୀୟ ସରକାରୀ ପରିସଂଖ୍ୟାନ ପ୍ରଣାଳୀର ଦିଗ ବିଷୟରେ ଯୁବପିଢ଼ିଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ସମ୍ବନ୍ଧିତ ଖବର