ସୁନ୍ଦର ଭୁବନେଶ୍ବର ପାଇଁ ପ୍ରସ୍ତାବ ମାଗିଲେ ଅପରାଜିତା

ଭୁବନେଶ୍ବର: ବିଏମ୍‌ସି ବୈଠକରେ ବିରୋଧୀ ମୁହଁ ଖୋଲୁନାହାନ୍ତି। ଯାହା ଅଧିକାରୀ ଯୋଜନା କଲେ ତାହା ମଞ୍ଜୁର ହେଉଛି। ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହେଉ ନାହିଁ। ଖୋଦ୍‌ ସାଂସଦ ଅପରାଜିତା ଷଡ଼ଙ୍ଗୀ ବୈଠକକୁ ଯାଉ ନାହାନ୍ତି। ଏଭଳି ଚର୍ଚ୍ଚା ହେବା ପରେ ସାଂସଦ ବିଏମ୍‌ସିକୁ ସିଧା ସଳଖ ଆଙ୍ଗୁଠି ନ ଉଠାଇଲେ ମଧ୍ୟ ଆଜି ଭୁବନେଶ୍ବରର ବିଭିନ୍ନ ମୌଳିକ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଛନ୍ତି। ବରିଷ୍ଠ ତଥା ସଚେତନ ନାଗରିକଙ୍କ ଠାରୁ ପ୍ରସ୍ତାବମାନ ମାଗିବା ସହ ଭୁବନେଶ୍ବରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଯୋଜନା କରିଛନ୍ତି। ବିଶେଷକରି ଜଳ ନିଷ୍କାସନ ଓ କୁକୁର ବନ୍ଧ୍ୟାକରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି। ଏହା ବାଦ୍‌ ବରିଷ୍ଠ ନାଗରିକମାନେ ଦେଇଥିବା ୪୨ ପ୍ରସ୍ତାବ ଉପରେ ବିଚାର କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାମାଜିକ ସଂଗଠନ ‘ସମର୍ଥ’ ପକ୍ଷରୁ ୟୁନିଟ୍‌-୬ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ ସମ୍ମିଳନୀ କକ୍ଷରେ ଆୟୋଜିତ ‘ମୋ ସ୍ବପ୍ନର ଭୁବନେଶ୍ବର’ କାର୍ଯ୍ୟକ୍ରମରେ ଆଜି ଯୋଗଦେଇ ସେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

ବରିଷ୍ଠ ନାଗରିକଙ୍କ ସହ ସାଂସଦଙ୍କ ବୈଠକ
ଟାର୍ଗେଟ୍‌ରେ ବୁଲା କୁକୁର ନିୟନ୍ତ୍ରଣ, ଜଳ ନିଷ୍କାସନ

ବୈଠକରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଭିନ୍ନ ଅଞ୍ଚଳର ସମସ୍ୟା ବିଷୟରେ ପଚାରି ବୁଝିବା ସହ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ଆହ୍ବାନ କରିଥିଲେ। ବରିଷ୍ଠ ନାଗରିକମାନେ ୪୨ଟି ପ୍ରସ୍ତାବ ଦେଇଥିଲେ। ପ୍ରତି ୬ମାସରେ ଏହି ପରି ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେ ପରୋକ୍ଷଭାବେ ବିଏମ୍‌ସିର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠାଇଛନ୍ତି।

ସେ କହିଥିଲେ, ମୁଁ ବିଏମ୍‌ସିରେ କମିସନର ଭାବରେ କାମ କରିଥିବାରୁ ସମସ୍ୟା ଓ ସମାଧାନ ବାବଦରେ ଅଭିଜ୍ଞତା ହାସଲ କରିଛି। ଭୁବନେଶ୍ବରରେ ବର୍ଷା ଦିନେ ପାଣି ଜମିଲେ ମୋତେ ଦୋଷୀ ଅନୁଭବ ହୁଏ। ଡ୍ରେନେଜ୍‌ ସିଷ୍ଟମକୁ ସୃଦୃଢ଼ କରିବାକୁ ହେଲେ ଜଳ ନିଷ୍କାସନକୁ ଗୁରୁତ୍ବ ଦେବାକୁ ହେବ। ପ୍ରମୁଖ ୧୩ଟି ଡ୍ରେନ୍‌କୁ ଗଙ୍ଗୁଆ ନାଳ ସହ ମିଶାଇବାକୁ ହେବ। ଗୃହ ଓ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟିରେ ମୁଁ ଅଛି। ଏଣୁ ଏଦିଗରେ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ତୁରନ୍ତ ପଦକ୍ଷେପ ନିଆଯିବ। ସେହିଭଳି ସହରରେ ବୁଲା କୁକୁରଙ୍କ ଉତ୍ପାତ ବଢ଼ିଛି। ଏନେଇ ଅନେକ ଅଭିଯୋଗ ଆସିଛି। ମୁଁ ବିଏମ୍‌ସି କମିସନରଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି। ଆଲୋଚନାରେ ‘ଅଜିତା’ର ସଭାନେତ୍ରୀ ମୌସୁମୀ ମହାପାତ୍ର, ସମାଜସେବୀ ସତ୍ୟବ୍ରତ ସାହୁ, ‘ସମ୍ଭବ’ର କୁଳମଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ଶଶାଙ୍କ ଶେଖର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଶୋକ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର