ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୪ଟି ଉନ୍ନତିମୂଳକ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛନ୍ତି। ତିନିଟି ପ୍ରକଳ୍ପ ପାଇଁ ଅର୍ଥ ଅନୁଦାନ ମିଳିଥିବାବେଳେ ସ୍ଥାନୀୟ ପ୍ରଶାସନର ସହଯୋଗ ମିଳୁନଥିବା, ବିଏମ୍‌ସି ଡିପିଆର୍ ପ୍ରସ୍ତୁତ କରୁନଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ସମସ୍ତ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଅପରାଜିତା ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ଜଟଣୀରେ ଯୋଗ ଏବଂ ନେଚରପାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଯୋଗ ଏବଂ ନେଚରପାଥି ହସ୍ପିଟାଲ ପାଇଁ ୨୦୧୪ ମସିହାରୁ ରାଜ୍ୟ ସରକାର ଜଟଣୀ ତହସିଲର ବିଞ୍ଝଗିରି ମୌଜାରେ ୨୦ଏକର ଜମି‌ ଲିଜ୍‌ ଦେଇଛନ୍ତି। ଏ‌ହାପରେ ଏହି ପ୍ରତିଷ୍ଠାନ ପାଇଁ ଆୟୁଷ ମନ୍ତ୍ରଣାଳୟ ୯୪୭୩.୨୮କୋଟ ମଞ୍ଜୁର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଜମି ମିଳୁନି। ତେଣୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତାରେ ଏହି ଜମି ହସ୍ତାନ୍ତର ହେଲେ ଏକ ବୃହତ ଜାତୀୟ ପ୍ରକଳ୍ପ ହୋଇପାରି‌ବ। ଜମି ଅଧିଗ୍ରହଣ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ।

Advertisment

ସେହିପରି ୟୁନିଟ-୪ ମାଛ ମାର୍କେଟ ସ୍ଥାନାନ୍ତର କରିବା ପାଇଁ ପଳାସୁଣିରେ ଏକ ହୋଲସେଲ୍ ମାଛ ମାର୍କେଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପି.ଏମ୍ ମତ୍ସ୍ୟ ସମ୍ପଦ ଯୋଜନାରେ ୫୦କୋଟି ଟଙ୍କା ମିଳିବ ବୋଲି ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ୬୦:୪୦ ହାରରେ ଅନୁଦାନ ଦେବାକୁ ଥିବାବେଳେ ପ୍ରଥମ କିସ୍ତିରେ ମୋଟ୍ ୧୨କୋଟି ୫୦ଲକ୍ଷ (କେନ୍ଦ୍ରର ୭.୫୦କୋଟି ଏବଂ ରାଜ୍ୟର ୫କୋଟି ଟଙ୍କା) ରିଲିଜ୍ ହୋଇଛି। ଏହି ଟଙ୍କା ଗତ ୧ବର୍ଷ ହେଲା ମତ୍ସ୍ୟ ନିର୍ଦ୍ଦେଶକଙ୍କ ପାଖରେ ପଡ଼ି ରହିଛି। ବିଏମ୍‌ସି ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ଥିବାବେଳେ କରୁନି। ତେଣୁ ବିଏମ୍‌ସିକୁ ଏନେଇ ନିର୍ଦ୍ଦେଶ ଦିଆଯାଉ। ଟାଙ୍ଗି ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ଉଗ୍ରତାରା ଶକ୍ତିପୀଠର ବିକାଶ ପାଇଁ ରାଜ୍ୟ ସରକାର  ୨୦୨୩ରୁ ୩୨.୧୪କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଜମି ଅଧିଗ୍ରହଣ ହୋଇପାରୁନି। ମୋଟ୍ ୨୦.୦୬୪ଏକର ଜମିରେ ଏହି ଉନ୍ନତିକରଣ କାର୍ଯ୍ୟ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା କେବଳ ଦେବୋତ୍ତର ବିଭାଗ ୫.୦୩୧ଏକର ହସ୍ତାନ୍ତର କରିଛି। ବାକି ଜମି ଅଧିଗ୍ରହଣ, ଜମିର କିସମ ବଦଳାଇବା ଭଳି କାର୍ଯ୍ୟ ତୁରନ୍ତ ଶେଷ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସେହିପରି ଭୁବନେଶ୍ବରରେ ଏକ ‘ନାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟ’ ଖୋଲିବା ପାଇଁ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦୁଇ ଦିନ ତଳେ ‌ଚିଠି ଲେଖିଛି। ଏହା ଯେପରି ଭୁବନେଶ୍ବରରେ ନିର୍ମାଣ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିବାକୁ କହିଛନ୍ତି। ହାସହ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଏହି ପ୍ରମୁଖ ୪ଟି ପ୍ରସଙ୍ଗ ବାଦ୍ ଭୁବନେଶ୍ବରର ଡ୍ରେନେଜ୍ ସମସ୍ୟା ନେଇ ଆଲୋଚନା ହୋଇଛି। ଭୁବନେଶ୍ବରକୁ ଜଳବନ୍ଦୀ ମୁକ୍ତ ସହର କରିବାକୁ ବହୁତ ଅର୍ଥ ଆବଶ୍ୟକ ଥିବାବେଳେ ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ କହିଛୁ।
ସାଂସଦଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ବିଶ୍ବରଂଜନ ବଡ଼ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।