ଭୁବନେଶ୍ୱର: ତିନି ଦିନିଆ ସୁରତ ଗସ୍ତରୁ ଫରିବା ପରେ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜଧାନୀରେ ଭାସି ଯାଇ ଜଣେ ଛାତ୍ର ପ୍ରାଣ ହରାଇବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ପ୍ରେସ ବିବୃତିରେ ସେ କହିଛନ୍ତି ଯେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପାଇଁ ମୁଁ ଲଜ୍ଜିତ ଓ ମର୍ମାହତ। ୬ ବର୍ଷରେ ୭ ଜୀବନ ଗଲାଣି। ଏବେ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ସମୟ ଆସିଛି। ଡ୍ରେନ୍ଗୁଡିକ ଜୀବନ ନେଇଯିବେ ଜାଣି ମୁଁ ଏଥିପାଇଁ ଫେବ୍ରୁଆରି ୨୦୨୦ ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି, ହେଲେ ଏ ପର୍ଯ୍ୟନ୍ତ ଉତ୍ତର ମିଳିନି। ୧୩ ଟି ନ୍ୟାଚୁରାଲ ଡ୍ରେନ ପାଇଁ ଯେଉଁ ବ୍ୟବସ୍ଥା ହେବା କଥା କାହିଁକି ହୋଇନି? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ; କୁଆଡ଼େ ଗଲା? କିଛି ଦିନ ତଳେ ମୁଁ ୧୨୦ ବାଟାଲିୟନ୍ ପାଖରେ ଜମି ରହୁଥିବା ପାଣିର ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲି। ସେଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବା ନେଇ ମଧ୍ୟ ଲେଖିଥିଲି। ହେଲେ ଏ ପର୍ଯ୍ୟନ୍ତ କାମ ହେଲାନି। ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ସାହାଯ୍ୟ ଦରକାର ଆମେ କରିବାକୁ ପ୍ରସ୍ତୁତ ଅଛୁ।
ଅପରାଜିତା ଆଜି ଭୁବନେଶ୍ୱରରେ ପହଞ୍ଚି ବିମାନ ବନ୍ଦରରୁ ସିଧା ଜ୍ୟୋତିପ୍ରକାଶଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜ୍ୟୋତିଙ୍କ ସାନ ଭାଇର ଶିକ୍ଷା ଦାୟିତ୍ୱ ନିଜେ ନେବା ସହ ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ସମଧାନ ହିଁ ଜ୍ୟୋତିଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ। ଅପରାଜିତା ଆହୁରି କହିଛନ୍ତି ଯେ ମୁଁ ୪ ବର୍ଷ କାଳ ବିଏମସି କମିସନର ଥିଲି। ମୁଁ ଜଣେ କର୍ମଚାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲି। ଏ ସବୁ କାମ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି। ୨୧ ବର୍ଷ ଧରି ରାଜ୍ୟକୁ ଗୋଟିଏ ରାଜନୈତିକ ଦଳ ଶାସନ କରୁଛି। ହେଲେ ଏ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ସୁଧାରି ପାରିଲେ ନାହିଁ। ଆଉ ଅଘଟଣ ଘଟିବା ପୂର୍ବରୁ ସରକାର ସ୍ଥାୟୀ ପ୍ରତିକାର କରନ୍ତୁ ବୋଲି କହିଛନ୍ତି। ସୁରତ ଯାତ୍ରାକୁ ନେଇ ସେ କହିଛନ୍ତି, ସେଠାରେ ବିଜେପି ଯେଉଁ ଢଙ୍ଗରେ କାମ କରୁଛି ଆଗାମୀ ଦିନରେ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଆମେ ସେହି ମଡେଲ୍ ଆପଣେଇବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/sfhhhhhhhhhhhhhhhhhhhhhhhhhhhh.jpg)