ଐତିହ୍ୟ ଧ୍ବଂସ କରିଛନ୍ତି ରାଜ୍ୟ ସରକାର : ଅପରାଜିତା ଷଡ଼ଙ୍ଗୀ
ଏକାମ୍ର କ୍ଷେତ୍ରରେ ସାଂସଦ ଅପରାଜିତା, ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ, ସଭା କଲେ
ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ବିକାଶକୁ ସେ ବିରୋଧ କରୁନାହାନ୍ତି। କିନ୍ତୁ ଠିକ୍ ତଥ୍ୟ ପଢ଼ିବା ପରେ ସେ ମୁହଁ ଖୋଲନ୍ତି। ତେବେ ରାଜ୍ୟ ସରକାର ବୁଲ୍ଡୋଜର୍ ଲଗାଇ ଐତିହ୍ୟ ଧ୍ବଂସ କରୁଛନ୍ତି। ପ୍ରଚୀନ ଐତିହ୍ୟର ସୁରକ୍ଷା କରିବା ବଦଳରେ ରାଜ୍ୟ ସରକାର ସେଗୁଡ଼ିକୁ ଭାଙ୍ଗି ପକାଉଛନ୍ତି। ଲିଙ୍ଗରାଜ ମନ୍ଦିରଠାରୁ ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ବା ଭଙ୍ଗା ଯିବା ନିୟମ ନଥିବାବେଳେ ରାଜ୍ୟ ସରକାର ୭୫ ମିଟର ପରିଧି ଭିତରେ ଭଙ୍ଗାରୁଜା କରି ପାର୍କ ନିର୍ମାଣ କରିଛନ୍ତି। ମନ୍ଦିର ଚାରିପାଖରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ଯୋଜନା ପୂର୍ବରୁ ରାଜ୍ୟ ସରକାର କାହାର ମତ ନେଲେ ନାହିଁ। ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରକୁ ନେଇ ହେଉଥିବା ଆଲୋଚନାରେ ଭୁଲ୍ ରହିଛି। ସେ ଏନେଇ ପୁଣି ସେବାୟତମାନଙ୍କ ସହ ଆଲୋଚନା କରିବେ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ଅବସରରେ ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ଘୋଷଣା ଅନୁଯାୟୀ ଆଜି ଅପରାହ୍ଣରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇଥିଲେ। ଶତାଧିକ କର୍ମୀଙ୍କ ଗହଣରେ ସେ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ବାଇ-ଲ’କୁ ନେଇ ତାଙ୍କୁ ହେବାକୁ ଥିବା ବିରୋଧର କୌଣସି ଆଭାସ ନଥିଲା। ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ସେ ସଭାସ୍ଥଳକୁ ଯାଇଥଲେ। ସେଠାରେ ସେବାୟତ ଓ ସାଧାରଣ ଲୋକଙ୍କୁ ବାଇ-ଲ’ ସମ୍ପର୍କରେ ବୁଝାଇଥିଲେ। ବାଇ-ଲ’କୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ସେ ବଜେଟ୍ ଅଧିବେଶନ ପାଇଁ ଦିଲ୍ଲୀରେ ଥିଲେ ଓ ଏକାମ୍ରବାସୀ ରାଜ୍ୟ ସରକାରଙ୍କ ଉପରେ ଭରସା ନ ରଖି ତାଙ୍କୁ ଖୋଜିଥିବାରୁ ସେ କୃତଜ୍ଞତା ଜଣାଇଥିଲେ। ସେ ଗତ ୧୫ ତାରିଖ ଦିନ ୩୩ ଜଣ ସେବାୟତଙ୍କ ସହ ବାଇ-ଲ’କୁ ନେଇ ଆଲୋଚନା କରିବା ପରେ ସେମାନଙ୍କ ଅନୁରୋଧ କ୍ରମେ ଆଜି ଏହି ସଭାରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ ଆମ ରାଜ୍ୟରେ ୮୦ଟି ଐତିହ୍ୟସ୍ଥଳି ରହିଛି। ସେଥିମଧ୍ୟରୁ ଅଧିକାଂଶ ଏକାମ୍ର କ୍ଷେତ୍ରରେ ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ସବୁ ଐତିହ୍ୟଗୁଡିକୁ ରାଜ୍ୟ ସରକାର ରକ୍ଷଣାବେକ୍ଷଣ କରିବା ପରିବର୍ତ୍ତେ ବୁଲ୍ଡୋଜର ଲଗାଇ ଧ୍ୱଂସ କରିବାରେ ଲାଗିଛନ୍ତି। କେଉଁ ଭିତ୍ତିରେ ଉତ୍ତରପ୍ରଦେଶର ଠିକା ସଂସ୍ଥାକୁ ଏକାମ୍ର ପ୍ରକଳ୍ପ କାମ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ। ସୋମବାର ସେ ଏକାମ୍ର କ୍ଷେତ୍ର ବୁଲି ବିଭିନ୍ନ ଲୋକଙ୍କ ସହ ମିଶି ଆଲୋଚନା କରିବେ ବୋଲି ଘୋଷଣା କରିଛନ୍ତି। ଏହି ସଭାରେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଶିବ ପ୍ରସାଦ ବେହେରା, ତୃପ୍ତିମୟୀ ମକଦ୍ଦମ, ଟୁଟୁ ପଣ୍ଡା, ହେମନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।