ରାଜଧାନୀରେ ଦୁଇ ନିର୍ମାଣାଧୀନ ଆପାର୍ଟମେଣ୍ଟ୍ ସିଲ୍

୫୦ ଶ୍ରମିକ କୋଲକାତାରୁ ଆସି କାମ କରୁଥିଲେ, ଲକ୍ଷ୍ମୀ ବଜାର ବସ୍ତି ସିଲ୍‌

ଚନ୍ଦ୍ରଶେଖରପୁର : କୋଲକାତାରୁ ଆସିଥିବା କିଛି ଶ୍ରମିକ ସଙ୍ଗରୋଧରେ ନରହି କାମ କରୁଥିଲେ। ଏପରିକି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଛନ୍ତି। ରାଜଧାନୀର ଦୁଇଟି ନିର୍ମାଣାଧୀନ ଆପାର୍ଟମେଣ୍ଟରେ ଏହି ଶ୍ରମିକମାନେ କାମ କରୁଥିବାରୁ ପ୍ରଶାସନ ଏହି ଦୁଇଟି ଆପାର୍ଟମେଣ୍ଟକୁ ସିଲ୍‌ କରିଛି। ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ଓ ଇନ୍‌ଫୋସିଟି ଥାନା ଅଧୀନ କଳାରାହାଙ୍ଗରେ ଦୁଇଟି ନିର୍ମାଣାଧୀନ ଆପାର୍ଟମେଣ୍ଟର ପ୍ରାୟ ୫୦ଜଣ ଶ୍ରମିକଙ୍କୁ ସେହିଠାରେ ସଙ୍ଗରୋଧରେ ରଖିବା ସହ ନିର୍ମାଣ କାମକୁ ବନ୍ଦ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଆସିଥିବା ଏହି ଶ୍ରମିକଙ୍କ ମଧ୍ୟରୁ କେତେକଙ୍କର ଥଣ୍ଡା ଜ୍ବର ହୋଇଥିବାରୁ ସେମାନେ ନିକଟସ୍ଥ କିଛି ଔଷଧ ଦୋକାନରୁ ଔଷଧ ଆଣିଥିଲେ। ଏନେଇ ଔଷଧ ଦୋକାନୀମାନେ ବିଏମ୍‌ସିକୁ ଖବର ଦେଇଥିଲେ। ଏହାପରେ ଆଜି ସଂଧ୍ୟାରେ ସ୍ବାସ୍ଥ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରି ସ୍ବାବ୍‌ ସଂଗ୍ରହ କରିଛନ୍ତି। ଏହାସହ ସମସ୍ତଙ୍କ ଡାକ୍ତରୀ ରିପୋର୍ଟ ନଆସିବା ଯାଏ ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଠିକାଦାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କୁହାଯାଇଛି।

ଲକ୍ଷ୍ମୀ ବଜାର ବସ୍ତି ସିଲ୍‌
ଭୁବନେଶ୍ବର : ବିମାନବନ୍ଦର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିିରେ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରାଯାଇଛି। ଜୁନ୍‌ ୧୭ରେ ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବସ୍ତିରେ ବର୍ତ୍ତମାନ ସୁଦ୍ଧା ଆଉ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଅଞ୍ଚଳକୁ କଣ୍ଟେନମଣ୍ଟେ ଜୋନ୍‌ ଘୋଷଣା କରାଯାଇଛି। ବିଏମ୍‌ସି ପକ୍ଷରୁ ତ୍ରିନାଥ ମନ୍ଦିର ଛକରୁ ବିମାନବନ୍ଦର ପାଚେରି, ବିମାନବନ୍ଦର ପାଚେରିରୁ ତ୍ରିନାଥ ମନ୍ଦିର ଛକ ଭାୟା ଗଙ୍ଗାଧର ଦାସ ଓ ମନୋରଞ୍ଜନ ପ୍ରଧାନଙ୍କ ଘର ଅଞ୍ଚଳର ବାସିନ୍ଦା ଘରୁ ବାହାରକୁ ବାହାରିବେନି। ବିଏମ୍‌ସି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ। ଏଠାରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ‌‌ଲୋକଙ୍କର କିଛି ଅସୁବିଧା ଥିଲେ ୧୯୨୯ ନମ୍ବରରେ ଫୋନ୍‌ କରିପାରିବେ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

ସମ୍ବନ୍ଧିତ ଖବର