ଭୁବନେଶ୍ବର : ପଥରଗାଡ଼ିଆ ମୌଜାରେ ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗର ଗୁମର ଖୋଲିବାରେ ଲାଗିଛି। ବଡ଼ବଡ଼ିଆଙ୍କ ସ୍ବାର୍ଥରେ କିଭଳି ଅଧିକାରୀମାନେ ଅନ୍ଧ ହୋଇଯା’ନ୍ତି ତାହାର ପ୍ରମାଣ ମିଳିଛି। ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ଜମି ‘ଲିଜ୍‌ ସ୍ବତ୍ବ’ ରହିଥିବା ବେଳେ ଏହାକୁ ତତ୍‌କାଳୀନ ଅମିନ ଓ ଆର୍‌ଆଇ ‘ସ୍ଥିତିବାନ ସ୍ବତ୍ବ’ ବୋଲି ରିପୋର୍ଟ ଦେଲେ। କିସମ ପରିବର୍ତ୍ତନ ପାଇଁ ହୋଇଥିବା ଓଏଲ୍‌ଆର ମାମଲା ବିଚାର କରି ତହସିଲଦାର କିସମ ‘ଘରବାରି’ କରିଦେଲେ। ଏଠାରୁ ହିଁ କେଳେଙ୍କାରୀର ସୂତ୍ରପାତ ହେଲା। ‘ଘରବାରି’ କିସମ ଦେଖି ବିଡିଏ ଆପାର୍ଟମେଣ୍ଟ ନିର୍ମାଣ ଯୋଜନାକୁ ସ୍ବୀକୃତି ଦେଇଦେଲା। ଏଥିପାଇଁ ତହସିଲ୍‌ରୁ ଆରମ୍ଭ କରି ବିଡିଏ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ହାତଗୁଞ୍ଜା କାରବାର ହୋଇଥିବା ଚର୍ଚ୍ଚା ହେଉଛି। ତେବେ କେଉଁ ପରିସ୍ଥିତିରେ ତତ୍‌କାଳୀନ ଅମିନ ଓ ଆରଆଇ ଲିଜ୍‌ସ୍ବତ୍ବକୁ ସ୍ଥିତିବାନ କରିଦେଲେ? କାହା ସ୍ବାର୍ଥରେ ଭୁବନେଶ୍ବର ତତ୍‌କାଳୀନ ତହସିଲଦାର ଜମିର ଇତିହାସ ଅନୁଧ୍ୟାନ ନ କରି ଜଙ୍ଗଲ କିସମକୁ ‘ଘରବାରି’ କରିଦେଲେ? ଏବେ ଯେଉଁ କାର୍ଯ୍ୟାନୁଷ୍ଠାନ ହେବ ସେଥିପାଇଁ କିଏ ଦାୟୀ ରହିବ? ଏଭଳି ଅନେକ ପ୍ରଶ୍ନ ଏବେ କେବଳ ଏହି ପ୍ରସଙ୍ଗକୁ ଜଟିଳ କରି ଦେଇନାହିଁ ବରଂ ବା ଏଠାରେ ରହୁଥିବା ଶତାଧିକ ହିତାଧିକାରୀଙ୍କୁ ଭୟଭୀତ କରାଇଛି।

Advertisment

୨୦୦୭ ମସିହା‌ରେ କିସମ ପରିବର୍ତ୍ତନ କରିବା ପାଇଁ ଜେଜେ ମୁକ୍ତେଶ୍ବର କନ୍‌ଷ୍ଟ୍ରକସନ୍‌ ପ୍ରାଃ ଲିଃ ପକ୍ଷରୁ ଆବେଦନ ହୋଇଥିଲା। ଭୁବନେଶ୍ବର ତହସିଲ୍‌ରେ ଏଥିପାଇଁ ଓଏଲ୍‌ଆର ସେକ୍ସନ ୮(କ)ରେ ଏକ ମାମଲା(୬୧୭୦/୦୭) ରୁଜୁ ହୋଇଥିଲା। ୨୦୦୮ ମସିହା ମେ ୧୩ ତାରିଖ ଦିନ ତତ୍‌କାଳୀନ ଅମିନ ଓ ଆରଆଇ ତହସିଲଦାରଙ୍କୁ ରିପୋର୍ଟ ଦେଲେ। ସ୍ବତ୍ବ ‘ଲିଜ୍‌’ ଥିଲେ ମଧ୍ୟ ଅମିନ ଓ ଆର୍‌ଆଇ ମିଳିମିଶି ସ୍ବତ୍ବ ପରିବର୍ତ୍ତନ କରିଦେଲେ। ରିପୋର୍ଟରେ ସ୍ଥିତିବାନ ବୋଲି ଲେଖିଦେଲେ। ହେଲେ ତତ୍‌କାଳୀନ ତହସିଲଦାର ଏଥିରେ ଦୁର୍ନୀତି ସନ୍ଦେହ କରି ଏହି ଓଏଲ୍‌ଆର୍‌ ମାମଲା ଫଏସଲା କଲେ ନାହିଁ। ଏହା ପରେ ଦୁଇ ଜଣ ତହସିଲଦାର ବଦଳିଲେ। ହେଲେ କେହି ମାମଲାର ବିଚାର କଲେ ନାହିଁ। ମାମଲାଟି ପ୍ରାୟ ୫ ବର୍ଷ ପଡ଼ି ରହିବା ପରେ ୨୦୧୩ ମସିହା ମେ ୨୦ ତାରିଖ ଦିନ ତହସିଲଦାର ମାମଲାର ଗୋଟିଏ ଦିନରେ ଫଏସଲା କରିଦେଲେ ଏବଂ କିସମ ପରିବର୍ତ୍ତନ ହୋଇ ପାରିବ ବୋଲି ସବୁଜ ସଙ୍କେତ ଦେଲେ। ଗୋଟିଏ ଦିନ ପରେ ସମ୍ପୃକ୍ତ ଆବେଦନକାରୀ କିସମ ପରିବର୍ତ୍ତନ ପାଇଁ ଆବଶ୍ୟକ ଦେୟ ଦାଖଲ କଲେ ଏବଂ ତହସିଲଦାର କିସମ ପରିବର୍ତ୍ତନ କରିଦେଲେ। କିସମ ଘରବାରି ହେଉ ହେଉ ଘର ତିଆରି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା।

ଭୁବନେଶ୍ବର ତହସିଲ ଅଧୀନ ପଥରଗାଡ଼ିଆ ମୌଜାର ସାବିକ ଖାତା ନମ୍ବର ୩୨୫/୨୮ର ପ୍ଲଟ ନମ୍ବର ୧୨୮୬/୧୬୧୯ କୃଷି କାର୍ଯ୍ୟ ପାଇଁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। କିନ୍ତୁ ଇତିମଧ୍ୟରେ ପ୍ରାୟ ୬ ଥର ଏହା କିଣାବିକା ହୋଇଯାଇଥିଲା। ଅଭିଯୋଗ ହେବା ପରେ ଜମିରେ କୃଷି କାମ ହେଉନଥିବାରୁ ସରକାର ଲିଜ୍‌ ବାତିଲ୍‌ କରିଦେଲେ। ୨୦୧୩ ମସିହା ନଭେମ୍ବର ୨୧ ତାରିଖରେ ହାଲ୍‌ ରେକର୍ଡ ପ୍ରକାଶ ପାଇଲା। ସେଥିରେ ଏହି ଜମି ୭ଟି ପ୍ଲଟ୍‌ରେ ଭାଗ ହେବା ସହ ଜମି ମୂଳ କିସମ(ଜଙ୍ଗଲ)କୁ ଫେରିଗଲା। ଏଣେ କିନ୍ତୁ ୧୭୮ତମ ଡିପି ଆଣ୍ଡ ବିପି କମିଟି ବୈଠକ(୨୦୧୩ ମସିହା)ରେ ଏହି ପ୍ଲାନ୍‌କୁ ବିଡିଏ ମଞ୍ଜୁରି ମଧ୍ୟ ପ୍ରଦାନ କରିଥିଲା। କେବଳ ୨୦୧୩ ନୁହେଁ, ବରଂ ୨୦୧୪ରେ ଆବେଦନ ହୋଇଥିବା ସଂଶୋଧିତ ପ୍ଲାନ୍‌କୁ ମଧ୍ୟ ମଞ୍ଜୁରି ଦେଇଛି। ଏ ସବୁ ପରେ ୨୦୧୪ ଶେଷ ଆଡ଼କୁ ବିଡିଏର ନିଦ ଭାଙ୍ଗିଥିଲା। ପ୍ଲାନ୍‌ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଓଡିଏ କୋର୍ଟରେ ଏକ ମାମଲା(ୟୁଏପି-୫୪୩/୨୦୧୪) ରୁଜୁ କରିବା ସହ ଆପାର୍ଟମେଣ୍ଟର ପ୍ଲାନ୍‌ ବାତିଲ କରିବାକୁ ବିଡିଏ ପ୍ଲାନିଂ ମେମ୍ବରଙ୍କୁ ନିର୍ଦ୍ଦେଶ ଦେଇଥିଲା। କେହି ଘର ନ କିଣିବା ପାଇଁ ନୋଟିସ୍‌ କରିଥିଲା। ବିଜୁଳି ଓ ପାନୀୟ ଜଳ ସଂଯୋଗ ନ ଦେବା ପାଇଁ ବିଭିନ୍ନ ସଂସ୍ଥାକୁ ଚିଠି ଲେଖିଥିଲା। ଏନ୍‌ଓସି ନ ଦେବାକୁ ବିଏମ୍‌ସିକୁ ଚିଠି ଲେଖିଲା। କିନ୍ତୁ ସେବେଠାରୁ ୮ବର୍ଷ ହେବ ସବୁ ନିରବ ହୋଇଗଲେ। ଓଡିଏ କୋର୍ଟରେ ମାମଲା ଆଉ ବିଚାର ହେଲା ନାହିଁ। ଫଏସଲା ହେବା ଦୂରର କଥା, ଆଜି ପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ହେଲା ନାହିଁ। ୟା’ ଭିତରେ ୪ ଜଣ ଅଧିକାରୀ ବଦଳି ଗଲେଣି। ଯେଉଁ ଅଧିକାରୀ ଆସିଲେ ସେ ବି କେଉଁ ଅଦୃଶ୍ୟ ଚାପରେ ଏଥିରେ ପଶିବାକୁ ଚାହିଲେ ନାହିଁ।