ଭୁବନେଶ୍ବର: ପ୍ରତ୍ୟେକ ଆପାର୍ଟମେଣ୍ଟ୍‌ରେ ସ୍ବେରେଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ(ଏସ୍‌ଟିପି) ରହିବା ବାଧ୍ୟତାମୂଳକ କରାଯାଇଛି। ଆପାର୍ଟମେଣ୍ଟ୍‌ରୁ ନିର୍ଗତ ଆବର୍ଜନା ପାଣି ବ୍ୟବସ୍ଥିତ ଢଙ୍ଗରେ ଏସ୍‌ଟିପିରେ ଟ୍ରିଟ୍‌ମେଣ୍ଟ କରି ସ୍ବେରେଜକୁ ଛାଡ଼ିବାର ନିୟମ ରହିଛି। କିନ୍ତୁ ଅଧିକାଂଶ ଆପାର୍ଟମେଣ୍ଟ୍‌ ସରକାରଙ୍କ ଏହି ନି‌ର୍ଦ୍ଦେଶନାମାକୁ ଅନୁପାଳନ କରୁନାହାନ୍ତି। କେଉଁଠି ଆବର୍ଜନା ପାଣି ପିଇବା ପାଣିରେ ମିଶିଲାଣି ତ’ କେଉଁଠି ପଦାରେ ଭାସିଲାଣି। ଏଭଳି ସ୍ଥିତିରେ ଝାଡ଼ାବାନ୍ତି, ହଇଜା ଆଦି ସଂକ୍ରମଣର ଭୟ ବଢ଼ିଛି। ଏଣୁ ଏଠାରେ ପିଇବା ପାଣି ବ୍ୟବସ୍ଥା, ଏସ୍‌ଟିପି ସ୍ଥିତି ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। କିନ୍ତୁ ବିଡିଏ ଓ ବିଏମ୍‌ସି ପରସ୍ପରକୁ ଦୋଷ ଦେଇ ନିରବ ରହିଛନ୍ତି।
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୨ଶହରୁ ଅଧିକ ବଡ଼ବଡ଼ ଆପାର୍ଟମେଣ୍ଟ୍‌ ରହିଛି। ଏମିତି ବି ଆପାର୍ଟମେଣ୍ଟ୍‌ ଅଛି, ଯେଉଁଠି ୧ହଜାରରୁ ଅଧିକ ପରିବାର ବସବାସ କରୁଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ସମସ୍ତ ଆପାର୍ଟମେଣ୍ଟ୍‌ ପ୍ରକଳ୍ପ ଅନୁମୋଦନ ପୂର୍ବରୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନୁପାଳନ କରିବା ବାଧ୍ୟତାମୂଳକ। ନିର୍ମାଣ ସହ ପାଣି, ବିଜୁଳି ଆଦି ସଂଯୋଗ ପାଇଁ ନିୟମ ରହିଛି। ଆପାର୍ଟମେଣ୍ଟ୍‌ ନିର୍ମାଣ ପୂର୍ବରୁ ଏସ୍‌ଟିପି ବି ନିର୍ମାଣ ବାଧ୍ୟତାମୂଳକ। କେତେ ଘର ଓ କେତେ ଲୋକ ରହିବେ, ତା’ ଉପରେ ଏସ୍‌ଟିପିର ଆକାର ବା କ୍ଷମତା ନିର୍ଭର କରୁଛି। ପାନୀୟ ଜଳ ସଂଯୋଗ ବେଳେ ବି ପରିଛନ୍ନତାକୁ ଦୃଷ୍ଟି ଦିଆଯିବ। ବିଡିଏ ସବୁଦିଗକୁ ଅନୁଧ୍ୟାନ ପରେ ନିର୍ମାଣର ଅନୁମତି ଦେବ। ପାଣି ସଂଯୋଗ ସଂପର୍କରେ ୱାଟ୍‌କୋର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, ସବୁ ଆପାର୍ଟମେଣ୍ଟ୍‌ ପିଇବା ପାଣି ପାଇଁ ପାଇପ୍‌ ସଂଯୋଗ ନେବା ବାଧ୍ୟତାମୂଳକ। ଯଦି କୌଣସିଠାରେ ପାନୀୟ ଜଳ ପାଇପ୍‌ ଲାଇନ୍‌ ନାହିଁ, ତେବେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ସଂପୃକ୍ତ ମହାନଗର ନିଗମର ଆୟୁକ୍ତଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ୬୦ ଫୁଟରୁ ଅଧିକ ଗଭୀର ଖୋଳିଲେ, ଏହି ଅନୁମତି ଆବଶ୍ୟକ। ତାଙ୍କ ଅନୁମତି ଆଧାରରେ ଜଳସଂପଦ ବିଭାଗ ଅଧୀନ କେନ୍ଦ୍ର ଭୂତଳ ଜଳ ବୋର୍ଡ(ସିଜିଡବ୍ଲୁବି) ବୋର‌୍‌ୱେଲ୍‌ ଖୋଳିବାକୁ ଅନୁମତି ଦେବ। ଯେଉଁ ଆପାର୍ଟମେଣ୍ଟ୍‌ ବୋର୍‌ୱେଲ୍‌ ଜରିଆରେ ପାନୀୟ ଜଳଯୋଗାଣ କରୁଛନ୍ତି, ସେମାନେ ଏ ବାବଦରେ ଜଳସଂପଦ ବିଭାଗକୁ ବାର୍ଷିକ ଧାର୍ଯ୍ୟ ଟଙ୍କା ବି ଦେବେ। ଯଦି ନ ଦେବେ, ଦି‌ନେ ବି ବିଳମ୍ବ ହେଲେ, ଜରିମାନା ଗଣିବାକୁ ପଡ଼ିବ। କିନ୍ତୁ ଏହାକୁ କେହି ଯାଞ୍ଚ କରୁନାହାନ୍ତି କି ଟଙ୍କା ନିୟମିତ ଆଦାୟ କରାଯାଉନି। ଅପରପକ୍ଷେ ଭୂତଳ ଜଳ ଯେଭଳି ସଂକ୍ରମିତ ନ ହେବ, ସେ ଦାୟିତ୍ବ ବି ଜଳସଂପଦ ବିଭାଗ ଦେଖିବ। କିନ୍ତୁ ଏହା ବିଧିବଦ୍ଧ ଯାଞ୍ଚ କରାଯାଉନି। ଯାହା ସଂକ୍ରମଣର ଭୟକୁ ବଢ଼ାଉଛି।