ଭୁବନେଶ୍ବର : ଧଉଳି ଥାନା ଅଧୀନ ବାପୁଜୀ ହାଇଟସ୍ର ଏକ ଫ୍ଲାଟ୍ରୁ ନକଲି ମଦ କାରଖାନା ଠାବ ହେବା ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଫ୍ଲାଟ୍ ମାଲିକ ଦେବାଶିଷ ଦାସ ଓରଫ ସିତୁକୁ ପୁଲିସ ଗିରଫ କରିଛି। ଗତ ରାତିରେ କମିସନ୍ରେଟ୍ ପୁଲିସର ଏକ ସ୍ବତନ୍ତ୍ର ଦଳ ବାଲେଶ୍ବର ଖଇରା ଅଞ୍ଚଳରେ ଚଢ଼ଉ କରି ତାକୁ ଗିରଫ କରିଛି। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଦେବାଶିଷ ନାମରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ଠକେଇ ଓ ଛିନତାଇ, ଜାଲିଆତି ଭଳି ଆପରାଧିକ ମାମଲା ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗତ ଜୁଲାଇ ୩୦ ତାରିଖରେ ମହିମା ମୋଟର୍ସରେ ମାଲିକ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଓ ତୃପ୍ତି ହୋଟେଲ ମାଲିକଙ୍କୁ ହାଣି ଲୁଟ୍ ମାମଲାରେ ସେ ସଂପୃକ୍ତ ବୋଲି ପୁଲିସ କହିଛି। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ସହ ଦେବାଶିଷକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଫ୍ଲାଟ୍ରେ ମଦ ତିଆରି କରି ବିଭିନ୍ନ ପାନ ଓ ଗ୍ରୋସରି ଦୋକାନକୁ ଯୋଗାଣ କରାଯାଉଥିଲା। ସହରରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ହୋଇଯିବା ପରେ ରାତିସାରା ଏହି ନକଲି ମଦ ବେପାର ଚାଲୁଥିଲା।
ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧଉଳି ଥାନା ଅଧୀନ ବାପୁଜୀ ହାଇଟ୍ସ୍ରେ ଅପରାଧୀ ଥିବା ଖବର ପାଇ ସେଠାରେ ପୁଲିସ ଚଢ଼ଉ କରିଥିଲା। ଦୁଇ ଅପରାଧୀ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ବଡ଼ଗଡ଼ ଥାନା ଅଧୀନ ଚିଲ୍ଲିପୋଖରୀ ନିକଟରେ ଏନ୍କାଉଣ୍ଟର୍ କରିଥିଲା। ଅପରପକ୍ଷେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅପରାଧୀମାନେ ଯେଉଁ ଫ୍ଲାଟ୍ରେ ରହୁଥିଲେ, ସେଠାରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ଜଣାପଡ଼ିଥିଲା। ପୁଲିସ ସେଠାରୁ ହଜାରେ ବୋତଲ ନକଲି ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିଥିଲା। ତେବେ ଏହି ଫ୍ଲାଟ୍ ଦେବାଶିଷ ନାଁରେ ଥିବାରୁ ପୁଲିସ ତାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା।