ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଲୁଟ୍ପାଟ କରି କମିସନରେଟ୍ ପୁଲିସର ନିଦ ହଜେଇ ଦେଇଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ୨ ଜଣଙ୍କୁ ଗିରଫ କରାଯାଇଛି। ହରିୟାଣାରୁ ଗିରଫ ହୋଇଥିବା ଏହି ଡକାୟତଦ୍ବୟ ହେଲେ ଗୁଜରାଟ ଅହମ୍ମଦାବାଦର ଦିନେଶ ସାହା(୪୨) ଓ ହରିୟାଣା ମହେନ୍ଦ୍ରଗଡ଼ର ପୱନ୍ କୁମାର(୩୬)। ସେମାନଙ୍କ ନିକଟରୁ ଗୋଟିଏ ନୂଆ କାର୍(ଲୁଟ୍ରେ ବ୍ୟବହୃତ) ଓ ନଗଦ ୨.୧୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍ର ଅନ୍ୟ ୨ ଜଣ ଫେରାର୍ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଠାବ କରିବାକୁ ପୁଲିସ ଜାଲ ବିଛାଇଥିବା ଜଣାପଡ଼ିଛି। ଗତ ଡିସେମ୍ବର ୨୩ ତାରିଖରେ ଏହି ଗ୍ୟାଙ୍ଗ୍ ନୂଆପଲ୍ଲୀସ୍ଥିତ ନିରୁପମା ଆପାର୍ଟମେଣ୍ଟରୁ ୧୩ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ଘଟଣା ଦିନ ଅପରାହ୍ଣରେ ସେମାନେ ଅନୁସା ମହାନ୍ତିଙ୍କ ଘରେ କେହି ନଥିବା ମଉକାରେ ପଶି ଲୁଟ୍ପାଟ କରିଥିଲେ।
ଆଜି ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍ ବାବଦରେ ସୂଚନା ଦେଇଛନ୍ତି। ଗୁଜରାଟ ଓ ହରିୟାଣାର ୨୦ରୁ ୨୫ ଜଣ ଏହି ଗ୍ୟାଙ୍ଗ୍ ଗଠନ କରିଛନ୍ତି। କିନ୍ତୁ ସେମାନେ ୪/୫ଜଣିଆ ଗ୍ୟାଙ୍ଗ୍ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରନ୍ତି। ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ରାଜ୍ୟରେ ଏହି ଗ୍ୟାଙ୍ଗ୍ ବହୁ ଲୁଟ୍ପାଟ କରିଛି। ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ପୁଲିସ ପାଇଁ ଏହି ଗ୍ୟାଙ୍ଗ୍ର ବହୁ ସଦସ୍ୟ ମୋଷ୍ଟ ୱାଣ୍ଟେଡ୍ ଅଛନ୍ତି। ତେଣୁ ଗତ ପ୍ରାୟ ୬ ମାସ ହେଲା ଏମାନେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛନ୍ତି। ଦିନେଶ ନାଁରେ ଗୁଜରାଟରେ ୧୮ରୁ ଅଧିକ ଓ ପୱନ୍ ନାଁରେ ହରିୟାଣାରେ ୨୨ରୁ ଅଧିକ ମାମଲା ରହିଛି। ଦିନେଶ-ପୱନ୍ ଗ୍ୟାଙ୍ଗ୍ ନୂଆପଲ୍ଲୀ ଥାନା ଅଧୀନ ନିରୁପମା ଆପାର୍ଟମେଣ୍ଟ ଓ ଅନ୍ୟ ଏକ ଆପାର୍ଟମେଣ୍ଟରୁ ଲୁଟ୍ କରିଥିବା ପ୍ରମାଣ ମିଳିଛି। ସେହିଭଳି ଏମାନେ ରାଜଧାନୀର ଅନ୍ୟ ଆପାର୍ଟମେଣ୍ଟରୁ ମଧ୍ୟ ଲୁଟିଛନ୍ତି। ମାତ୍ର ରାଜଧାନୀରେ ଗତ ୬ ମାସରେ ହୋଇଥିବା ସବୁ ମାମଲାରେ ଏମାନଙ୍କ ସମ୍ପୃକ୍ତି ନାହିଁ। ଏମାନଙ୍କ ମୂଳ ୨୦/୨୫ ଜଣିଆ ଗ୍ୟାଙ୍ଗ୍ର ଅନ୍ୟ ଗୋଷ୍ଠୀ କିଛି ମାମଲାରେ ସମ୍ପୃକ୍ତ ବୋଲି ଜଣାପଡ଼ିଛି। ଓଡ଼ିଶାରୁ ଲୁଟ୍ କରିବା ପରେ ଏମାନେ ଆନ୍ଧ୍ରପ୍ରଦେଶ ଚାଲିଯାଉଥିଲେ ଏବଂ ଅନୁରୂପଭାବେ ସେଠାରୁ ଲୁଟ୍ କରି ଓଡ଼ିଶା ପଳାଇଆସୁଥିଲେ। ଏହାପରେ କିଛି ଦିନ ପାଇଁ ହରିୟାଣା କିମ୍ବା ଗୁଜରାଟ ପଳାଉଥିଲେ।
ଆପାର୍ଟମେଣ୍ଟରୁ ଲୁଟ୍ କରିବାରେ ଧୁରୀଣ
ଏହି ଗ୍ୟାଙ୍ଗ୍ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ ସହରସ୍ଥିତ ଆପାର୍ଟମେଣ୍ଟରୁ ଚୋରି କରିକରି ବେଶ୍ ଧୁରୀଣ। ତେଣୁ ଦିନବେଳା ବି ସେମାନେ ଆପାର୍ଟମେଣ୍ଟରେ ପଶି ଲୁଟ୍ କରିପାରୁଥିଲେ। ପୂର୍ବରୁ ସେମାନେ ରେକି କରି ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଆଖି ପକାଉଥିଲେ। ଯେଉଁଠି ସୁରକ୍ଷା ବ୍ୟବସ୍ଥା କୋହଳ ଥିବା ଦେଖୁଥିଲେ, ସେଠି ପଶିଯାଉଥିଲେ। ନୂଆ କାର୍ରେ ଭଦ୍ରଲୋକଙ୍କ ଭଳି ସିଧା ଆପାର୍ଟମେଣ୍ଟ ପରିସରକୁ ଯାଉଥିଲେ। ଜଣେ ଅର୍ଥାତ୍ ଚାଳକ କାର୍ ଭିତରେ ରହୁଥିଲା ଏବଂ ଅନ୍ୟମାନେ ଭିତରକୁ ପଶୁଥିଲେ। ସେମାନଙ୍କ ହାବଭାବରୁ କେହି ବି ସେମାନଙ୍କୁ ଡକାୟତ ଗ୍ୟାଙ୍ଗ୍ ବୋଲି ଠଉରାଇ ପାରୁନଥିଲେ। ଏହାପରେ ସେମାନେ ତାଲା ପଡ଼ିଥିବା ଘର ଖୋଜୁଥିଲେ। ସୁଯୋଗ ଦେଖିବା ମାତ୍ରେ ତାଲା କାଟି ଘର ଭିତରେ ପଶି ଲୁଟ୍ପାଟ କରୁଥିଲେ। ବଡ଼ କଥା ହେଉଛି, ଘରେ କେଉଁଠି କି ଜିନିଷ ରହିଥାଏ ବା କେହି ଘର ଛାଡ଼ି ଯିବା ବେଳେ ଦାମୀ ଜିନିଷପତ୍ର କେଉଁଠି ଲୁଚାଇ ରଖନ୍ତି, ସେମାନଙ୍କୁ ଜଣାଥାଏ। ତେଣୁ ମାତ୍ର ୧୦/୧୫ ମିନିଟ୍ରେ ସେମାନେ ଘରେ କଳାକନା ବୁଲାଇ ପାରୁଥିଲେ। ଲୁଟ୍ କରିବା ପରେ ସେମାନେ ପୁଣି ଭଦ୍ରଲୋକଙ୍କ ଭଳି ଆପାର୍ଟମେଣ୍ଟରୁ ବାହାରି ଯାଆନ୍ତି। ନୂଆପଲ୍ଲୀ ନିରୁପମା ଆପାର୍ଟମେଣ୍ଟରୁ ଅପରାହ୍ଣରେ ସେମାନେ ଏମିତି କାଇଦାରେ ହିଁ ଲୁଟ୍ କରିଥିଲେ। ପୁଲିସ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍ରୁ କାର୍ ଓ ଏହି ଗ୍ୟାଙ୍ଗ୍ର ଜଣଙ୍କୁ ଚିହ୍ନଟ କରିଥିଲା। ହରିୟାଣା ପୁଲିସର ମୋଷ୍ଟ ୱାଣ୍ଟେଡ୍ ଥିବା ପୱନ୍କୁ କମିସନରେଟ୍ ପୁଲିସ ଚିହ୍ନଟ କରି ପିଛା କରିଥିଲା। ପୁଲିସ ଆଖିରେ ଧୂଳି ଦେବାକୁ ସେମାନେ ନୂଆ କାର୍ ବ୍ୟବହାର କରୁଥିଲେ। ଡାଉନ୍ ପେମେଣ୍ଟ ଦେଇ ନୂଆ କାର୍ କିଣୁଥିଲେ। କିନ୍ତୁ ବିଭିନ୍ନ ବାହାନା କରି ନମ୍ବର ପ୍ଲେଟ୍ ଲଗାଉ ନଥିଲେ। ବେଳେବେଳେ କୌଣସି ପୁରୁଣା କାର୍ର ନମ୍ବର ଲଗାଉଥିଲେ। ଏମିତିରେ ବି ସେମାନେ ଫ୍ଲାଇଟ୍ରେ ମଧ୍ୟ ଯା’ଆସ କରୁଥିଲେ।
ଅବସରପ୍ରାପ୍ତ ଯବାନ ମାଷ୍ଟରମାଇଣ୍ଡ
ବଡ଼ ବିସ୍ମୟର କଥା ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଜଣେ ଅବସରପ୍ରାପ୍ତ ଯବାନ। ସେ ହେଲେ ସତ୍ପାଲ୍ ଓମ୍ପ୍ରକାଶ ଚୌହାନ। ତାଙ୍କ ନାମରେ ୩୦ରୁ ଅଧିକ ମାମଲା ରହିଛି। ପତ୍ନୀଙ୍କୁ ହତ୍ୟା କରି ଏବେ ସେ ଅହମ୍ମଦାବାଦ ସାବରମତି ଜେଲ୍ରେ ଅଛନ୍ତି। ଏକଦା ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସୀମାରେ ଠିଆ ହେଉଥିବା ସତ୍ପାଲ ପରେ ଡକାୟତ ଗ୍ୟାଙ୍ଗ୍ ଗଢ଼ିଛି। ଆପାର୍ଟମେଣ୍ଟ ଚଳଣି ସହ ତା’ର ବେଶ୍ ପରିଚିତି ଥିବାରୁ ତା ଗ୍ୟାଙ୍ଗ୍ ଦେଶ ସାରା ସହରକୁ ସହର ବୁଲିବୁଲି କେବଳ ଆପାର୍ଟମେଣ୍ଟ ଉପରେ ଆଖି ପକାଉଥିଲେ।
ରାଜବାଟିକା, ଶ୍ରୀକ୍ଷେତ୍ରବିହାର ଲୁଟ୍ରେ ହାତ
ଗତ ୬ ମାସରେ ରାଜଧାନୀର ଚନ୍ଦକା ଥାନା ଅଞ୍ଚଳର ଏମ୍ଜେ ଉଡ୍ସ, ଇନ୍ଫୋସିଟି ଥାନା ଅଞ୍ଚଳର ରାଜବାଟିକା, ଭରତପୁର ଥାନା ଶ୍ରୀକ୍ଷେତ୍ରବିହାର, ମଞ୍ଚେଶ୍ୱର ଥାନା ଅଞ୍ଚଳର ସ୍ପେସ୍ ଟାଉନ୍ ଆପାର୍ଟମେଣ୍ଟ ଭଳି ୫ରୁ ଊର୍ଧ୍ବ ଆପାର୍ଟମେଣ୍ଟରୁ ଲୁଟ୍ ହୋଇଛି। ରାଜବାଟିକା ଓ ଶ୍ରୀକ୍ଷେତ୍ରବିହାର ଆପାର୍ଟମେଣ୍ଟରୁ ଲୁଟ୍ରେ ଏହି ଗ୍ୟାଙ୍ଗ୍ର ହାତଥିବା ସନ୍ଦେହ କରାଯାଉଛି।