ଚିକିତ୍ସା ପାଇଁ ଲୋଡ଼ା ପନ୍ଦର ଲକ୍ଷ
ଭୁବନେଶ୍ୱର : ଗରିବ ହେଲେ ବି ବେଶ୍ ହସଖୁସିରେ ଚଳୁଥିଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର କଷ୍ଣଚନ୍ଦ୍ର ସାହୁଙ୍କ ପରିବାର। ଦିନ ମଜୁରି ଲାଗିବା ସହ ନିଜ ଜମିରେ ଖଟି ଯେତିକି ବି ଆୟ କରୁଥିଲେ ସେଥିରେ ପତ୍ନୀ ଓ ଦୁଇ ପୁଅ, ଝିଅଙ୍କୁ ନେଇ ବେଶ୍ ଆନନ୍ଦରେ ତାଙ୍କ ଦିନ ବିତି ଯାଉଥିଲା। ନିଜେ ବେଶି ପାଠ ପଢ଼ିନଥିଲେ ମଧ୍ୟ ନିଜ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ କଲେଜ ପଠାଉଥିଲେ କୃଷ୍ଣଚନ୍ଦ୍ର। କିନ୍ତୁ ସତେ ଯେମିତି ଦଇବ ସେମାନଙ୍କ ସୁଖ ସହିଲାନି। କୃଷ୍ଣଚନ୍ଦ୍ରଙ୍କ ପରିବାର ଉପରେ ଅଜାଡ଼ି ହୋଇ ପଡ଼ିଲା ଦୁଃଖ ପରେ ଦୁଃଖ। ୨୦୧୩ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କୃଷ୍ଣଚନ୍ଦ୍ର ଆରପାରିକୁ ଚାଲିଗଲେ। କୃଷ୍ଣଙ୍କୁ ହରାଇବାର ଦୁଃଖକୁ ଭୁଲି ପୂରା ପରିବାର ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କଲା ବେଳକୁ ମାଡ଼ି ଆସିଲା ଆଉ ଏକ ବଡ଼ ଦୁଃଖ।
ଘରର ବଡ଼ ପୁଅ ଦିବ୍ୟସିଂହ ମହାପ୍ରାସାଦ(୨୫) ଯୁକ୍ତ ଦୁଇ ପାସ୍ କରିଥିଲେ ବି ପାଠରେ ଡୋରି ବାନ୍ଧି ସିକ୍ୟୁରିଟି ଗାର୍ଡ ଚାକିରି କରି ଘରର ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବାପାଙ୍କ ପରେ ପରିବାରରେ ରୋଜଗାରକ୍ଷମ ହୋଇ ପାରିଥିବା ଦିବ୍ୟସିଂହଙ୍କ ସତସତିକା ଅଣ୍ଟା ଭାଙ୍ଗିବାକୁ ନିଷ୍ପତ୍ତି ନେଇ ସାରିଥିଲା ଦଇବ। ଗତ ଜୁଲାଇ ମାସରେ କାର୍ଯ୍ୟକ୍ଷେତ୍ରରେ ଦୁର୍ବଳ ଅନୁଭବ କରି ପଡ଼ି ଯାଇଥିଲେ ଦିବ୍ୟସିଂହ। ପରେ ସେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା ସହ କଟକ ଏସ୍ସିବି ମେଡିକାଲ କଲେଜ ଓ ବ୍ରହ୍ମପୁର ସରକାରୀ ଚିିକିତ୍ସାଳୟରେ ନିଜର ରୋଗ ପରୀକ୍ଷା କରି ଏପ୍ଲାଷ୍ଟିକ ଆନେମିଆରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଲେ। ଏହା ଏମିତି ଏକ ବିରଳ ରୋଗ ଯେଉଁଥିରେ ଆକ୍ରାନ୍ତ ହେଲେ ରୋଗୀର ଅସ୍ଥି ସଂପୂର୍ଣ୍ଣ ଫମ୍ପା ହୋଇଯାଏ।
ଦିବ୍ୟସିଂହ ବର୍ତମାନ ସମ୍ ହସ୍ପିଟାଲ ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରବୋଧ ଦାସଙ୍କ ଅଧୀନରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ଦାସ କହିଛନ୍ତି, ଏପ୍ଲାଷ୍ଟିକ ଆନେମିଆ ଏକ ବିରଳ ତଥା ଜଟିଳ କର୍କଟ ରୋଗ। ଯେଉଁଥିରେ ରୋଗୀକୁ ବଞ୍ଚାଇବାର ଏକାମାତ୍ର ବିକଳ୍ପ ହେଲା ବୋନ୍ ମ୍ୟାରୋ ପ୍ରତିରୋପଣ। ଏହି କର୍କଟ ରୋଗରୁ ମୁକ୍ତି ଲାଗି ରୋଗୀର ଭାଇ କିମ୍ବା ଭଉଣୀ ପାଖରୁ ବୋନ୍ ମ୍ୟାରୋ ପ୍ରତିରୋପଣ କରା ଯାଇପାରିବ। ଏବଂ ଏହି ପ୍ରତିରୋପଣ ତୁରନ୍ତ କରାଯିବା ଦରକାର। ଯଦି ଏହି ସମୟ ମଧ୍ୟରେ ରୋଗୀକୁ ଜ୍ୱର କିମ୍ବା ସଂକ୍ରମଣ ହୁଏ, ତା ହେଲେ ପ୍ରତିରୋପଣ କରାଯାଇପାରିବ ନାହିଁ। ରୋଗୀ ଯଦି ବାପା ମା’ଙ୍କର ଏକକାତ୍ର ସନ୍ତାନ ହୋଇଥିବେ, ତେବେ ତାଙ୍କ ଚିକିତ୍ସା ଅସମ୍ଭବ। ପୁଣି ରୋଗୀର ଭାଇ କିମ୍ବା ଭଉଣୀର ଏଚ୍ଏଲ୍ଏ(ରକ୍ତ) ୧୦/୧୦ ମିଶୁଥିବା ଦରକାର। ଏତେ ଦୁଃଖ ମଧ୍ୟରେ ଦିବ୍ୟସିଂହଙ୍କ ଜୀବନରେ ଟିକିଏ ଆଶାର ସଞ୍ଚାର ହୋଇଛି। କାରଣ ତାଙ୍କ ସାନ ଭଉଣୀ ଉପାସନାଙ୍କ ବୋନ୍ ମ୍ୟାରୋ, ରକ୍ତ ତାଙ୍କ ସହ ସଂପୂର୍ଣ୍ଣ ମିଶି ଯାଉଛି।
କିନ୍ତୁ ଦିବ୍ୟସିଂହଙ୍କ ପାଇଁ ବଡ଼ ବାଧକ ସାଜିଛି ଅର୍ଥ। ବୋନ୍ ମ୍ୟାରୋ ପ୍ରତିରୋପଣ ପାଇଁ ୧୨ ରୁ ୧୫ ଲକ୍ଷ ଟଙ୍କା ଆବଶ୍ୟକ। କିନ୍ତୁ ଏତେ ଟଙ୍କା ଖର୍ଚ କରିବା ସଂପୂର୍ଣ୍ଣ ଭାବେ ଦିବ୍ୟସିଂହଙ୍କ ପରିବାରର କ୍ଷମତା ବାହାରେ। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ଡ. ଦାସ ବଲାଙ୍ଗୀରର ଜଣେ ଝିଅର ସଫଳତାର ସହ ବୋନ୍ ମ୍ୟାରୋ ପ୍ରତିରୋପଣ କରି ସାରିଛନ୍ତି। ତେଣୁ ଅର୍ଥ ଯୋଗାଡ଼ ହେଲେ ଏଠି ବି ଏହା କରିବା ସମ୍ଭବ। ଦିବସିଂହଙ୍କୁ ସହାୟତା ଦେବାକୁ ଚାହୁଁଥିବା ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ୯୯୩୭୦୯୪୮୮୪/୮୭୬୩୭୮୧୧୮୪ରେ ଯୋଗଯୋଗ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।