ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା : ତଥ୍ୟ ଲୁଚାଉଛି ଅଗ୍ନିଶମ ବିଭାଗ

ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ବର : ଆପୋଲୋ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଯାଞ୍ଚ ରିପୋର୍ଟକୁ ନେଇ ଅଗ୍ନିଶମ ବିଭାଗର ଲୁଚାଛପା ଖେଳ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ପ୍ରକୃତରେ ବ୍ୟାଟେରି ରୁମ୍‌ରେ ସର୍ଟ ସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ନା ଅନ୍ୟ କୌଣସି ଅବହେଳା ଯୋଗୁଁ ଏପରି ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ଆଜି ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ରିପୋର୍ଟ ଦେବାକୁ ଥିବା ବେଳେ ବିଭାଗ ତଥ୍ୟ ଲୁଚାଉଛି। ଅଗ୍ନିକାଣ୍ଡ ନେଇ   ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଦେଇପାରୁ ନାହିଁ।  ଡିଜି(ଅଗ୍ନିଶମ) ବିକେ ଶର୍ମା କେନ୍ଦ୍ରାଞ୍ଚଳର ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼ାଇଙ୍କୁ ଯାଞ୍ଚ ଦାୟିତ୍ବ ଦେଇଥିଲେ। ଏ ନେଇ ଶ୍ରୀ ଘଡ଼ାଇଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିପୋର୍ଟ ନେଇ ମୁହଁ ଖୋଲି ନଥିଲେ।  ତେବେ ସବୁର ଯାଞ୍ଚ ତଥ୍ୟ ମୁଁ ଡିଜିଙ୍କୁ ଦେଇ ସାରିଛି ବୋଲି ସେ କହିଛନ୍ତି। ଡିଜି ଶ୍ରୀ ଶର୍ମାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏନେଇ କିଛି କହି ନଥିଲେ। ତେବେ କେଉଁ କାରଣରୁ ଅଗ୍ନିଶମ ବିଭାଗ ତଥ୍ୟ ଲୁଚାଉଛି ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପଟେ ଗତ ଶନିବାର ଅଗ୍ନିକାଣ୍ଡ ଯୋଗୁଁ ୨୬ ଜଣ ରୋଗୀଙ୍କୁ ବିଭିନ୍ନ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।  ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ହରିହର କରଣ(୭୨)। କିଛିଦିନ ତଳେ ସେ ସେପ୍ଟିସିମିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ଆମ୍ରି ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।  ଏ ନେଇ ସ୍ବର୍ଗତ କରଣଙ୍କ ପୁଅ ରା‌ଜେଶ କରଣ ଆପୋଲୋ ହସ୍ପିଟାଲ୍‌ କର୍ତୃପକ୍ଷଙ୍କୁ ଦାୟୀ କରି କହିଛନ୍ତି, ବାପାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିଲା। ହେଲେ ସ୍ଥାନାନ୍ତର ବେଳେ ଦୁଇ ହସ୍ପିଟାଲ୍‌ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳି ପାରିଲାନି।

ପ୍ରକାଶ ଥାଉ କି, ରବିବାର ଆମ୍ରି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ଶଙ୍କର୍ଷଣ ଦୋରା(୫୧) ଓ କଳିଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ କଳିଙ୍ଗନଗର ଅଞ୍ଚଳର ଦୀପ୍ତିମୟୀ ‌ବାନାର୍ଜୀ(୭୮)ଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର