ଆପୋଲୋ ହସ୍ପିଟାଲର ଫାର୍ମାସି ଦୁଇଦିନ ପାଇଁ ବନ୍ଦ ନିର୍ଦେଶ

ଭୁବନେଶ୍ବର: ଆପୋଲୋ ହସ୍ପିଟାଲର ବହିର୍ବିଭାଗ ଫାର୍ମାସି ଓ ହୋଲସେଲ ୟୁନିଟ୍‌କୁ ଦୁଇ ଦିନ ପାଇଁ ବନ୍ଦ ରହିବ। ଡ୍ରଗ୍‌ସ ନିର୍ଦେଶାଳୟ ପକ୍ଷରୁ ଆପୋଲୋ ହସ୍ପିଟାଲକୁ ଏଭଳି ନିର୍ଦେଶ ଦିଆଯାଇଛି। ଯାଞ୍ଚ ସମୟରେ ହସ୍ପିଟାଲ କର୍ତୃପକ୍ଷ ଫାର୍ମାସି ସଂପର୍କିତ ସମସ୍ତ କାଗଜପତ୍ର ଠିକ୍‌ ଭାବେ ଉପସ୍ଥାପନ କରିବାରେ ବିଫଳ ହେବା କାରଣରୁ ନିର୍ଦେଶାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କଳିଙ୍ଗ ହସ୍ପିଟାଲ ଓ ଆମ୍ରି ହସ୍ପିଟାଲର ଫାର୍ମାସିକୁ ମଧ୍ୟ କିଛି ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦେଶାଳୟ ନିର୍ଦେଶ ଜାରି କରିଥିଲା। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକଙ୍କ କହିବା ମୁତାବକ, ଆଜିଠାରୁ ଏହି ବନ୍ଦ ନିର୍ଦେଶ ଦିଆଯାଇଛି। ପୂର୍ବରୁ ହସ୍ପିଟାଲର ରେକର୍ଡପତ୍ର ଯାଞ୍ଚ ସମୟରେ କେତେକ କ୍ଷେତ୍ରରେ ଉଲ୍ଲଂଘନ ହୋଇଥିବା ନଜରକୁ ଆସିଥିଲା। ଏ ଦୃଷ୍ଟିରୁ ହସ୍ପିଟାଲ କର୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ମାତ୍ର ଏଥିରେ କର୍ତୃପକ୍ଷ ଆବଶ୍ୟକ ପ୍ରମାଣପତ୍ର ଯୋଗାଇବାରେ ବିଫଳ ହେବାରୁ ଦୁଇ ଦିନ ପାଇଁ ବହିର୍ବିଭାଗ ଓ ହୋଲସେଲ ୟୁନିଟ୍‌କୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ଟ୍ରିନିଟି ହସ୍ପିଟାଲକୁ ମଧ୍ୟ ଫାର୍ମାସିର ଆବଶ୍ୟକ କାଗଜପତ୍ର ଦୃଷ୍ଟିରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କରେ ନିଜର ମତ ରଖିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ରାଜଧାନୀର ଅନ୍ୟ ହସ୍ପିଟାଲଗୁଡ଼ିକର ଯାଞ୍ଚ ଜାରି ରହିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର