ଭୁବନେଶ୍ୱର: ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା କାର୍ଯ୍ୟକ୍ରମ କରିବା ଏବେ ସହଜ ହେଲା। ସଂସ୍କୃତି ବିଭାଗ ଏବେ ଅନ୍ଲାଇନ୍ ମାଧ୍ୟମରେ ଏହି ସୁବିଧା ଯୋଗାଇ ଦେବ। ବିଭିନ୍ନ ଅନୁଷ୍ଠାନ, କଳାକାର ସିଧାସଳଖ ଆବେଦନ କରି ଏହି ଯୋଜନାର ଲାଭ ଉଠାଇପାରିବେ। ପୂର୍ବରୁ ଏହା ଅଫ୍ଲାଇନ୍ ଏବଂ ସମୟ ସାପେକ୍ଷ ଥିଲା। ଫଳରେ ଲୋକମାନେ ଠିକ୍ ସମୟରେ ଏହାର ସୁବିଧା ଉଠାଇ ପାରୁନଥିଲେ। ଏହି ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କଳାକାର ଓ ସାଂସ୍କୃତିକ ଦଳମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନରେ ଏହି ଅନ୍ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ କଳାକାର ଓ ସାଂସ୍କୃତିକ ଦଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଓ ବିଭାଗ ସବୁବେଳେ ଚେଷ୍ଟା କରିଆସିଛି। ଏହି ବ୍ୟବସ୍ଥା ସାଂସ୍କୃତିକ କାର୍ଯକ୍ରମ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାଂସ୍କୃତିକ ଦଳମାନଙ୍କର କାମଗୁଡ଼ିକୁ ସହଜ ଓ ସୁବିଧାରେ କରିବା ପାଇଁ ସିଟିଏମ୍ଏସ୍ ଆପ୍ଲିକେସନ୍କୁ ପ୍ରସ୍ତୁତ କରାଯାଇଛି। ଏ ବ୍ୟବସ୍ଥା ଦ୍ବାରା ଉପୁଜୁଥିବା ସମସ୍ୟାର ସମାଧନ ହେବା ସହିତ ସମସ୍ତଙ୍କୁ କଳା ପରିବେଷଣ କରିବାକୁ ସମାନ ସୁଯୋଗ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଉଲ୍ଲେଖଥାଉ କି, ଅନୁଷ୍ଠାନଗୁଡ଼ିକର ଅନୁରୋଧ ଆଧାରରେ ବିଭିନ୍ନ ଉତ୍ସବମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ବିଭାଗ ପକ୍ଷରୁ ସାଂସ୍କୃତିକ ଦଳ ପ୍ରେରଣ କରାଯାଏ। ଏହି ପ୍ରକ୍ରିୟାକୁ ସହଜ ଏବଂ ତ୍ୱରାନ୍ୱିତ କରିବାକୁ ବିଭାଗ ପକ୍ଷରୁ ଏକ ୱେବ୍ସାଇଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ସାମିଲ ହେବା ପାଇଁ ଅନୁଷ୍ଠାନଗୁଡ଼ିକ ଆସନ୍ତା ଜୁନ୍ ୧୫ ସୁଦ୍ଧା ଆବଶ୍ୟକୀୟ ସୂଚନା ସହ ctms-ollc.in ମାଧ୍ୟମରେ ନିଜର ପଞ୍ଜୀକୃତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। କଳା, ସଂସ୍କୃତି ଓ ପରମ୍ପରା ଗୋଟିଏ ଜାତିର ପରିଚୟ। କଳାକାର ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପତ୍ର କିମ୍ବା ଇମେଲ୍ ମାଧ୍ୟମରେ ବିଭାଗକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି। ଓଡ଼ିଆ ଭାଷା ପ୍ରତିଷ୍ଠାନର ପରାମର୍ଶଦାତା ଡ. ଫନିନ୍ଦ୍ର ଭୂଷଣ ନନ୍ଦ, ଲୁମିନସ୍ ଇନ୍ଫୋୱେଜ୍ର ମୁଖ୍ୟ ତନ୍ମୟ ମହାନ୍ତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ।