ଆପୋଲୋରେ ୩ ବିରଳ ଚିକିତ୍ସା

ଭୁବନେଶ୍ବର : ତିନିଟି ବିରଳ ଚିକିତ୍ସା କରିଛି ଆପୋଲୋ ଡାକ୍ତରଖାନା। ପେଟ, ଯକୃତ ରୋଗ ବିଶେଷଜ୍ଞ ଡ.ସୁଶାନ୍ତ ସେଠୀ, ହୃଦବକ୍ଷ, ଶଲ୍ୟ ବିଶେଷଜ୍ଞ ଡ.ଦେବାଶିଷ ନାୟକ ଏବଂ କର୍ଣ, ନାସା, ଗଳା ବିଶେଷଜ୍ଞ ଡ.ସୂର୍ଯ୍ୟକାନ୍ତ ପ୍ରଧାନ ମିଳିତ ଭାବରେ ଏଣ୍ଡୋସ୍କୋପି, ସର୍ଜରିରେ ଏହାର ସଫଳ ଚିକିତ୍ସା କରିଛନ୍ତି।

ମାଂସ କଣ୍ଟା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଖାଦ୍ୟ ନଳୀ କଣା ହୋଇ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା। ଡ.ସୁଶାନ୍ତ ସେଠୀ ତାଙ୍କ ରୋଗ ନିରୂପଣ କରି ଏଣ୍ଡୋସ୍କୋପି ପଦ୍ଧତିରେ ଖାଦ୍ୟ ନଳୀ ବନ୍ଦ କରି ଦେଇଥିଲେ। ଡ.ଦେବାଶିଷ ନାୟକ ଫୁସ୍‌ଫୁସ୍‌ ଅସ୍ତ୍ରୋପଚାର କରିଥିଲେ। ଦୁଇ ମାସର ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଅନ୍ୟପକ୍ଷରେ ଜଣେ ମହିଳା ନକଲି ଦାନ୍ତକୁ ଭୁଲବଶତଃ ଗିଳି ପକାଇଥିଲେ। ଏଥିଯୋଗୁଁ ଖାଦ୍ୟ ନଳୀର ୨-୩ଟି ସ୍ଥାନରେ କଣା ହୋଇ କ୍ଷତ ସୃଷ୍ଟି ହୋଇଥିଲା। ଡ.ସୂର୍ଯ୍ୟକାନ୍ତ ପ୍ରଧାନ, ଡ.ସଲିଲ ପରିଡ଼ା, ନିଶ୍ଚେତକ ବିଭାଗର ଡ.ସିଦ୍ଧାର୍ଥ ମହାନ୍ତି, ଡ.ସୌମିତ୍ର ଶତପଥୀ, ଡ.ଜ୍ୟୋତିଙ୍କ ସହାୟତାରେ ଅସ୍ତ୍ରୋପଚାର ହୋଇଥିଲା। ତିନି ସପ୍ତାହ ପରେ ଏବେ ସେ ଖାଇ ପାରୁଛନ୍ତି। କୋଭିଡ୍ ପୀଡ଼ିତ ଆଉ ଜଣେ ରୋଗୀ ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ଖାଦ୍ୟନଳୀରୁ ଶ୍ବାସନଳୀକୁ ରାସ୍ତା ହୋଇଥିବା ଜଣାପଡ଼ିଲା। ପରେ ସେ ଡ.ଦେବାଶିଷ ନାୟକଙ୍କ ତତ୍ତ୍ବାବଧାନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡ.ନାୟକ, ଡ.ସେଠୀ, ଡ.ସୂର୍ଯ୍ୟକାନ୍ତ ପ୍ରଧାନ ମିଳିତ ଭାବରେ ଏହି ରୋଗୀଙ୍କ ସଫଳ ଚିକିତ୍ସା କରିଥିଲେ। ୩ ମାସର ଚିକିତ୍ସା ପରେ ରୋଗୀଙ୍କ ଖାଦ୍ୟ ଗ୍ରହଣ ସ୍ବଭାବିକ ହୋଇଥିଲା। ସେ ବଡ଼ଧରଣର ଅସ୍ତ୍ରୋପଚାରରୁ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର