ଟ୍ରାଫିକ୍‌ ପରିଚାଳନାରେ ସମସ୍ୟା: ମଲ୍‌ ସାମ୍ନାରେ ଭିଡ଼ ସମ୍ଭାଳିବେ ଏପିଓ

ଭୁବ‌ନେଶ୍ୱର: ବଡ଼ ବଡ଼ ମଲ୍‌ ସାମ୍ନାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନା ସମସ୍ୟା ଦେଖାଯାଉଥିବାରୁ ଏକ ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି କମିସନରେଟ୍‌ ପୁଲିସ୍‌। ମଲ୍‌ ପକ୍ଷରୁ ଅତିରିକ୍ତ ପୁଲିସ ଅଫିସର(ଏପିଓ) ନିଯୁକ୍ତ ହେବାକୁ ସ୍ଥିର ହୋଇଛି। ସେମାନେ ଟ୍ରାଫିକ୍‌ ନିୟନ୍ତ୍ରଣ ସହ ବେଆଇନ ପାର୍କିଂ ଉପରେ କଡ଼ା ନଜର ରଖିବେ ବୋଲି ଆଜି ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନା ମୁତାବକ, ଏସ୍‌ପ୍ଲାନେଡ୍‌, ସେଣ୍ଟ୍ରାଲ, ଭବାନୀ ମଲ, ଫୋରମ୍‌ ମାର୍ଟ ପ୍ରଭୃତି ବଡ଼ ବଡ଼ ମଲ୍‌ ସାମ୍ନାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନାଗତ ସମସ୍ୟା ଦେଖାଦେବାରୁ ମଲ୍‌ମାଲିକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ, ମଲ୍‌ମାଲିକମାନେ ଯୁବକମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କର ବିବରଣୀ କମିସନରେଟ୍‌ ପୁଲିସ ପାଖରେ ଦାଖଲ କରିବେ। ସେମାନଙ୍କର ଅପରାଧିକ ରେକର୍ଡ ପୁଲିସ ଯାଞ୍ଚ କରିବ। ଯାଞ୍ଚ କରିବା ପରେ ସେମାନଙ୍କୁ ପ୍ରଶିକ୍ଷଣ ଦେବ। ପ୍ରଶିକ୍ଷଣ ପାଇବା ପରେ ସେମାନଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟୋପି ଓ ବ୍ୟାଜ୍ ପ୍ରଦାନ କରାଯିବ। ଏହାକୁ ପିନ୍ଧିବା ବେଳେ ବା କାମ କରୁଥିବା ବେଳେ ସେମାନେ ଏପିଓ ଭାବରେ ଚିହ୍ନିତ ହେବେ। ପ୍ରଶିକ୍ଷଣପ୍ରାପ୍ତ ହେବା ପରେ ସେମାନେ ସ୍ବତନ୍ତ୍ର ପୋଷାକ ପିନ୍ଧି ନିଜ ନିଜ ମଲ୍‌ ସାମ୍ନାରେ ଛିଡ଼ା ହୋଇ ଟ୍ରାଫିକ୍‌ ପରିଚାଳନା କରିବେ। ତା’ ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ କମିସନରେଟ୍‌ ପୁଲିସ ସହ ଯୋଗାଯୋଗରେ ରହିବେ। ସୁରକ୍ଷାକର୍ମୀଙ୍କ ଠାରୁ ଏମାନଙ୍କର ଅଧିକ କ୍ଷମତା ରହିବ। ସେମାନଙ୍କର ନିର୍ଦ୍ଦେଶ ଅନୁପାଳନ ନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକାଂଶ ମଲ୍‌ଗୁଡ଼ିକ ଏଭଳି ଯୁବକମାନଙ୍କର ତାଲିକା ପ୍ରଦାନ କରି ସାରିଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖନୀୟ, ଦୁର୍ଗାପୂଜାରେ ଟ୍ରାଫିକ୍‌ ପରିଚାଳନା କରିବା ପାଇଁ ଏଭଳି ସ୍ବତନ୍ତ୍ର ପୁଲିସ ଅଫିସର(ଏସ୍‌ପିଓ) ନିଯୁକ୍ତ ହେବାକୁ ଯାଉଛନ୍ତି। ଏହି ଅଫିସରଙ୍କୁ ସମ୍ପୃକ୍ତ ସଂସ୍ଥା ଓ ଦୁର୍ଗାପୂଜା କମିଟି ଦରମା ଦେ‌େବ।

ସମ୍ବନ୍ଧିତ ଖବର