ଭୁବନେଶ୍ୱର: ଏଜେନ୍‌ସି-ବିଏମ୍‌ସି ମଧୁଚନ୍ଦ୍ରିକାରେ ଚାଲିଛି ନିଯୁକ୍ତି। ବିଏମ୍‌ସି ମିଛିମିଛିକା କେତେକ ସର୍ତ୍ତ ରଖି ବିଭିନ୍ନ ଆଉଟ୍‌ସୋର୍ସିଂ ଏଜେନ୍‌ସିଙ୍କୁ ମାନବସମ୍ବଳ ପାଇଁ ଚିଠି ଲେଖୁଛି। ସଂସ୍ଥା ବି ସର୍ତ୍ତ ମୁତାବକ ମାନବ ସମ୍ବଳ ଯୋଗାଇ ଦେଉଛି। କେତେବେଳେ ଫ୍ରେସ୍‌ ତ କେତେବେଳେ ଅବସରପ୍ରାପ୍ତ। ବିଏମ୍‌ସିର ଚାହିଦା ମୁତାବକ ଉଚିତ୍‌ ସମୟରେ ଅଧିକାରୀ/କର୍ମଚାରୀ ଅଫିସ୍‌ରେ ପହଞ୍ଚି କାମ ଆରମ୍ଭ କରି ଦେଉଛନ୍ତି। ଉପରୁ ଦେଖିଲେ ଲାଗୁଛି ଯେମିତି ସବୁ ଆଇନ ଅନୁଯାୟୀ ଚାଲିଛି। କିନ୍ତୁ ଏ ସବୁ କେବଳ ଧର୍ମକୁ ଆଖିଠାର। ଯିଏ ନିଯୁକ୍ତି ପାଉଛନ୍ତି ସେ ସବୁ ପୂର୍ବ ନିର୍ଦ୍ଧାରିତ। ଏଜେନ୍‌ସି ମୁଣ୍ଡରେ କେବଳ ଅଠା ବୋଳି ନିଜ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ବିଏମ୍‌ସି ପଇସାରେ ନିଜ ଲୋକଙ୍କୁ ଥଇଥାନ କରି ବିଏମ୍‌ସି ଅଧିକାରୀ ଖୁସି। ଯିଏ ନିଯୁକ୍ତି ପାଉଛନ୍ତି ‌ସେମାନେ ଥଇଥାନ ହୋଇ ଖୁସି। ନୂଆ ବା ବାହାର ଲୋକ ନିଯୁକ୍ତି ପାଇଲେ ଏଠାରେ ଚାଲିଥିବା ଦୁର୍ନୀତି ପଦାରେ ପଡ଼ିବା ଆଶଙ୍କା ଥିବାରୁ ନିଜ ଲୋକଙ୍କୁ ସାମିଲ କରି ଦୁର୍ନୀତିର ଡୋର ଅଧିକାରୀ ଓ ନେତା ନିଜ ହାତରେ ରଖୁଥିବା ଅଭିଯୋଗ ହୋଇଛି।

Advertisment

ବର୍ଷ ବର୍ଷ ଧରି ଏଭଳି ନିଯୁକ୍ତିର ଶହ ଶହ ଉଦାହରଣ ରହିଛି। କିନ୍ତୁ ନିକଟ ଅତୀତର ଏକ ଉଦାହରଣ ଏହି ଅଭିଯୋଗକୁ ପ୍ରମାଣିତ କରୁଛି। ପୂର୍ବରୁ ଏଠାରେ ଅରୁଣ ନାୟକ ସିଟି ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଗତ ବର୍ଷ ଅବସର ନେବା ପରେ ବିଳାସ କୁମାର ବେହେରା ଏହି ପଦରେ ଯୋଗ ଦେଇଛନ୍ତି। ପୂର୍ବରୁ ଇଞ୍ଜିନିୟରିଂ ଉପବିଭାଗ କିମ୍ବା ନିର୍ମାଣ କାମ ପାଇଁ ବିଏମ୍‌ସିର କେହି ଉପଦେଷ୍ଟା ନଥିଲେ। କିନ୍ତୁ ଅରୁଣ ନାୟକ ଅବସର ନେବା ପରେ ବା ବିଳାସ ବେହେରା କାର୍ଯ୍ୟରେ ଯୋଗ ଦେବା ପରେ ବିଏମ୍‌ସିରେ ଜଣେ ଉପଦେଷ୍ଟାଙ୍କ ଆବଶ୍ୟକତା ପଡ଼ିଲା। ଉପଦେଷ୍ଟା ନିଯୁକ୍ତି ପାଇଁ ବିଏମ୍‌ସି ଆଉଟ୍‌ ସୋର୍ସିଂ ଏଜେନ୍‌ସି(ଏଆଇଆଇଏଲ୍‌ଏସ୍‌ଜି)ଙ୍କୁ ଚିଠି ଲେଖିଲା। ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ରାସ୍ତା, ନାଳର ନିର୍ମାଣ ଓ ଏହାର ଉନ୍ନତୀକରଣ, କଚ୍ଚାପକ୍କା ରାସ୍ତା ଓ ବିଏମ୍‌ସିର ମୁଖ୍ୟ ନାଳଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁଥିବାରୁ ୬୫ ବର୍ଷରୁ କମ୍‌ ବୟସ୍କ ସୁପରଟେଣ୍ଡିଂ ଇଞ୍ଜିନିୟର ପାହ୍ୟାର ଅବସରପ୍ରାପ୍ତ କର୍ମଚାରୀ (ମାସକୁ ସରମା ୫୦ ହଜାର)ଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖିବାର ଦିନ କେଇଟା ପରେ ଏଆଇଆଇଏଲ୍‌ଏସ୍‌ଜି ପୂର୍ବତନ ସିଟି ଇଞ୍ଜିନିୟର ଅରୁଣ ନାୟକଙ୍କୁ ନିଯୁକ୍ତି ଦେଇଥିଲା। ଏଭଳି ପ୍ରକ୍ରିୟାରେ ଅବସରପ୍ରାପ୍ତ ୪ ଜଣ ଆରଆଇ ଓ ୪ ଜଣ ଅମିନ ବି ନିଯୁକ୍ତି ପାଇବାକୁ ସ୍ଥିର ହୋଇଛି। ଅର୍ଥାତ୍‌ ଯିଏ ଯେତେବେଳେ ବିଏମ୍‌ସି କିମ୍ବା ବାହାରୁ ନିଜ ଲୋକ ଅବସର ନେଉଛି ତାଙ୍କ ଥଇଥାନ ପାଇଁ ବିଏମ୍‌ସିରେ ତୁରନ୍ତ ନୂଆ ପଦବୀ ସୃଷ୍ଟି କରୁଛି।

ବିଏମ୍‌ସି ଚିଠି ଲେଖୁଛି, ନିଜ ଲୋକ ଚାକିରି ପାଉଛନ୍ତି
ନିଯୁକ୍ତି ପୂର୍ବରୁ ପଚାରୁ ନାହାନ୍ତି ଅଫିସର
କର୍ପୋରେସନ ବୈଠକରେ କାର୍ଯ୍ୟୋତ୍ତର ଅନୁମୋଦନ

ପୂର୍ବରୁ ବିଏମ୍‌ସିରେ ଡିଇଓ(ଡାଟା ଏଣ୍ଟ୍ରି ଅପରେଟର) ଭାବେ ୫୮ ଜଣ କାମ କରୁଥିଲେ। ସେମାନଙ୍କର ଚୁକ୍ତି ଅବଧି ସରିବା ପରେ ପଦବୀ ନାମ ପରିବର୍ତ୍ତନ କରି ସେହି ୫୮ ଜଣଙ୍କୁ ନିଯୁକ୍ତି ଦିଆଗଲା। କେବଳ ପଦବୀର ନାଁ ପରିବର୍ତ୍ତନ ହେଲା, ସେଇ ସମାନ ଲୋକ ନିଯୁକ୍ତି ପାଇଲେ। ଏହା କେବଳ ଛୋଟ ଛୋଟ ଉଦାହରରଣ। ଏଭଳି ନିଯୁକ୍ତି ଏକ ନୟମିତ ପ୍ରକ୍ରିୟା ହୋଇଛି। ବେଳେ ବେଳେ ଭୂଆଁ ବୁଲାଇବା ପାଇଁ ଏଜେନ୍‌ସିର ନାଁ ବଦଳୁଛି। କେବଳ ନିଯୁକ୍ତି ପାଉ ନାହାନ୍ତି ବରଂ ନିଜ ଲୋକଙ୍କୁ ନିଯୁକ୍ତି ଦେଇଥିବା ଅଫିସର ବି ତାଙ୍କର ଯତ୍ନ ନେଉଛନ୍ତି। ୨୦୨୨ ମସିହାରେ ଏଭଳି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ୨ ଆଇଟି କନ୍‌ସଲ୍‌ଟାଣ୍ଟ ଓ ଟେକ୍ନିକାଲ ସପୋର୍ଟ ଆସିଷ୍ଟାଣ୍ଟଙ୍କର ୧୦ ପ୍ରତିଶତ ଦରମା ବି ବଢ଼ିଛି। କୌତୁହଳପ୍ରଦ ହେଉଛି, ଏ ସବୁ ନିଯୁକ୍ତି ପୂର୍ବରୁ କର୍ପୋରେସନର ଅନୁମତି ନିଆଯାଉ ନାହିଁ ବା ପରାମର୍ଶ ଲୋଡ଼ା ଯାଉ ନାହିଁ। ବରଂ ପ୍ରତ୍ୟେକ ନିଯୁକ୍ତି ସରିବା ପରେ କର୍ପୋରେସନର କାର୍ଯ୍ୟୋତ୍ତର ଅନୁମୋଦନ ଲୋଡ଼ା ଯାଉଛି ସେଥିରେ ବି କୌଣସି ପ୍ରତିବାଦ ହେଉନାହିଁ, ଅତି ସହଜରେ ଅନୁମୋଦନ ମିଳିଯାଉଛି। ଲାଗୁଛି ଯେମିତି ସମସ୍ତଙ୍କ ଗୋଚରରେ ଏଭଳି ଏକ କେଳେଙ୍କାରୀ ଚାଲିଛି। ଏ ନେଇ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ଯଦି ଉ‌ପଦେଷ୍ଟାଙ୍କର ଆବଶ୍ୟକତା ପଡ଼ିଲା ତେବେ ସିଟି ଇଞ୍ଜିନିୟର ଯୋଗ୍ୟର ନୁହନ୍ତି। ଏଭଳି ହେଲେ ଅଧିକାରୀମାନଙ୍କ ମଧ୍ୟରେ ଭଲ ପଡ଼ିବ ନାହିଁ। ଅଶାନ୍ତି ସୃଷ୍ଟି ହେବ। ବିଏମ୍‌ସି ଅଧିକାରୀ ଓ ନେତାମାନେ ନିଜ ଲୋକଙ୍କ ଥଇଥାନ କରିବା ଯୋଗୁ ଜନସ୍ବାର୍ଥ ବଳି ପଡ଼ିବ। ଆମେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଏହା ପରେ କୋର୍ଟ ଯିବୁ।