ଆପୋଲୋ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ମସ୍ତିଷ୍କରେ ଲାଗିଲା ଷ୍ଟେଣ୍ଟ୍

ଭୁବନେଶ୍ବର : ଆପୋଲୋ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୩ବର୍ଷ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ସେଥିରୁ ଷ୍ଟେଣ୍ଟ୍ ଲଗାଯାଇଛି। ଯାହାଫଳରେ ମସ୍ତିଷ୍କର ସଂକୁଚିତ ଧମନୀକୁ ପୁନର୍ବାର ଖୋଲିଯାଇ ପାରିଛି। ହସ୍ପିଟାଲର ଏଣ୍ଡୋ‌ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ନ୍ୟୁରୋ-ରେଡିଓଲୋଜିଷ୍ଟ ଡା.ମାନସ ରଂଜନ କର ଏହି ଅସ୍ତ୍ରୋପଚାରକୁ ସଫଳ ରୂପ ଦେଇଛନ୍ତି।

ଆପୋଲୋ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଅସ୍ତ୍ରୋପଚାର ହୋଇଥିବା ବ୍ୟକ୍ତିଙ୍କ ଦୁଇ ମାସ ତଳେ ମସ୍ତିଷ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସାମାନ୍ୟ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ରୋଗୀଙ୍କ ମସ୍ତିଷ୍କରେ ଆଞ୍ଜିଓଗ୍ରାଫି କରାଯିବା ପରେ ଭର୍ଟିବାଲ ଓ ବାସିଲାର ଧମନୀ ସଂକୁଚିତ ହୋଇଥିବା ଜଣାପଡ଼ିଥିଲା। ଏହି ସମୟରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେ ଆଉ ଏକ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କ ଶରୀର ଦକ୍ଷିଣ ପଟ ସାମାନ୍ୟ ଦୁର୍ବଳ ହୋଇଯାଇଥିଲା। ପରେ ଅସ୍ତ୍ରୋପଚାର କରାଯାଇ ସଂକୁଚିତ ହୋଇଥିବା ଧମନୀକୁ ଖୋଲି ଦିଆଯାଇଥିଲା। ଏହି ଅସ୍ତ୍ରୋପଚାରରେ ଡା.କରଙ୍କୁ ସ୍ନାୟୁ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା.ବିକାଶ କୁମାର ମିଶ୍ର ଓ ଅନେସ୍ଥେସିଓଲୋଜିଷ୍ଟ ପରାମର୍ଶଦାତା ଡା.କୀର୍ତି ଚନ୍ଦ୍ରନ୍ ବିଶ୍ବନାଥ ପ୍ରମୁଖ ସହାୟତା କରିଥିଲେ।

ଡା.କରଙ୍କ କହିବାନୁଯାୟୀ, ମସ୍ତିଷ୍କର ଧମନୀ ସଂକୁଚିତ ହୋଇଯିବା ଯୋଗୁଁ ଅଧିକାଂଶ ବ୍ରେନ୍ ଷ୍ଟ୍ରୋକ୍ ଦେଖା ଦେଇଥାଏ। ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ କଥା କହିବାରେ ସମସ୍ୟା ସହିତ ଦୁର୍ବଳ ଲାଗିଥାଏ। ତେଣୁ ରୋଗୀଙ୍କ ତୁରନ୍ତ ସିଟି/ଏମ୍‌ଆରଆଇ ଆଞ୍ଜିଓଗ୍ରାଫି କିମ୍ବା ମସ୍ତିଷ୍କର ସିଧାସଳଖ ଆଞ୍ଜିଓଗ୍ରାମ୍ କରାଯାଇ କେଉଁ ସ୍ଥାନରେ ଏହା ସଂକୁଚିତ ହୋଇଛି ତାହାର ପରୀକ୍ଷା କରାଯାଏ। ମାତ୍ର ଏହି ପରୀକ୍ଷା ବିଶେଷଜ୍ଞ ଓ ଦକ୍ଷ ଡାକ୍ତରଙ୍କ ଦ୍ବାରା କରାଯିବାର ଆବଶ୍ୟକତା ରହିଛି। ଯାହାଫଳରେ ପରବର୍ତୀ ସମୟରେ ବଡ଼ ଧରଣର ବ୍ରେନ୍ ଷ୍ଟ୍ରୋକ୍‌କୁ ରୋକା ଯାଇପାରିବ ବୋଲି ଡା.କର କହିଛନ୍ତି।

ସମ୍ବନ୍ଧିତ ଖବର