ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ବତ ସାଧନାର ବାତାୟନ ‘ଅରବିନ୍ଦାୟନ’ ଲୋକାର୍ପିତ

ଭୁବନେଶ୍ବର: ସାହିତ୍ୟିକ ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ବତ ସୌନ୍ଦର୍ଯ୍ୟ ଓ ସୌରଭ ସଂକଳନ ‘ଅରବିନ୍ଦାୟନ’ ଏକ ଭିନ୍ନଧରଣର ସୃଷ୍ଟି। ଏହି ସଂକଳନ ସ୍ରଷ୍ଟାଙ୍କ ସାରସ୍ବତ ସାଧନାର ବାତାୟନ। ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସାହିତ୍ୟକୁ ବିଶେଷକରି ଲୋକସଂସ୍କୃତିର ଗବେଷଣାକୁ ସେ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି, ତାହାର ସୁନ୍ଦର ଆକଳନ ହେଉଛି ‘ଅରବିନ୍ଦାୟନ’। ଆଜି ଲୋହିଆ ଏକାଡେମିଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ‘ଅରବିନ୍ଦାୟନ’ ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ ଅତିଥିମାନେ ଏହି ମତ ରଖିଛନ୍ତି।

ସାହିତ୍ୟିକ ଦାଶ ବେନହୁରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଲେ ଯେ ଅରବିନ୍ଦ ପଟ୍ଟନାୟକଙ୍କ ସାରା ଜୀବନର କୃତିକୁ ସମୀକ୍ଷା କରି ବେଶ୍‌ ସୁନ୍ଦର ଭାବେ ଏହି ପୁସ୍ତକ ସଙ୍କଳନ କରାଯାଇଛି। ପୁସ୍ତକ ସମୀକ୍ଷା କିଭଳି କରାଯାଏ, ଏହି ପୁସ୍ତକ ଅନେକଙ୍କୁ ଶିକ୍ଷା ଦେବ। ଏହି ପୁସ୍ତକ ମାଧ୍ୟମରେ ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ବତ ସାଧନା ଓ ଐତିହ୍ୟ କ୍ଷେତ୍ରରେ ରଖିଥିବା ପଦଚିହ୍ନକୁ ଜାଣିବାର ଅବକାଶ ମିଳିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ‌ର ସମ୍ମାନିତ ଅତିଥି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ କହିଲେ ଯେ ଅରବିନ୍ଦ ପଟ୍ଟନାୟକ ଗଭୀର ଗବେଷଣା ଓ ଅନୁଧ୍ୟାନ ପରେ ଯେଉଁ ସାରସ୍ବତ କୃତି ଉତ୍ତରପିଢ଼ି ପାଇଁ ଛାଡ଼ି ଯାଉଛନ୍ତି, ତାହା ଭବିଷ୍ୟତର ଦସ୍ତାବିଜ୍‌ ହୋଇ ରହିବ। ମୁଖ୍ୟବନ୍ତା ତଥା ସ୍ତମ୍ଭକାର ଅସିତ୍‌ ମହାନ୍ତି କହିଲେ ଯେ ୩୫୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରୁ ସମକାଳୀନ ସାହିତ୍ୟିକ ପରିବେଶର ସ୍ପନ୍ଦନ ବାରି ହେଉଛି। ଉତ୍ସବରେ ପୁସ୍ତକର ସମ୍ପାଦକ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଅନ୍ୟତମ ସମ୍ପାଦକ ଗୋବିନ୍ଦଚନ୍ଦ୍ର ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ବେବିନା ବେହେରା, ସୁମନ ‌ବେହେରା ଓ ପ୍ରଶାନ୍ତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୀପଙ୍କର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର